ହୃଦଘାତରେ ଆଖି ବୁଝିଲେ ରାଜନେତା ରାଜେନ୍ଦ୍ର
ଖଇରା : ବାଲେଶ୍ବର ଜିଲା ଖଇରା ବ୍ଲକର ଜଣେ ରାଜନେତା ଭାବେ ରାଜେନ୍ଦ୍ର ପ୍ରସାଦ ଜେନା(୫୫) ବୁଧବାର ରାତିରେ ହୃଦଘାତରେ ପ୍ରାଣ ହରାଇଛନ୍ତି । ଗରସଙ୍ଗ ଗ୍ରାମର ରାଜେନ୍ଦ୍ରଙ୍କ ରାଜନୈତିକ ଗୁରୁ ତଥା ପୁର୍ବତନ ଏମ୍ପି ଅନନ୍ତ ପ୍ରସାଦ ସେଠୀଙ୍କ ହାତଧରି ୧୯୯୭ ରେ ରାଜନୈତିକ ମୈଦାନକୁ ଓହ୍ଲାଇଥିଲେ । ଏବଂ ପ୍ରଥମ କରି ୧୯୯୭ ରେ ସେହି ପଞ୍ଚାୟତରେ ସରପଞ୍ଚ ଭାବେ ବିଜୟୀ ହୋଇଥିଲେ । ୧୯୯୭ ରୁ ୨୦୨୨ ପର୍ଯ୍ୟନ୍ତ ସେ ୨ଥର ସରପଞ୍ଚ, ୨ଥର ସମିତି ସଭ୍ୟ ଓ ଥରେ ଜିଲା ପରିଷଦ ସଭ୍ୟ ଭାବେ ବିଜୟୀ ହୋଇଥିଲେ । ଏହାଛଡା ଗର୍ସଙ୍ଗସ୍ଥିତ ଜମ୍ବେଶ୍ବର ମହାବିଦ୍ୟାଳୟରେ ପରିଚାଳନା ବୋର୍ଡ ସଭାପତି, ଜିଲା କଂଗ୍ରେସ କମିଟି ରେ ଉପସଭାପତି ଦାୟିତ୍ବରେ ରହି ବିଶ୍ବାସ ଭାଜନ ହୋଇ ପାରିଥିଲେ ।
ଗୁରୁବାର ତାଙ୍କ ମୃତ ଶରୀର ଏକ ଶୋଭାଯାତ୍ରାରେ ଜମ୍ବେଶ୍ବର କଲେଜ ଓ ଗର୍ସଙ୍ଗ ବଜାର ପରିକ୍ରମା କରିବା ସମୟରେ ବଜାର ଲୋକାରଣ୍ୟ ପାଲଟିଥିଲା । ଯୁବ ନେତା ନିଳମାଧବ ପଣ୍ଡା,ବର୍ଷିଆନ ରାଜନେତା ଶରତ ଦାସ ଓ ବିଷ୍ଣୁପଦ ଘଡେଇ, ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ସ୍ଥାନୀୟ ସରପଞ୍ଚ ରାଜେନ୍ଦ୍ର କୁମାର ଦାସ,ଭାଜପା ମଣ୍ଡଳ ସଭାପତି ପରିକ୍ଷିତ ମହାପାତ୍ର, କଂଗ୍ରେସ ଏମପି ପ୍ରାର୍ଥିନୀ ମଧୁମିତା ସେଠୀ, କୈଳାସ ମାଝୀ, ବନମାଳି ବିଶ୍ବାଳ, କୈଳାସ ବାରିକ, ସୁଶାନ୍ତ ମହାକୁଡ, ଜିଲା ପରିଷଦ ସଭ୍ୟା ସୁଷମା ମହାପାତ୍ର ଓ ପରିଷଦ ସଭ୍ୟ ଗଜେନ୍ଦ୍ର ପ୍ରସାଦ ଦାସଙ୍କ ସମେତ ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧି, ବିଭିନ୍ନ ଦଳର କର୍ମୀ ତାଙ୍କର ଶେଷ ଦର୍ଶନ କରିଥିଲେ ।
