କେନ୍ଦୁଝର ରେ ଜିଲ୍ଲାପରିଷଦର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ
କେନ୍ଦୁଝର : ଷଷ୍ଠ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ଅଧିବେଶନ ଚଳିତ ଡିସେମ୍ବର ୧୬ ତାରିଖ ଶୁକ୍ରବାର ଦିନ ଜିଲ୍ଲାପରିଷଦ ସଭାପତି ଶ୍ରୀମତୀ ସାଗରିକା ସାହୁଙ୍କ ଅଧ୍ୟକ୍ଷତାରେ ଦରବାର ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଜଗନ୍ନାଥ ନାଏକ, ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ, ଜିଲ୍ଲାପାଳ ଆଶିଷ ଠାକରେ, ବନଖଣ୍ଡ ଅଧିକାରୀ କେନ୍ଦୁଝର ଧନରାଜ ଏଚ୍.ଡି, ଆନନ୍ଦପୁର ବନଖଣ୍ଡ ଅଧିକାରୀ ଆନନ୍ଦପୁର ଅଭୟ କୁମାର ଦଳେଇ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟଙ୍କ ସମେତ ଜିଲ୍ଲାପରିଷଦର ସଦସ୍ୟ/ସଦସ୍ୟା ତଥା ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଅଧିବେଶନରେ ଉଦ୍ବୋଧନ ଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାହୁୁ ସ୍ୱତନ୍ତ୍ର ଅଧିବେଶନର ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ ଆଲୋଚନା ଆରମ୍ଭ କରିଥିଲେ । ଏହି ଅଧିବେଶନର ବିଶେଷତଃ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ ନିମନ୍ତେ ଧାର୍ଯ୍ୟ କରାଯାଇଥିବା ୯ ଗୋଟି ବିଷୟ ଉପରେ ଆଲୋଚନା ହୋଇଥିଲା । ଏଥିରେ ପଂଚାୟତିରାଜ ଉନ୍ନୟନ ଯୋଜନା-୨୦୨୩-୨୪ ବର୍ଷ ପାଇଁ ଯୋଜନା ପ୍ରସ୍ତୁତି ନିମନ୍ତେ ସଦସ୍ୟମାନଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଂଚାୟତିରାଜ ଅନୁଷ୍ଠାନର ପ୍ରତିନିଧିମାନଙ୍କର ଭୂମିକା ସଂପର୍କରେ ଆଲୋଚନା କରାଯାଇଥିଲା । ଏତଦ୍ବ୍ୟତୀତ ବିଭିନ୍ନ ଲାଇନ୍ ଡିପାର୍ଟମେଂଟ୍ର ଅଧିକାରୀମାନେ କିପରି ପଂଚାୟତିରାଜ ଉନ୍ନୟନ ଯୋଜନାର ସଫଳ ରୂପାୟନ ପାଇଁ ଭୂମିକା ନିଭାଇବେ ସେ ସଂପର୍କରେ ଅବଗତ କରାଯାଇଥିଲା ।
