ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ୪ ସାଙ୍ଗଙ୍କ ଉପରେ ମାଡ଼ିଗଲା ଟ୍ରକ : ଜଣେ ମୃତ, ଜଣେ ଗୁରୁତର
ବଲାଙ୍ଗୀର : ଅଜଣା ଟ୍ରକ ଧକ୍କାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ସିକ୍ୟୁରିଟି ଗାର୍ଡ ହିଂମାଶୁ ସେଠଙ୍କ ମୃତ୍ୟୁ । ସେ ନିଜର ଜଣେ ସାଙ୍ଗ ବାହାଘରରେ ସାମିଲ ହୋଇ ବରଯାତ୍ରୀ ଭାବେ ସଦରଥାନା ବିଡିଘାଟ ଗାଁକୁ ଯାଇଥିଲେ । ଭୋଜିଭାତ ଖାଇବା ପରେ ଅନ୍ୟ ୩ ଜଣ ସାଙ୍ଗଙ୍କ ସହିତ ବିଡିଘାଟ ଛକଠାରେ ଛିଡ଼ା ହୋଇଥିଲେ ହିଂମାଶୁ । ଏହି ସମୟରେ ଏକ ଅଜଣା ଟ୍ରକ ଦ୍ରୁତ ଗତିରେ ଆସି ସେମାନଙ୍କ ଉପରେ ମାଡି ଯାଇ ଫେରାର ହୋଇଯାଇଥିଲା। ଏଥିରେ ହିଂମାଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ସାଙ୍ଗ ଗୁରୁତର ହୋଇଛନ୍ତି ।
ସୂଚନା ଯେ, ଗୁରୁବାର ରାତି ପ୍ରାୟ ୧୨ ଟାରେ ଏକ ଅଜଣା ଟ୍ରକ ସେମାନଙ୍କ ଉପରେ ମାଡି ଯାଇଥିଲା । ଟ୍ରକ ଚାପାରେ ହିଂମାଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ସାଙ୍ଗଙ୍କ ହାତ ଭାଙ୍ଗି ଯାଇଥିଲା। ଅନ୍ୟ ଦୁଇଜଣ ସାଙ୍ଗ ଅଳ୍ପକେ ବର୍ତ୍ତଯାଇଥିଲେ। ଗୁରୁତର ପ୍ରଶାନ୍ତ ନାଗଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି।ଦେଓଗାଁ ଥାନା ପୁଲିସ ଶବକୁ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ସେପଟେ ମୃତକଙ୍କ ପରିବାର ଲୋକେ, ଟ୍ରକ ଡ୍ରାଇଭରକୁ ଗିରଫ କରିବା ଦାବିରେ ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମୃତ ହିଂମାଶୁ ନୂଆ ବାହା ହୋଇଥିବା ବେଳେ, ସେ ବାପା ମାଙ୍କର ଏକମାତ୍ର ପୁତ୍ର। ରୋଜଗାରିଆ ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି ବାପା,ମା। ସେପଟେ ପୁଲିସ ଫେରାର ଥିବା ଟ୍ରକ ଓ ଡ୍ରାଇଭରକୁ କାବୁ କରିବା ପାଇଁ ପ୍ରୟାସ ଜାରି ରଖିଛି।
