‘ଭାରତର ସ୍ୱାଧୀନତା ସଂଗ୍ରାମ ଓ ଶ୍ରୀଅରବିନ୍ଦ’ ଶୀର୍ଷକ ଏକଦିବସୀୟ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର ସାହିତ୍ୟ ଘର ଆନୁକୂଲ୍ୟରେ ଶ୍ରୀଅରବିନ୍ଦଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ‘ଭାରତର ସ୍ୱାଧୀନତା ସଂଗ୍ରାମ ଓ ଶ୍ରୀଅରବିନ୍ଦ’ ଶୀର୍ଷକ ଏକଦିବସୀୟ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ବକ୍ତା କପିଳ ପ୍ରସାଦ ଦାସ, ଦୟାନିଧି ପାତ୍ର, ନିରଞ୍ଜନ ଖୁଣ୍ଟିଆ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବିଶ୍ୱମାନବୀୟ ଚେତନା ଜଗତରେ ଏକ ଦିବ୍ୟଜ୍ୟୋତିକ ଭାବନାର ଭୂୟୋବିକାଶରେ ଶ୍ରୀଅରବିନ୍ଦ କିପରି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେ ସମ୍ପର୍କରେ ଆଲୋଚନା କରିଥିଲେ ।
ମୁଖ୍ୟବକ୍ତା କପିଳପ୍ରସାଦ ଦାସ ପରାଧୀନ ଭାରତ ବର୍ଷରେ ଶ୍ରୀଅରବିନ୍ଦ କିପରି ବିଭିନ୍ନ ଦୃଷ୍ଟାନ୍ତ ମୂଳକ ଓ ଗଠନାତ୍ମକ ପଦକ୍ଷେପମାନ ଗ୍ରହଣ ପୂର୍ବକ ରାଷ୍ଟ୍ରର ଅପହୃତ ସ୍ୱାଧୀନତା ଫେରାଇ ଆଣିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ତାର ତଥ୍ୟ ଭିତ୍ତିକ ଅଭିବ୍ୟକ୍ତି ଉପସ୍ଥାପନ କରିଥିଲେ । ନୀରବତା ମାଧ୍ୟମରେ ଆତ୍ମର ତଥା ଚିନ୍ତାଚେତନାର ଉତ୍ତରଣ ଘଟେ ଏବଂ ହୃଦୟର ବିରାଟୀକରଣ ସାଧିତ ହୋଇଥାଏ । ଆତ୍ମଉପଲବ୍ଧି ତଥା ଆତ୍ମଶୁଦ୍ଧି ପ୍ରାପ୍ତ ହେଲେ ବ୍ୟକ୍ତି ଲକ୍ଷ୍ୟ ସ୍ଥଳରେ ଉପନୀତ ହେବା ସହଜସାଧ୍ୟ ହୋଇଥାଏ । ଶ୍ରୀଅରବିନ୍ଦ ଏହି ଧରଣ ଦିବ୍ୟଚେତନାର ମାର୍ଗଦର୍ଶନ ଦେଇ ଏକ ଶ୍ରେଷ୍ଠ ରାଷ୍ଟ୍ର ଗଠନର ମୀମାଂସା ପ୍ରସ୍ତୁତ କରିଛନ୍ତି ବୋଲି କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଜ ବକ୍ତବ୍ୟରେ ମତ ଦେଇଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ମୁନେଶ୍ ଚନ୍ଦ୍ର ଅଧିକାରୀ ଏହି ଆଲୋଚନା ଚକ୍ରର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । କୁଳସଚିବ କୁକୁମୀନା ଦାସ ଶ୍ରୀଅରବିନ୍ଦ ଶ୍ରେଷ୍ଠସ୍ତରୀୟ ସାଧନା କରି ଅସାଧାରଣସ୍ତରରେ ସଫଳତା ହାସଲ କରିଥିବା ଦିବ୍ୟାତ୍ମା ରୂପେ ସମଗ୍ର ବିଶ୍ୱରେ ନମସ୍ୟ ହୋଇପାରିଛନ୍ତି ବୋଲି ମତ ଦେଇଥିଲେ । ଏଥିରେ ଶ୍ରୀଅରବିନ୍ଦ ପାଠଚକ୍ର ବାଲେଶ୍ୱର ଜିଲା ସଂଘର ଶ୍ରୀଅରବିନ୍ଦ ଦର୍ଶନର ଅନୁଗାମୀ ଓ ଅନୁରାଗୀ ବର୍ଗ ଉପସ୍ଥିତ ରହି ମିଳିତ ଧ୍ୟାନ ଓ ପାଠଚକ୍ରରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସ୍ୱାଧୀନତା ସଂଗ୍ରାମ ଓ ଶ୍ରୀଅରବିନ୍ଦଙ୍କ ଭୂମିକା ସମ୍ବନ୍ଧିତ ଫଟୋଚିତ୍ର ପ୍ରଦର୍ଶନ କରାଯାଇ ମାତୃଭୂମି ପ୍ରତି ଦାୟବଦ୍ଧ ରହିବାର ବାର୍ତ୍ତା ପ୍ରଚାର କରାଯାଇଥିଲା । ଏଥି ସହିତ ପ୍ରଫେସର ମଣୀନ୍ଦ୍ର କୁମାର ମେହେରଙ୍କ ରଚିତ “ଜୀବନୀ ମୂଳକ ପ୍ରବନ୍ଧ” ବିଷୟକ ପୁସ୍ତକ ଲୋକାର୍ପିତ ହୋଇଥିଲା । ଏଥିରେ ଫକୀର ମୋହନ ସାହିତ୍ୟ ଘରର ସଂଯୋଜକ ଡ. ଦେବାଶିଷ ପାତ୍ର ଅତିଥି ପରିଚୟ ପ୍ରଦାନ ଓ ସଂଯୋଜନା କରିଥିବା ବେଳେ ଡ. ପ୍ରହ୍ଲାଦ ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ ।
