ସିମୁଳିଆରେ ‘ଅହିଂସା ରଥ’କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ; ଦିବସ ବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ସିମୁଳିଆ : ସ୍ୱାଧିନତାର ୭୫ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମଣ କରୁଥିବା ‘ଅହିଂସା ରଥ’କୁ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶନିବାର ପୂର୍ବାହ୍ନ ୮ଟା ସିମୁଳିଆ ବ୍ଲକ ଜାମୁଝାଡ଼ିର ଦାମୋଦର ହାଇସ୍କୁଲ ପରିସରରେ ଏହି ରଥକୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରେ ବ୍ଲକର ସଦରମହକୁମା ମାର୍କୋଣାର ନୀଳକଣ୍ଠେଶ୍ୱର ମନ୍ଦିର ପାଶ୍ୱର୍ରୁ ଏହି ରଥକୁ ଶୋଭାଯାତ୍ରାରେ ରଘୁନାରାୟଣ ହାଇସ୍କୁଲ ପରିସରକୁ ଅଣାଯାଇଥିଲା । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ପଥପ୍ରାନ୍ତ ଦେଶାତ୍ମବୋଧକ ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥିଲା । ପରେ ରଘୁନାରାୟଣ ବିଦ୍ୟାଳୟ ପରିସରରେ ଥିବା ବିଜୁପଟ୍ଟନାୟକ ଇନ୍ଡ଼ୋର ଷ୍ଟାଡ଼ିୟମ ପରିସରରେ ସାଧାରଣ ସଭା ଓ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ବିଡିଓ ଅଭିଷେକ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଶିକ୍ଷକ ବନମାଳୀ ନାୟକ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ରୂପେ ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ ତଥା ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ତହସିଳଦାର ଭୀମକାନ୍ତ ମାଝୀ, ବ୍ଲକ ଅଧ୍ୟକ୍ଷ ବାବାଜୀ ଚରଣ ମଲିକ, ଅଧ୍ୟକ୍ଷା ହିମାନ୍ଦ୍ରୀନନ୍ଦୀନି ମହାପାତ୍ର, ମାର୍କୋଣା ସରପଞ୍ଚ କମଳାକାନ୍ତ ନାୟକ, ବିଇଓ କାଳନ୍ଦୀ ସରରେନ, ସିଡ଼ିପିଓଭାରତୀ ତ୍ରିପାଠୀ, ଏବିଇଓ ଅଜୟ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ସଂସ୍କୃତି ବିଭାଗ ପକ୍ଷରୁ ପାଲା, ଆଦିବାସୀ ନୃତ୍ୟ ପରିବେଷିତ ହୋଇଥିଲା । ଏବିଇଓ ଗଦାଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
