ପାରାଦ୍ୱୀପରେ ପ୍ରସ୍ତାବିତ ଜେଏସଡବ୍ଲୁ ପ୍ରକଳ୍ପ କାର୍ଯ୍ୟ ପାଇଁ ଆଜି ବସିବ ବୈଠକ
ଜଗତସିଂହପୁର : ପାରାଦ୍ୱୀପରେ ପ୍ରସ୍ତାବିତ ଜେଏସଡବ୍ଲୁ ପ୍ରକଳ୍ପ କାର୍ଯ୍ୟ ପାଇଁ ଆଜି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ବସିବ । ନୂତନ ଜିଲ୍ଲାପାଳ ପରୂଲ ପଟୱରୀ ପ୍ରଥମ ଥର ପାଇଁ ଜେଏସଡବ୍ଲୁ ପ୍ରକଳ୍ପ ହେଉଥିବା ଅଞ୍ଚଳ ବାସୀଙ୍କ ସହ ଆଲୋଚନା କରିବେ । ଏହି ବୈଠକରେ ସ୍ଥାନୀୟ ଲୋକମାନଙ୍କ ସହିତ ପ୍ରକଳ୍ପ ବାବଦରେ ଆଲୋଚନା କରାଯିବ ।
ସୂଚନା ଯେ, ଜେଏସଡବ୍ଲୁ ପ୍ରକଳ୍ପକୁ ନେଇ ଢ଼ିଙ୍କିଆ, ଗଡ଼ କୁଜଙ୍ଗ,ନୂଆଗାଁ, ଗୋବିନ୍ଦପୁର ଓ ମାହାଳ ଗାଁରେ ପ୍ରତିବାଦର ସ୍ବର ଉଠିଥିବା ବେଳେ ବର୍ତ୍ତମାନ ଢ଼ିଙ୍କିଆ ଅଞ୍ଚଳରେ ଅଧିକ ବିରୋଧ ଭାବ ଦେଖିବାକୁ ମିଳିଛି । ଜିନ୍ଦଲ ପ୍ରକଳ୍ପ ପାଇଁ କ୍ଷତିଗ୍ରସ୍ତ ସମସ୍ତ ଗାଁର ମୁରବି, ଜଙ୍ଗଲ କମିଟି ଓ ସାଧାରଣ ଲୋକଙ୍କୁ ନେଇ ପ୍ରତିଦିନ ଘନ ଘନ ବୈଠକ ବସୁଛି । ପ୍ରଶାସନ ପାଖରେ କେଉଁ ଦାବି ଗୁଡିକ ରଖାଯିବ ସେ ବାବଦରେ ଆଲୋଚନା କରାଯାଉଛି । ଅନ୍ୟପଟେ ପ୍ରକଳ୍ପକୁ ବିରୋଧ କରି ଆସୁଥିବା ଢ଼ିଙ୍କିଆ ଗାଁର ଲୋକମାନେ ଏହି ବୈଠକକୁ ବର୍ଜନ କରିବା ସହ ପ୍ରତିବାଦ ସଭା କରିବାକୁ ପ୍ରସ୍ତୁତ ହୋଇଥିବା ଜଣାଯାଇଛି ।ଜିନ୍ଦଲ ପ୍ରକଳ୍ପକୁ ନେଇ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଥିବା ବେଳେ ପ୍ରକଳ୍ପକୁ ସମର୍ଥନ କରୁଥିବା ଲୋକେ ଆଶାବାଦୀ ହୋଇ ଉଠିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ସହ ଏହି ଆଲୋଚନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
