ଚେତନା ସାହିତ୍ୟ ସଂସଦର ୨୬ତମ ବାର୍ଷିକ ସାରସ୍ୱତ ସମାବେଶ
ରେମୁଣା : ଖନ୍ତାପଡ଼ା ନିକଟବର୍ତ୍ତୀ ପ୍ରତାପଡ଼ା ଗ୍ରାମ ସ୍ଥିତ ଶ୍ରୀରଘୁନାଥ ଓ ଶ୍ରୀଲକ୍ଷ୍ମୀଜନାର୍ଦ୍ଦନଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଚେତନା ସାହିତ୍ୟ ସଂସଦର ୨୬ତମ ବାର୍ଷିକ ସାରସ୍ୱତ ସମାବେଶ, କବିତା ପାଠୋତ୍ସବ, ପୁସ୍ତକ ଲୋକାର୍ପଣ, ଆଳୋଚନା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମମାନ ବରିଷ୍ଠ ସାରସ୍ୱତ ସାଧକ ଓ ଚେତନା ସାହିତ୍ୟ ସଂସଦର ସମ୍ପାଦକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ବର୍ଷିୟାନ କବି ଲୋଚନ ବେହେରା ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଫକୀରମୋହନ ସାହିତ୍ୟ ପରିଷଦ, ବାଲେଶ୍ୱରର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଯୋଗଦେଇ ଚେତନାର ଉତ୍ତରଣ କବିମାନଙ୍କ କାବ୍ୟ ରଚନାର ମୌଳିକ ଗୁଣ ହେବା ଦରକାର ବୋଲି କହିଥିଲେ । ବରେଣ୍ୟ ଅତିଥି ଭାବେ ଗବେଷକ ଡ. ଗିରୀଶ ଚନ୍ଦ୍ର ଜେନା ଯୋଗଦେଇ ଦେଶର ଅବକ୍ଷୟ କୋଳାହଳ ଭିତରେ ହଜି ଯାଉଥିବା ଜୀବନର ସଙ୍ଗୀତକୁ କବିଟିଏ ତା’ ସୃଜନର ଲିପିରେ ପରିସ୍ଫୁଟନ କରିଥାଏ ବୋଲି ମତ ଦେଇଥିଲେ । ମୁଖ୍ୟବକ୍ତା ବିଶିଷ୍ଟ କବି ଓ ବାଗ୍ମୀ ପ୍ରଶାନ୍ତ ଦାସ, ମୁଖ୍ୟ ଆଲୋଚକ ସଫଳ ସାରସ୍ୱତ ପ୍ରତିଭା ଡ. ଶରତ ଚନ୍ଦ୍ର ମହାନ୍ତି, ସମ୍ମାନିତ ଅତିଥି କବି ଓ ବରିଷ୍ଠ ଖବରଦାତା ଭରତ ଚନ୍ଦ୍ର ଦାଶ, ସମୀକ୍ଷକ ଆଧ୍ୟାତ୍ମିକ ଚେତନାର ପ୍ରବକ୍ତା ବିନୋଦ ବିହାରୀ ପଣ୍ଡା, ସମ୍ମାନିତ ଅତିଥି ସ୍ୱାବଲମ୍ବନ ପ୍ରକାଶନୀ ସଂସ୍ଥା (କଟକ)ର ପ୍ରକାଶକ ସନ୍ତୋଷ ବାରିକ, ରୂପକ ସ୍ମୃତି ସାହିତ୍ୟ ସଂସଦର ପ୍ରତିଷ୍ଠାତା ଗୋପୀନାଥ ଗନ୍ତାୟତ, ସଞ୍ଚାଳକ ଭାବରେ ଯୋଗଦେଇ ଉତ୍ସବର ଗରିମା ବୃଦ୍ଧି କରିଥିଲେ । ଉତ୍ସବରେ କବି ଶରତ ଚନ୍ଦ୍ର ମହାପାତ୍ରଙ୍କର ୩ଟି କାବ୍ୟ ‘ଭକ୍ତି ନୈବେଦ୍ୟ’, ‘ଛାଇ ଲେଉଟାଣି ବେଳ’ ଓ ଚେତନାର ଶବ୍ଦଲିପି (ଭାଗ-୨) ଅତିଥିଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ‘ଛାଇ ଲେଉଟାଣି ବେଳ’ କାବ୍ୟ ଗ୍ରନ୍ଥରେ ଥିବା ଏକ ଜୀବନ୍ତ ଚରିତ୍ର ଟୁରିଆ ସିଂକୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ‘ଭକ୍ତି ନୈବେଦ୍ୟ’ ନାମକ ଆଧ୍ୟାତ୍ମିକ କାବ୍ୟରେ ଥିବା ୪ଟି ଭକ୍ତି ସଙ୍ଗୀତକୁ ସୁଦକ୍ଷ କଣ୍ଠଶିଳ୍ପୀ ତପନ କୁମାର ବାରିକ, ଦିବାକର ନାୟକ, ସତ୍ୟରଞ୍ଜନ ମହାନ୍ତି ଓ ବସନ୍ତ କୁମାର ପରିଡ଼ା ପ୍ରମୁଖ ପାରମ୍ପରିକ ବାଦ୍ୟଯନ୍ତ୍ର ତାଳରେ ଗାନ କରିଥିଲେ । ସଂଯୋଜକ କବି ପ୍ରାଣ ଇନ୍ଦ୍ରମଣି ବିନ୍ଧାଣି, ଶ୍ରୀ ଯାଯାବର, କବି ସୁନୀଲ ମିଶ୍ର ଓ ରମଣିକାନ୍ତ ମିଶ୍ରଙ୍କ ସଂଯୋଜନାରେ ଶତାଧିକ କବି କବିତା ପାଠ କରିଥିଳେ । ମହେଶ୍ୱର ରାଉତ, ସୀତାଂଶୁ ଲେଙ୍କା ଓ ବ୍ୟଙ୍ଗ କବି ପ୍ରଭାକର ସାହୁଙ୍କ କବିତା ଶ୍ରେଷ୍ଠ କବିତାର ସ୍ୱୀକୃତି ପ୍ରାପ୍ତ ପାଇଥିଲା । ସଭ୍ଗୀତ କଳାକାର ବସନ୍ତ କୁମାର ପରିଡ଼ା, ଦିବାକର ନାୟକ, ତପନ କୁମାର ବାରିକ, ଉମାକାନ୍ତ ପରିଡ଼ା, ଜଗଦୀଶ ନାୟକ, କମଳାକାନ୍ତ ଲେଙ୍କା ଓ ଗଙ୍ଗାଧର ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାର ସ୍ମୃତି ଆଲେଖ୍ୟ ମନୀନ୍ଦ୍ର କୁମାର ମହାପାତ୍ର ପ୍ରଦାନ କରିଥିବା ବେଳେ ନାଟ୍ୟକାର ନାରାୟଣ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ ।
