ଆଜିଠୁ ପଞ୍ଜାବରେ ଆପର ରାଜୁତି, ଶପଥ ନେବେ ଭଗୱନ୍ତ ସିଂ ମାନ୍
ଚଣ୍ଡୀଗଡ଼ : ଜାତୀୟ ରାଜଧାନୀ ଦିଲ୍ଲୀର କ୍ଷମତାସିନ ଆମ ଆଦମୀ ପାର୍ଟି (ଆପ) ପଞ୍ଜାବ ବିଧାନସଭା ନିର୍ବାଚନରେ ଏକ ତରଫା ବିଜୟ ହାସଲ କରିଛି। ଦିଲ୍ଲୀ ପରି ପଞ୍ଜାବରେ ମଧ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍ ସମସ୍ତ ଆସନ ପୋଛି ନେଇଛି। ବୁଧବାର ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭଗବନ୍ତ ମାନ୍ ଶପଥ ନେବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଆପ ପଞ୍ଜାବରେ ନୂଆ ମୁଖ୍ୟମନ୍ତ୍ରୀ କରିବାକୁ ଯାଉଛି। ଭଗବନ୍ତ ମାନ୍ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଶହୀଦ ଭଗତ ସିଂଙ୍କ ପୈତୃକ ଗ୍ରାମ ଖଟକଲ କଲାଁରେ ଶପଥ ସମାରୋହ ଆୟୋଜିତ ହେବ। ଦିନା ସାଢେ ୧୨ଟାରେ ପଞ୍ଜାବର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟପାଳ, ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।
ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସହ ୧୬ ଜଣ ମନ୍ତ୍ରୀ ଶପଥ ନେବେ ବୋଲି ଚର୍ଚ୍ଚା ହେଉଛି। ଶପଥପାଠ ଉତ୍ସବରେ ଏକ ଲକ୍ଷ ଲୋକଙ୍କ ଉପସ୍ଥିତି ପାଇଁ ବ୍ୟବସ୍ଥା ହୋଇଛି। ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବରେ ଦୁଇ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି କୁହାଯାଉଛି। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ସୁରକ୍ଷା ଦାୟିତ୍ବରେ ୮ ହଜାରରୁ ଅଧିକ ପୋଲିସ କର୍ମଚାରୀ ମୁତୟନ ହୋଇଛନ୍ତି। ମାନଙ୍କ ଏହି ଶପଥ ଉତ୍ସବରେ ଆପ୍ ସଂଯୋଜକ ଅରବିନ୍ଦ କେଜରିୱାଲ, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା, ସାଂସଦ ସଂଜୟ ସିଂ ପ୍ରମୁଖ ସାମିଲ ହେବେ। ସେପଟେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ରଣଜିତ ସିଂ ଚନ୍ନି, କ୍ୟାପଟେନ ଅମରିନ୍ଦର ସିଂ, କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ଶପଥ ସମାରୋହରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଛି। ବର୍ତ୍ତମାନ ମଧ୍ୟ କୋରୋନା ସଙ୍କଟ ଟଳିନଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣର ପୂର୍ବଦିନ ରାଜ୍ୟରେ ସମସ୍ତ କୋରୋନା କଟକଣା ହଟାଯାଇଛି। ତେବେ ନିଜ ରାଜନୈତିକ ଫାଇଦା ପାଇଁ ଆପ୍ ସରକାର ଲୋକଙ୍କ ଜୀବନକୁ ବିପଦରେ ପକାଉଥିବା ବିରୋଧି କହିଛନ୍ତି।
ସୂଚନା ଯେ, ୧୧୭ ସିଟ୍ ବିଶିଷ୍ଟ ପଞ୍ଜାବରେ ବିଧାନସଭା ନିର୍ବାଚନ ସରିଛି। ସରକାର ଗଠନ ପାଇଁ ୫୯ଟି ବିଧାୟକ ଆବଶ୍ୟକ। କିନ୍ତୁ ୨୦୨୨ ନିର୍ବାଚନରେ ଆମ ଆଦମୀ ପାର୍ଟି ୯୨ଟି ସିଟ୍ ହାତେଇଛି। ପୂର୍ବରୁ କ୍ଷମତାରେ ଥିବା କଂଗ୍ରେସକୁ ୧୮ଟି ସିଟ୍ ମିଳିଥିବା ବେଳେ ଦେଶକୁ ଶାସନ କରୁଥିବା ବିଜେପିକୁ ମାତ୍ର ୨ଟି ବିଧାୟକ ସହ ସନ୍ତୁଷ୍ଟ ହେବାକୁ ପଡିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ପରାଜୟର ସମ୍ମୁଖୀନ ହୋଇଛନ୍ତି।
