ଅଞ୍ଚଳର ବିକାଶ ପାଇଁ ଔପଦା ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ଓ ମେଡ଼ିକାଲ କ୍ରିୟାନୁଷ୍ଠାନ କମିଟି ର ମିଳିତ ବୈଠକ
ଔପଦା : ଔପଦା ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ଓ ବାଲେଶ୍ୱର ମେଡିକାଲ କ୍ରିୟାନୁଷ୍ଠାନ କମିଟି ଔପଦା ଶାଖା ମିଳିତ ସମନ୍ୱୟରେ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ତଳକିଆ ପଞ୍ଚାୟତ ସେବା ଗୃହରେ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବରିଷ୍ଠ ନାଗରିକ ମଞ୍ଚର ସଭାପତି ଗୋପାଳ କିଶୋର ଦାସଙ୍କ ସଭାପତିତ୍ୱରେ ୬ଟି ପଞ୍ଚାୟତର ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ମହେନ୍ଦ୍ର ପ୍ରସାଦ ନାୟକ, କମିଟିର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରି ୧୧ ଗୋଟି ପଞ୍ଚାୟତକୁ ନେଇ ଔପଦା ବ୍ଲକ ଗଠିତ ହୋଇଥିବା ବେଳେ ୫ଟି ପଞ୍ଚାୟତର ଥାନା ଓ ତହସିଲ ନୀଳଗିରି ଥିବାରୁ ବ୍ଲକଟି ୨ ଭାଗରେ ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରେ ବିଭକ୍ତି ବୋଲି ଧରାଯାଏ । ବ୍ଲକ ସଦର ମହକୁମାରେ ୧୯୪୨ ମସିହାରୁ ଅଞ୍ଚଳବାସୀଙ୍କ ପାଇଁ ଡାକ୍ତରଖାନା ଖୋଲାଯାଇ ୮୦ ବର୍ଷ ବିତିଯାଇଥିଲେ ମଧ୍ୟ ବାରମ୍ବାର ଦାବି ପରେ ବି ପରିବର୍ତ୍ତନ ହୋଇପାରିନଥିବାରୁ ଅସନ୍ତୋଷର ନିଆଁ ମୁଣ୍ଡ ଟେକୁଛି । ଡାକ୍ତରଖାନାର ଜମି ବ୍ଲକ ନାମରେ ଥିବାରୁ ଜମିର ରେକର୍ଡ଼ ସଂଶୋଧନ ପାଇଁ ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଥିଲେ ବି ତାହା କାର୍ଯ୍ୟକାରୀ ହୋଇପାରିନଥିବାରୁ ବୈଠକରେ ଆଲୋଚନା ହୋଇଥିଲା । ସେହିପରି ୧୯୭୮ ମସିହାରୁ ଏଠାରେ କଲେଜ ଖୋଲାଯାଇଥିବା ବେଳେ ୪୪ବର୍ଷ ବିତିଯାଇଥିଲେ ବି ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଖୋଲାଯାଇ ପାରିନଥିବାରୁ ସରକାରଙ୍କ ନିର୍ଦ୍ଧାରିତ ନିୟମରେ ଔପଦା ସରକାରୀ ହାଇସ୍କୁଲରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲାଯାଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ସ୍ଥାନ ପାଉ ବୋଲି ମତ ପ୍ରକାଶ ପାଇଥିଲା । ସେହିପରି ୨୦୧୫ରୁ ଉଚ୍ଛେଦ ଔପଦା ବଜାର ପୁନରଗଠନ, କୋର୍ଟ ପ୍ରତିଷ୍ଠା, ବସ ଷ୍ଟାଣ୍ଡ, କଲ୍ୟାଣ ମଣ୍ଡପ ନିର୍ମାଣ ଓ ସବରେଜିଷ୍ଟର କାର୍ଯ୍ୟାଳୟ ଖୋଲିବା ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା । ଔପଦା ଅଞ୍ଚଳର ବଡ଼ପୋଖରୀ, ଫତେପୁର, ଔପଦା ଓ ଗଡ଼ସାହିରେ ଏଏନଏମ କେନ୍ଦ୍ର ଖୋଲିବା ପାଇଁ ସରକାରୀ ଟଙ୍କା ଦୀର୍ଘ ଦିନ ଧରି ଆସି ପଡ଼ି ରହିଥିଲେ ବି ଗଡ଼ସାହି ବ୍ୟତୀତ ଅନ୍ୟ ସ୍ଥାନରେ ଜମି ଚିହ୍ନଟ ହୋଇପାରିନଥିବାରୁ କେନ୍ଦ୍ର ନିର୍ମାଣରେ ସମସ୍ୟା ପାଇଁ ବୈଠକରେ ତୁରନ୍ତ ଜମି ଚିହ୍ନଟ କରାଯାଇ କେନ୍ଦ୍ର ନିର୍ମାଣ ପାଇଁ ଦାବି ହୋଇଥିଲା । ଅଞ୍ଚଳର ଏହି ସବୁ ବିକାଶ ପାଇଁ ମିଳିତ ସମନ୍ୱୟ କମିଟି ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବା ପାଇଁ ବୈଠକରେ ସର୍ବସମିତି କ୍ରମେ ପ୍ରସ୍ତାବ ଆଗତ କରାଯାଇଥିଲା । ବୈଠକରେ ଆଇନ୍ଜୀବୀ ଅଜୟ କୁମାର ପଟ୍ଟନାୟକ, ବରିଷ୍ଠ ନାଗରିକ ନିରଞ୍ଜନ ମହାନ୍ତି, ଅନ୍ତର୍ଜାମୀ ନାୟକ, ହରିହର ବେହେରା, ସନାତନ ସେଠୀ ପରି ୩୦ରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଓ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ ।
