୫୦ତମ ଜନ୍ମଦିନ ଉପଲକ୍ଷେ ବିଶେଷ ଉପହାର ! ୱାନଖେଡ଼େ ଷ୍ଟାଡିୟମରେ ସ୍ଥାପନ ହେବ ସଚିନଙ୍କ ପ୍ରତିମୂର୍ତ୍ତି
ମୁମ୍ବାଇ: ୱାନଖେଡ଼େ ଷ୍ଟାଡିୟମରେ ସ୍ଥାପନ ହେବ ସଚିନଙ୍କ ପ୍ରତିମୂର୍ତ୍ତି । ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ସଚିନଙ୍କ ଅବସରର ୧୦ବର୍ଷ ପରେ ତାଙ୍କୁ ଏହି ବିଶେଷ ସମ୍ମାନ ମିଳୁଛି ।
କ୍ରିକେଟର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକରଙ୍କୁ ତାଙ୍କ ୫୦ତମ ଜନ୍ମଦିନ ଉପଲକ୍ଷେ ଏକ ବିଶେଷ ଉପହାର ମିଳିବାକୁ ଯାଉଛି। ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ସଚିନ୍ ଏହି ଗ୍ରାଉଣ୍ଡରେ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ୍ ଖେଳିଥିଲେ ଏବଂ ଏଠାରେ ସେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ। ଏପ୍ରିଲ ୨୩ ସଚିନଙ୍କ ୫୦ତମ ଜନ୍ମଦିନ ଅବସରରେ କିମ୍ବା ଚଳିତ ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ବକପ୍ ସମୟରେ ଏହି ପ୍ରତିମୂର୍ତ୍ତି ଅନାବରଣ ହୋଇପାରେ। ପ୍ରତିମୂର୍ତ୍ତି କେଉଁଠାରେ ସ୍ଥାପନ କରାଯିବ ସେ ନିଷ୍ପତ୍ତି ସଚିନ୍ ନିଜେ ନେଇଛନ୍ତି। ଏଥିପାଇଁ ସେ ତାଙ୍କ ପତ୍ନୀ ଅଞ୍ଜଳୀଙ୍କ ସହ ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମରେ ପହଞ୍ଚିଥିଲେ। ଏହି ସମୟରେ ମୁମ୍ବାଇ କ୍ରିକେଟ୍ ଆସୋସିଏସନର ସଭାପତି ଅମୋଲ କାଲେ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ଥିଲେ।
ସଚିନ ତାଙ୍କ ପ୍ରତିମୂର୍ତ୍ତି ବିଷୟରେ କହିଛନ୍ତି, ଏହା ତାଙ୍କ ପାଇଁ ଏକ ସୁନ୍ଦର ଉପହାର। ଏହି ବିଷୟରେ ତାଙ୍କର କୌଣସି ଧାରଣା ନଥିଲା ଏବଂ ସେ ମୂର୍ତ୍ତି ବିଷୟରେ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ସଚିନ କହିଛନ୍ତି ଯେ, ତାଙ୍କ କ୍ୟାରିୟର ଏହି ମୈଦାନରୁ ଆରମ୍ଭ ହୋଇଥିଲା ଏବଂ ତାଙ୍କୁ ଅନେକ ଅବିସ୍ମରଣୀୟ ସ୍ମୃତି ମିଳିଥିଲା। ତାଙ୍କ କ୍ୟାରିୟରର ସବୁଠାରୁ ଖୁସିର ମୁହୂର୍ତ୍ତ ୨୦୧୧ରେ ଆସିଥିଲା, ଯେତେବେଳେ ଟିମ୍ ଇଣ୍ଡିଆ ବିଶ୍ୱକପ୍ ଜିତିଥିଲା। ସଚିନ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ପ୍ରଶିକ୍ଷକ ରମାକାନ୍ତ ଆଚ୍ରେକର ଏହି ଗ୍ରାଉଣ୍ଡରେ ତାଙ୍କ ମନରେ କ୍ରିକେଟ୍ ପ୍ରତି ଏକ ଭିନ୍ନ ଆଗ୍ରହ ସୃଷ୍ଟି କରିଥିଲେ ଏବଂ ସେ ଏହି ଖେଳରେ କ୍ୟାରିୟର କରିବାକୁ ସ୍ଥିର କରିଥିଲେ। ଏହି କାରଣରୁ ଏହି ମୈଦାନ ତାଙ୍କ ପାଇଁ ବହୁତ ଖାସ୍ ଓ ଏଠାରେ ପ୍ରତିମୂର୍ତ୍ତି ରହିବା ଏକ ବଡ଼ କଥା। ଏଠାରେ
ସୂଚନା ଯେ, ୱାନଖେଡ଼େ ଷ୍ଟାଡିୟମରେ ପ୍ରଥମ ଥର ପାଇଁ କୌଣସି ଖେଳାଳିଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଛି ସଚିନଙ୍କ ପ୍ରତିମୂର୍ତ୍ତି କ୍ଲବ ଘର ସାମ୍ନାରେ ସ୍ଥାପନ କରାଯିବ। ସ୍ଥାନଟି ଅତ୍ୟନ୍ତ ପରିଷ୍କାର ଏବଂ ଲୋକମାନେ ମ୍ୟାଚ୍ ଦେଖିବା ପାଇଁ ଯିବା ଆସିବା କରିବା ବେଳେ ପ୍ରତିମୂର୍ତ୍ତି ପାଖ ଦେଇ ଯିବେ। ଏହି କାରଣରୁ ଏହାକୁ କ୍ଲବ ଘର ସମ୍ମୁଖରେ ସ୍ଥାପନ କରାଯିବ।
