ଚୁକ୍ତି ଖିଲାପ, ଗାଳିଗୁଲଜ ଓ ହତ୍ୟା ଧମକ ଦେଇ ଜଣେ ଗିରଫ
କଟକ : ମାସିକିଆ ଭଡା ଚୁକ୍ତିରେ ଗାଡି ନେଇ ଭଡା ନ ଦେଇ, ଗାଳିଗୁଲଜ କରି ହତ୍ୟା ଧମ ଦେବା ସହ ଗାଡି ନ ଫେରାଇବା ଅଭିଯୋଗରେ ଜଗତପୁର ଥାନା ପୋଲିସ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କାକୁଡିଆର ମୀନକେତନ ସାହୁ(୨୯) । ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ଭୁବନପୁରର ରେଣୁବାଳା ରାଉଳ ତାଙ୍କର ୩ଟି ୧୨ ଚକିଆ ଟ୍ରକକୁ ମାସିକ ଭଡା ସୂତ୍ରରେ ଚୁକ୍ତି ମାଧ୍ୟମରେ ମୀନକେତନ ଓ ତାଙ୍କ ବାପା ଭିକାରି ଚରଣ ସାହୁଙ୍କୁ ଦେଇଥିଲେ । ଚୁକ୍ତି ଅନୁଯାୟୀ ସେମାନେ ପ୍ରତ୍ୟେକ ଗାଡି ଭଡା ବାବଦକୁ ମାସିକ ୧୪ ହଜାର ଟଙ୍କା ମଙ୍କସର ୫ ତାରିଖ ମଧ୍ୟରେ ଦେବେ । ଫଳରେ ସେ ତାଙ୍କର ଗାଡି କିସ୍ତି ପୈଠ କରିପାରବେ ବୋଲି ଉଲ୍ଲେଖ ଥିଲା । ମୀନକେତନ ଓ ଭିକାରୀ ଅଗ୍ରୀମ ଦେଢ ଲକ୍ଷ ଟଙ୍କା ଦେଇଥିବା ବେଳେ ଆଉ ଭଡା ବାବଦ ଟଙ୍କା ନ ଦେବାରୁ ସେମାନଙ୍କୁ ସେ ବାରମ୍ବାର ମାଗିବା ସତ୍ୱେ ସେମାନେ ଭଡା ଦେଇନଥିଲେ କିମ୍ବା ଗାଡି ଫେରାଇନଥିଲେ । ଅପରପକ୍ଷେ ସେମାନେ ଗାଳିଗୁଲଜ କରି ହତ୍ୟା ଧମକ ଦେଇଥିଲେ । ପରେ ୨୭-୫-୨୧ରେ ୨ଟି ଟ୍ରକ ରେଣୁବାଳାଙ୍କ ସ୍ୱାମୀ ସଂଜୟଙ୍କ ମଙ୍ଗୁଳିରେ ଥିବା କାର୍ଯ୍ୟାଳୟ ସମ୍ମୁଖରେ ଥୋଇଦେଇଥିଲେ । ତୃତୀୟ ଟ୍ରକ ବିଷୟରେ କୈାଣସି ସୂଚନା ଦେଇନଥିଲେ । ଗତ ୧୮-୯-୨୨ରେ ରେଣୁବାଳା ଏନେଇ ଜଗତପୁର ଥାନାରେ ଅଭିଯୋଗ କରିଥିଲେ । ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା । ଗତକାଲି ମୀନକେତନଙ୍କୁ ମଙ୍ଗୁଳିରୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି ।
