କୋ-ୱିନ୍ ଆପରେ ଟୀକାକରଣର ପଞ୍ଜୀକରଣ ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ଼
ନୂଆଦିଲ୍ଲୀ : କୋଭିଡ ଟୀକାକରଣ ପାଇଁ କୋ-ୱିନ୍ ଆପରେ ପଞ୍ଜୀକରଣ କରିବାକୁ ପଡୁଥିବାବେଳେ ଏଥିପାଇଁ ପରିଚୟପତ୍ର ବାବଦରେ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ । ଆଜି ଏ ସଂକ୍ରାନ୍ତରେ ଏକ ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ କୋର୍ଟଙ୍କୁ ଅବଗତ କରାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।
ପଞ୍ଜୀକରଣ ପାଇଁ କୌଣସି ଏକ ସରକାରୀ ପରିଚୟପତ୍ର ଆବଶ୍ୟକ ପଡୁଥିବାବେଳେ ଏଥିପାଇଁ ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ପାନ କାର୍ଡ ଓ ରାସନ କାର୍ଡ ମଧ୍ୟ ବୈଧ ପ୍ରମାଣପତ୍ର ଭାବେ ଗ୍ରହଣ କରାଯାଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଖଣ୍ଡପୀଠଙ୍କୁ ସ୍ପଷ୍ଟ ଅବଗତ କରିଛନ୍ତି ।ଆଜି ସର୍ବୋଚ୍ଚ କୋର୍ଟରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଡି.ୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଚାହିଁଥିଲେ । ଏହି ଆବେଦନ ସିଦ୍ଧାର୍ଥ ଶଙ୍କର ଶର୍ମାଙ୍କ ଦ୍ୱାରା କରାଯାଇଥିବା ବେଳେ ଦେଶର କିଛି ସ୍ଥାନରେ ଟୀକାକରଣରେ କୋୱିନ ଆପରେ ପଞ୍ଜୀକରଣ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଥିବା ଦର୍ଶାଯାଇଥିଲା ।
ସର୍ବୋଚ୍ଚ କୋର୍ଟ ଗତବର୍ଷ (୨୦୨୧) ଅକ୍ଟୋବର ୧ ତାରିଖରେ କେନ୍ଦ୍ରକୁ ସବିଶେଷ ଉତର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଉତର ରଖିଛି । ଉତରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, କୌଣସି ଟୀକାକରଣ କେନ୍ଦ୍ରରେ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇ ନାହିଁ ।ବର୍ତମାନ ସୁଦ୍ଧା ଦେଶରେ ପ୍ରାୟ ୮୭ ଲକ୍ଷ ଲୋକ ଆଧାର କାର୍ଡ ବିନା ମଧ୍ୟ ପଞ୍ଜୀକରଣ କରି ଟିକା ଗ୍ରହଣ କରିସାରିଛନ୍ତି । ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ମହାରାଷ୍ଟ୍ର ସରକାରଙ୍କୁ ଚିଠି ଲେଖି ରାଜ୍ୟରେ ଟୀକାକରଣରେ ଅଂଶ ଗ୍ରହଣ କରିଥିବା କିଛି ଘରୋଇ ହସ୍ପିଟାଲ ଆଧାର କାର୍ଡ ବାଧ୍ୟତାମୂଳକ ଦାବି କରୁଥିଲେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
