ବାରମ୍ବାର ବିଦ୍ୟୁତ୍ କାଟ୍ ଯୋଗୁଁ ବିଦ୍ୟୁତ୍ ବିଭାଗକୁ ଏବିଭିପିର ଦାବିପତ୍ର
ବାଲେଶ୍ୱର : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବାଲେଶ୍ୱର ଏକ ଦାୟିତ୍ୱବାନ ଛାତ୍ର ସଙ୍ଗଠନ ଭାବେ ସମାଜର ତଥା ଛାତ୍ର ସମାଜ ଅସୁବିଧା ପାଇଁ ସ୍ୱର ଉତ୍ତୋଳନ କରେ । ବାଲେଶ୍ୱରର ଆବାଳବୃଦ୍ଧବନିତା ଏବଂ ବିଦ୍ୟାର୍ଥୀ ସମୁଦାୟ ଏବେ ପ୍ରବଳ ଗରମ ପାଇଁ ତତଲା କଡ଼େଇରେ ଭାଜି ହେଇଥିବା ବେଳେ ବାରମ୍ବାର ବିଦ୍ୟୁତ୍ କାଟ ଅସହ୍ୟ ହୋଇ ପଡ଼ିଛି । ବାଲେଶ୍ୱର ଜିଲାର ବିଭିନ୍ନ ବ୍ଲକ ଏବଂ ଏହାର ପୌରାଞ୍ଚଳରେ ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ବାରମ୍ବାର ବିଦ୍ୟୁତ୍ କାଟ ହେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବିଷୟ । ଅସହ୍ୟ ଗରମରେ ବିଦ୍ୟୁତ ବିନା ଜନ ଜୀବନ ଅସ୍ତବ୍ୟସ୍ତ ହେଇପଡ଼ିଛି । ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଆଉ ସପ୍ତାହେଟେ ବି ନ ଥିବା ବେଳେ ଏଭଳି ବିଦ୍ୟୁତ୍ କାଟ ଛାତ୍ରୀଛାତ୍ରଙ୍କୁ ନାନା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି । ବାଲେଶ୍ୱରରେ ପ୍ରବଳ ଗରମକୁ ଏହିଭଳି ବିଦ୍ୟତୁ କାଟ ଏବଂ ବିନା ଅଗ୍ରୀମ ସୂଚନାରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ ସାଧାରଣରେ ଅସନ୍ତୋଷ ସୃଷ୍ଟି କରୁଛି । ଏଣୁ ମଙ୍ଗଳବାର ଏବିଭିପି ବାଲେଶ୍ୱରର ଏକ ପ୍ରତିନିଧି ଦଳ ଏସ୍ଡିଓ ୧ ନଂ. ବାଲିଆ ଓ ୨ନଂ. କାଳୀମନ୍ଦିର ଉପବିଭାଗ ଟିପିଏନ୍ଓଡିଏଲ୍କୁ ଭେଟି ସମସ୍ୟା ଜଣାଇବା ସହ ଦାବିପତ୍ର ପ୍ରଦାନ କରିଥିଲେ ।
ପ୍ରଚଣ୍ଡ ଗ୍ରୀଷ୍ମ ସମୟର ଏପ୍ରିଲ, ମେ ଓ ଜୁନ ମାସରେ ବିଦ୍ୟୁତ୍ ବିଭାଗ କେଉଁଭଳି ଭାବେ ନିରବିଚ୍ଚିନ ସେବା ଯୋଗାଇ ଦେବ ଏବଂ ବାଲେଶ୍ୱରର ଛାତ୍ର ଓ ଜନସାଧାରଣଙ୍କ ଏହି ବିଦ୍ୟୁତ୍ କାଟ ଜନିତ ସମସ୍ୟାର ସମାଧାନ କରିବ ସେଥିପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଥିଲା । ଏହି ପ୍ରତିନିଧି ଦଳରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶାର ପ୍ରାନ୍ତ କାର୍ଯ୍ୟକାରୀ ପରିଷଦର ସଦସ୍ୟ ତଥା ବିଭାଗ ସହ ସଂଯୋଜକ ରଜତ କୁମାର ପାତ୍ର, ବାଲେଶ୍ୱର ନଗର ସହ-ସମ୍ପାଦକ ସୁଶାନ୍ତ ଚୌଧୁରୀ, ଅସୀମ ରଞ୍ଜନ ଖୁଣ୍ଟିଆ, ଗୌର ହରି ଲେଙ୍କା ଓ ରାଜ୍ୟ ସହ ସମ୍ପାଦକ ତଥା ବାଲେଶ୍ୱର ନଗର ସଙ୍ଗଠନ ସମ୍ପାଦକ ଅରିଜିତ ପଟ୍ଟନାୟକ ଉପସ୍ଥିତ ଥିଲେ ।
