ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍
ପୁରୀ : ମାଡ଼ି ଆସୁଛି ବାତ୍ୟା ଜଓ୍ୱାଦ। ଘଣ୍ଟା ପ୍ରତି ୪ କି.ମି. ବେଗରେ ବାତ୍ୟା ଜଓ୍ୱାଦ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି। ଆଗାମୀ ୧୨ ଘଣ୍ଟା ଯାଏ ଏହା ଉତ୍ତର ଦିଗରେ ଗତି କରିବ। ପରେ ଉତ୍ତର, ଉତ୍ତର-ପୂର୍ବ ଦିଗକୁ ଗତି ପରିବର୍ତ୍ତନ କରିବ। ଏହାପରେ ଗତି ପରିବର୍ତ୍ତନ କରି ପୁରୀ ଉପକୂଳ ଛୁଇଁବା ବେଳକୁ ଗଭୀର ଅବପାତରେ ପରିଣତ ହେବ । ଗଭୀର ଅବପାତ ବେଳେ ପବନର ବେଗ ସର୍ବାଧିକ ୭୫ କିମି ରହିବ। ବାତ୍ୟାକୁ ନେଇ ଉପକୂଳ ଜିଲାରେ ସତର୍କ ବ୍ୟବସ୍ଥା ଅବଲମ୍ବନ କରାଯାଇଛି । ଗଞ୍ଜାମ, ପୁରୀ, ଜଗତସିଂହପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ସମୁଦ୍ରକୂଳରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଲୋକଙ୍କୁ ଅନ୍ଯତ୍ର ସ୍ଥାନାନ୍ତର କରାଯାଇଛି। ସମୁଦ୍ରର ସ୍ଥିତି ଓ ସ୍ବାଭାବିକ ଉପରେ କଡ଼ା ନଜର ରଖାଯାଇଛି। ପୁରୀ ବିଚ୍ରୁ ଲୋକଙ୍କୁ ଖାଲି କରାଯାଇଛି । ଯେପରି କୌଣସି ପଯର୍ୟଟକଙ୍କ କ୍ଷୟକ୍ଷତି ହେବନି ସେ ଦିଗରେ ଧ୍ଯାନ ରଖାଯାଇଛି। ଆଜି ସକାଳୁ କିଛି ପଯର୍ୟଟକ ସମୁଦ୍ରକୂଳକୁ ଆସିଥିଲେ ତେବେ ପୋଲିସ୍ ପକ୍ଷରୁ ପଯର୍ୟଟକଙ୍କୁ ସେହି ସ୍ଥାନ ଛାଡ଼ିବାକୁ କୁହାଯାଇଛି। ପୁରୀ ବେଳାଭୂମିରେ ପ୍ରଶାସନ ପକ୍ଷରୁ ଲଗାଯାଇଛି ରେଡ୍ ଫ୍ଲାଗ୍।
ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ୪ଟି ବନ୍ଦର ପାଇଁ ବିପଦ ସଙ୍କେତ ଜାରି କରାଯାଇଛି। ପୁରୀ ଓ ଗୋପାଳପୁର ବନ୍ଦର ପାଇଁ ୭ ନଂ ବିପଦ ସଙ୍କେତ ଜାରି କରାଯାଇଥିବା ବେଳେ ପାରାଦୀପ ଓ ଧାମରା ବନ୍ଦର ପାଇଁ ୪ ନଂ ବିପଦ ସଙ୍କେତ ଜାରି କରାଯାଇଛି। ସେହିପରି ପୁରୀ ବେଳାଭୂମିରେ ପ୍ରଶାସନ ପକ୍ଷରୁ ରେଡ୍ ଫ୍ଲାଗ୍ ଲଗାଯାଇଛି। ବେଳାଭୂମିକୁ ଜନସାଧାରଣ ବାରଣ ଲାଗି ଏହି ରେଡ୍ ଫ୍ଲାଗ୍ ଲଗାଯାଇଥିବା ଜଣାଯାଇଛି। ଦିଗବାରେଣୀ ଖୁଣ୍ଟ ଠାରୁ ଲାଇଟ୍ ହାଉସ୍ ବେଳାଭୂମି ଯାଏଁ ରେଡ୍ ଫ୍ଲାଗ ଲଗାଯାଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ବାତ୍ୟା ଜଓ୍ୱାଦ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାଠାରୁ ଦକ୍ଷିଣପୂର୍ବକୁ ୨୩୦ କଲୋମିଟର ଦୂରରେ ରହିଛି । ସେହିପରି ଗୋପାଳପୁରଠାରୁ ଦକ୍ଷିଣରେ ୩୪୦ କିଲୋମିଟର ଓ ପୁରୀଠାରୁ ଏହା ୪୧୦ କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ରହିଛି। ପାରାଦୀପଠାରୁ ଏହା ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୪୯୦ କିମି ଦୂରରେ ରହିଛି।
