ଓଡିଆ ସଂସ୍କୃତି ଓ ପରମ୍ପରାର ନିଆରା ପର୍ବ ପ୍ରଥମାଷ୍ଟମୀ
ଓଡିଆଙ୍କ ପର୍ବ ପର୍ବାଣୀ ସବୁଠୁ ନିଆରା । ଏଠି ବାରମାସରେ ତେରପର୍ବ ପାଳନ କରାଯାଏ । ପ୍ରତ୍ୟେକ ପର୍ବପର୍ବାଣିର ଏକ ନିଜସ୍ୱ ସ୍ୱତନ୍ତ୍ରତା ରହିଛି । ଉତ୍କଳୀୟ ପର୍ବପର୍ବାଣି ସାଧାରଣତଃ ଧର୍ମ ଓ ପୌରାଣିକ ଉପାଖ୍ୟାନର ଭିତ୍ତି ଉପରେ ପ୍ରତିଷ୍ଠିତ । ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ ପ୍ରଥମାଷ୍ଟମୀ, ଓଡ଼ିଶାର ଏକ ପାରମ୍ପରିକ ପର୍ବ ।
ପ୍ରଥମାଷ୍ଟମୀ (ଅଥବା ପଢୁଆଁଷ୍ଟମୀ, ପୋଢୁଆଁଷ୍ଟମୀ) ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ । ଏହା ଓଡ଼ିଶାର ଏକ ପାରମ୍ପରିକ ପର୍ବ । ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟେ ନାମିତ । ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଅଛି । ଏ ଦିନ ବଂଶର ପ୍ରଥମ ଜାତ ସନ୍ତାନ (ପୁଅ ବା ଝିଅ)ଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏ ।
ପ୍ରଥମାଷ୍ଟମୀ ଦିନ ଘରର ବଡ ଅର୍ଥାତ ବଂଶର ବଡ଼ ପୁଅଝିଅ ମାନେ ପୋଢ଼ୁଆଁ ହୋଇଥାନ୍ତି । ମାମୁଁ ଘର ତରଫରୁ ବଡ଼ ଭଣଜା ଭାଣିଜୀଙ୍କୁ ପୋଢୁଆଁ କରିବାର ପରମ୍ପରା ରହି ଆସିଛି । ମାମୁଁଙ୍କ ତରଫରୁ ମିଳିଥିବା ନୂଆ ପୋଷାକ ପରିଧାନ କରି ବନ୍ଦାପନା ହୋଇଥାନ୍ତି ଭଣଜା ଭାଣିଜୀମାନେ । ଜ୍ୟେଷ୍ଠ ସନ୍ତାନମାନଙ୍କର ସୁଖ ସମୃଦ୍ଧି କାମନା କରିବା ସହ ଦୀର୍ଘଜୀବନ କାମନା କରିବା ପାଇଁ ପାଳନ ହୋଇଥାଏ ପୂଜାବିଧି । ନୂଆବସ୍ତ୍ର ପରିଧାନ କରିସାରିବା ପରେ ଏକ ଭକ୍ତିମୟ ପରିବେଶରେ ଈଶ୍ୱରଙ୍କ ଆଶିଷ କାମନା କରି ବନ୍ଦାପନା କରାଯାଇଥାଏ । ଘରର ମାଆମାନେ ଏହି ପୂଜାବିଧି କରିଥାନ୍ତି ।
ପ୍ରଥମାଷ୍ଟମୀର ଅନ୍ୟ ନାମ ‘ସୌଭାଗିନୀ ଅଷ୍ଟମୀ’ । ପୂର୍ବେ ଏହିଦିନ ସୌଭାଗିନୀ ଦେବୀଙ୍କର ପୂଜା ସମ୍ଭବତଃ ପ୍ରଚଳିତ ଥିଲା । କୃଷକ ସନ୍ତାନ ଲାଭ କରିଛି ଏବଂ ଶସ୍ୟ ମଧ୍ୟ ପାଇଛି କିମ୍ବା ଶସ୍ୟ ରୂପକ ସନ୍ତାନ ମଧ୍ୟ ସେ ଲାଭ କରିଛି- ଏହା ଅତ୍ୟନ୍ତ ସୌଭାଗ୍ୟର କଥା । କୃଷକର ମନ ଏଥିଲାଗି ଆନନ୍ଦିତ ଓ ଉଲ୍ଲସିତ । ସେ ଅତି ଆନନ୍ଦରେ ଏହି ତିଥିକୁ ସୌଭାଗିନୀ ଅଷ୍ଟମୀ ରୂପେ ପାଳି ଆସିଛି । ଏହି ପ୍ରଥମାଷ୍ଟମୀକୁ ‘କାଳ ଭୈରବାଷ୍ଟମୀ’ ମଧ୍ୟ କୁହାଯାଏ । ଏହିଦିନ କାଳ ଭୈରବଙ୍କର ବ୍ରତ ଓ ପୂଜାର ପ୍ରଚଳନ ଥିଲା । ଏବେ ଏହିପୂଜା ଲୁପ୍ତ । ସ୍କନ୍ଧ ପୁରାଣର କୋଶୀଖଣ୍ଡରେ ଉଲ୍ଲେଖ ଅଛି, ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ କାଳଭୈରବୀଙ୍କ ନିକଟରେ ବ୍ରତ, ଉପବାସ ଓ ଜାଗରଣ ଆଦି ସମ୍ପାଦନ କଲେ ପ୍ରାଣୀମାନେ ସର୍ବପାପରୁ ମୁକ୍ତ ହୁଅନ୍ତି ।
ତନ୍ତ୍ରସାଧକମାନଙ୍କ ସାଧନା ସମୟରେ ଯେଉଁ ଉଲ୍ଲେଖ ତନ୍ତ୍ର ପରମ୍ପରାରେ ରହିଛି, ସେଥି ମଧ୍ୟରେ ଏହି ପ୍ରଥମାଷ୍ଟମୀର ରାତ୍ରି ବିଶେଷ ଉଲ୍ଲେଖନୀୟ । ତାନ୍ତ୍ରିକ ଭାଷାରେ ଏହାର ନାମ ‘ଘୋରରାତ୍ର’ I ନବଦୁର୍ଗାଙ୍କ ମଧ୍ୟରୁ କାଳରାତ୍ରି ଅନ୍ୟତମା । ଆଦ୍ୟାଶକ୍ତି କାଳରାତ୍ରି ରୂପେ ଏହିଦିନ ଅବତୀର୍ଣ୍ଣା ହୋଇଥିଲେ । ତନ୍ତ୍ର ସମ୍ବନ୍ଧୀୟ ବିଭିନ୍ନ ଶାସ୍ତ୍ରରେ ଏହି ବିଷୟରେ ଉଲ୍ଲେଖ ଅଛି । ଅତୀତରେ ବହୁ ସ୍ଥାନରେ ଭୈରବ ଓ ଭୈରବୀଙ୍କୁ ପୂଜା କରାଯାଉଥିଲା ।
ସେହିପରି ଏହି ଦିନ ପ୍ରତ୍ୟକଙ୍କ ଘରେ ଏଣ୍ଡୁରି ପିଠା ପ୍ରସ୍ତୁତ ହୋଇଥାଏ । ହଳଦି ପତ୍ରରେ ପ୍ରସ୍ତୁତ ଏହି ଏଣ୍ଡୁରୀ ପିଠା ଭୋଗ ହୋଇଥାଏ । ଏବଂ ଏହାକୁ ଘରର ଜ୍ୟଷ୍ଠମାନେ ପ୍ରଥମେ ଖାଇଥାନ୍ତି । ଏହି ଦିନ କେବଳ ପ୍ରତ୍ୟକ ଘରେ ଏଣ୍ଡୁରି ପିଠା ହୋଇଥାଏ । ଏଣ୍ଡୁରୀ ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ । ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ହୋଇଥାଏ । ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏନାହିଁ । କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର ହୋଇଥାଏ । ଏହା ସ୍ବାସ୍ଥ୍ୟ ପାଇଁ ବେଶ ହିତକର ସାବ୍ୟସ୍ତ ହୋଇଛି। କାହିଁକିନା ଏହା ସିଝା ପିଠା । ଏଥିରେ କୌଣସି ତେଲ ବ୍ୟବହାର ହୋଇ ନ ଥାଏ । ଏହା ଶସ୍ୟ ଏବଂ ଡାଲିର ଏକ ମିଶ୍ରଣ । ଯେଉଁଥିରେ ପ୍ରଚୁର ପରିମାଣର ପ୍ରୋଟିନ୍ ଥାଏ। ଏହା ଏକ ପ୍ରୋବାୟୋଟିକ୍ ଖାଦ୍ୟ, ଯାହା ଆମ ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ଭଲ ।ଏହା ସାଧାରଣ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ।ଏଥିରେ ପ୍ରୋବୋଟିକ୍ସ, ମିନେରାଲ୍ସ ଏବଂ ଭିଟାମିନ୍ ଭରପୂର ପରିମାଣରେ ଥାଏ ।
ସେହିପରି, ପ୍ରଥମାଷ୍ଟମୀ ଦିନ ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କର ମାମୁଁଘର ଯାତ୍ରା ହୋଇଥାଏ । ଲିଙ୍ଗରାଜ ମହାପ୍ରଭୁ ଏହିଦିନ ତାଙ୍କ ମାମୁଁଘର ରୂପେ ପରିଚିତ କପାଳିମଠ (ଲିଙ୍ଗରାଜ ମନ୍ଦିର ସଂଲଗ୍ନ)କୁ ଯାଆନ୍ତି ପଢୁଆଁ ହେବା ପାଇଁ । ଏହିମଠର ଆରାଧ୍ୟ ଦେବତା ‘ବରୁଣେଶ୍ୱର’ ଓ ‘ବନଦେବ’ । ଏ ଦୁହେଁ ଲିଙ୍ଗରାଜଙ୍କର ମାମୁଁ- ମାଇଁ ରୂପେ ପ୍ରଖ୍ୟାତ । ଏହି ମଠ ହତାରେ ଗୋଟିଏ ପୁଷ୍କରିଣୀ ରହିଛି । ତାହା ପାପନାଶିନୀ ରୂପେ ପରିଚିତ । ‘ପ୍ରଥମାଷ୍ଟମୀ ଦିନ ଏହି ପୁଷ୍କରିଣୀର ଜଳ ପାନକଲେ ପାପକ୍ଷୟ ହୁଏ ଓ ବନ୍ଧ୍ୟାନାରୀ ସନ୍ତାନବତୀ ହୁଅନ୍ତି ’ ବୋଲି ପ୍ରବାଦ ଅଛି ।
