ଆଖି ବୁଜିଲେ ଏକ୍ମୋ ଚିକିତ୍ସାଧୀନ ଅଭିଷେକ ମହାପାତ୍ର
ଭୁବନେଶ୍ୱର : ମୃତ୍ୟୁ ସହ ଲଢେଇ କରି ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ଅଭିଷେକ ମହାପାତ୍ର । କୋଭିଡରେ ଆକ୍ରାନ୍ତ ହେବା ପରେ ଅଭିଷେକ ମହାପାତ୍ରଙ୍କର ଫୁସଫୁସ କିଛି ମାତ୍ରାରେ ନଷ୍ଟ ହୋଇଥିଲା। ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲରେ ୨୨ଦିନ ଭେଣ୍ଟିଲେଟରେ ଥିବାବେଳେ ଅଭିଷେକଙ୍କୁ ଏକ୍ମୋ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତା ନିଆଯାଇଥିଲା। ଗତ ଜୁଲାଇ ୯ ତାରିଖରୁ ଅଭିଷେକଙ୍କର କୋଲକାତାରେ ଏକ୍ମୋ ଚିକିତ୍ସା ଚାଲିଥିଲା। ଗତ ଶୁକ୍ରବାର ରାତି ପ୍ରାୟ ୧୦ଟା ୪୫ ମିନିଟ ସମୟରେ ଅଭିଷେକଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ସୂଚନା ଦେଇଛନ୍ତି।
ସୂଚନା ଯେ, ଭଦ୍ରକର ଅଭିଷେକ ମହାପାତ୍ର(୨୮)। ଗତ ମଇ ମାସ ୫ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ମାତ୍ର ୮ ଦିନ ପରେ ସେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏବେ ତାଙ୍କୁ ଏକ୍ମୋ ମେସିନ୍ ଦ୍ୱାରା ଚିକିତ୍ସା କରିବା ଜରୁରୀ ବୋଲି ଡାକ୍ତରମାନେ କହିଥିଲେ । ସେତେବେଳେ ଓଡ଼ିଶାରେ ଏକ୍ମୋ ଚିକିତ୍ସା ସୁବିଧା ନ ଥିବାରୁ ବାହାରେ ଚିକିତ୍ସା ପାଇଁ ପ୍ରଚୁର ଅର୍ଥର ଆବଶ୍ୟକତା ରହିଥିଲା । ତାଙ୍କୁ ତୁରନ୍ତ କୋଲକାତା ସ୍ଥାନାନ୍ତର କରିବାକୁ ହେବ ବୋଲି ଡାକ୍ତରମାନେ ସୁପାରିଶ କରିଥିଲେ । ତେଣୁ ତୁରନ୍ତ ଏୟାର୍ ଲିଫ୍ଟ କରିବାକୁ ପଡିଥିଲା । ଏତେ ଟଙ୍କା ଯୋଗାଡ଼ କରିବା ପରିବାର ପକ୍ଷରେ ସମ୍ଭବ ହୋଇନଥିଲେ । ତଥାପି ପରିବାର ଲୋକେ ଟଙ୍କା ଯୋଗାଡ଼ରେ ଲାଗି ଯାଇଥିଲେ । ଆର୍ଥିକ ସହାୟତା ପାଇଁ ମିଲାପ୍ ଫଣ୍ଡ ରେଜ୍ର ସହଯୋଗ ନେଇଥିଲେ । ଯେତେବେଳେ ନବ ଦାମ୍ପତ୍ୟ ଜୀବନକୁ ନେଇ ସେମାନେ ଖୁସିରେ ଦିନ କାଟିବା କଥା, ସେତିକିବେଳେ ସ୍ୱାମୀଙ୍କ ଜୀବନ ବଞ୍ଚାଇବାକୁ ରାଜରାସ୍ତାରେ ସଂଘର୍ଷ ଆରମ୍ଭ କରିଥିଲେ ପତ୍ନୀ । କରୋନା ଆକ୍ରାନ୍ତ ସ୍ୱାମୀଙ୍କୁ ବଞ୍ଚାଇବାକୁ ସ୍ତ୍ରୀ ସମଗ୍ର ଓଡ଼ିଶାବାସୀଙ୍କ ଠାରୁ ଟଙ୍କାଟିଏ ଲେଖାଏଁ ଭିକ୍ଷା ମାଗିଥିଲେ । ନବ ବିବାହିତା ପତ୍ନୀ ବଡ଼ ବିକଳ ହୋଇ ଓଡ଼ିଶାବାସୀଙ୍କୁ ପ୍ରାର୍ଥନା କରିଥିଲେ । ଓଡ଼ିଶାର ଚାରି କୋଟି ଜନତା ଟଙ୍କାଟିଏ ଲେଖାଏଁ ଦେଲେ, ତାଙ୍କ ସିନ୍ଦୁର ବଞ୍ଚିବ ବୋଲି ସେ ବିକଳ ହୋଇ କହିଥିଲେ ।
