ବାଲେଶ୍ୱରରେ ବୁଲିବ ଭୋଟର ସଚେତନତା ରଥ
ବାଲେଶ୍ୱର : ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ସଂଯୋଗ କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ନାଗରିକଙ୍କୁ ଅନୁରୋଧ କରିଛନ୍ତି । ଏଥିପାଇଁ ସମସ୍ତ ନାଗରିକ ପ୍ରଥମେ ଏହି ସଂଯୋଗୀକରଣର ଆବଶ୍ୟକତା ବିଷୟରେ ସଚେତନ ହେବା ଜରୁରୀ । ଏହି କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ସୋମବାର ବାଲେଶ୍ୱର ଜିଲା ସଦର ମହକୁମା ସ୍ଥିତ ସର୍କିଟ ହାଉସ ଠାରେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ଏବଂ ବାଲେଶ୍ୱର ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ପତାକା ହଲାଇ ଏକ ଭୋଟର ସଚେତନତା ରଥ ପରିଭ୍ରମଣର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଉପଜିଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ ଓ ଅନ୍ୟ ଜିଲାସ୍ତରୀୟ ଅଧିକାରୀଙ୍କ ସହ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ପ୍ରକାଶ ଥାଉକି ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ସଂଯୋଗ କରିବା ନିତାନ୍ତ ଜରୁରୀ । ଦେଖାଯାଇଛି ଅନେକ ଭୋଟରଙ୍କର ଏକାଧିକ ସ୍ଥାନରେ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ ଥିବାରୁ କିଛି ଭୋଟରଙ୍କର ନାମ ତାଲିକାରୁ ସମ୍ପୂର୍ଣ୍ଣ ବାଦ୍ ପଡ଼ିଯାଉଛି । ଯଦ୍ୱାରା ସେମାନେ ଭୋଟଦାନ ଅଧିକାରରୁ ବଞ୍ôଚତ ହେଉଛନ୍ତି ଏବଂ ଏକ ସମ୍ପୂର୍ଣ୍ଣ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତିରେ ବାଧା ଉପୁଜୁଛି । ଏହି ସମସ୍ୟାର ସମାଧାନ କରି ଏକ ସମ୍ପୂର୍ଣ୍ଣ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବା ନିମନ୍ତେ ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ସଂଯୋଗ କରିବା ଜରୁରୀ ହୋଇପଡ଼ିଛି । ଏଥିପାଇଁ ଭୋଟର ସଚେତନତା ରଥ ପ୍ରତ୍ୟେକ ଜନସମାଗମ ସ୍ଥାନ ଯଥା ହାଟ, ବଜାର, ମେଳା ଆଦି ସ୍ଥାନରେ ରହି ଭୋଟରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ । ଭୋଟର ମାନେ ଭୋଟର ହେଲ୍ପଲାଇନ ଆପ ଡାଉନ୍ ଲୋଡ୍ କରି ତା’ ମାଧ୍ୟମରେ କିମ୍ବା ବିଏଲ୍ଓଙ୍କ ଜରିଆରେ ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ସଂଯୋଗ କରିପାରିବେ । ଏହି କାର୍ଯ୍ୟକ୍ରମ ସାରା ରାଜ୍ୟରେ ୩ ମାସ ଧରି ଚାଲିବାକୁ ଥିବାବେଳେ ବାଲେଶ୍ୱର ଜିଲାରେ ଦୁଇଟି ରଥ ମାଧ୍ୟମରେ ୧୨ଟି ବ୍ଲକର ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ସଚେତନତା ସୃଷ୍ଟି କରାଯିବ ।
