ତେଲକୋଇ କୁଳିଆପାଳ ନିକଟରୁ ଏକ ମାଈ ହାତୀ ଓ ନବଜାତ ହାତୀର ମୃତଦେହ ଠାବ
କେନ୍ଦୁଝର : କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଂଚଳ ତାଳପଦା ଫରେଷ୍ଟ ବିଟର କୁଳିଆପାଳ ନିକଟରୁ ଆଜି ଗୋଟିଏ ମାଈ ହାତୀ ଓ ଗୋଟିଏ ନବଜାତ ହାତୀ ଛୁଆର ମୃତଦେହ ଠାବ ହୋଇଛି । ଜନ୍ମ କରିବା ବେଳେ ହାତୀଟି ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ସୂଚନା ଅନୁଯାୟୀ, ତାଳପଦା କୁଳିଆପାଳ ନିକଟରେ ପ୍ରବଳ ଦୁର୍ଗନ୍ଧ ହୋଇଥିଲା । ତେଣୁ ସ୍ଥାନୀୟ ଲୋକେ କଣ ଗନ୍ଧ ହେଉଛି ଭାବି ଖୋଜାଖୋଜି କରିଥିଲେ । ତାଳପଦା ଫରେଷ୍ଟର ଭାବେ ନୂଆ ଦାୟିତ୍ୱ ନେଇଥିବା ଯଦୁମଣି ରଣା ସନ୍ଦେହରେ କଳାପାଟ ସଂରକ୍ଷିତ ଜଙ୍ଗଲରେ ଖୋଜାଖୋଜି କରିବାରୁ କୁଳୀଆପାଳ ନିକଟରେ ଗୋଟିଏ ମାଈ ହାତୀ ଏବଂ ତାର ନବଜାତ ହାତୀ ଛୁଆର ମୃତଦେହ ଠାବ କରିଥିବା ଜଣାପଡ଼ିଛି । ଖବର ପାଇ ତେଲକୋଇ ରେଂଜର ଶିବାଜୀ ମୋହନ ରାଓ, କେନ୍ଦୁଝର ଡିଏଫଓ ଧନରାଜ ଏଚଡି ଘଟଣା ସ୍ଥଳକୁ ଯାଇଥିବା ସୂଚନା ମିଳିଛି । ମାଈ ହାତୀଟି ଛୁଆ ଜନ୍ମ କରିବା ବେଳେ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି । ତେବେ ହାତୀର ପ୍ରକୃତ ମୃତ୍ୟୁକାରଣ ଜଣା ପଡିନାହିଁ । ତେବେ ମାଈ ହାତୀ ଓ ନବଜାତ ହାତୀର ମୃତ୍ଯୁ ୧୦ରୁ ୧୫ ଦିନ ଭିତରେ ହୋଇଥିବା ଅନୁମାନ କରାଯାଉଛି।
