ମହାକାଶରେ ମହାଜାଗତିକ ଦୃଶ୍ୟ, ଲୋକେ ଦେଖିଲେ ଚନ୍ଦ୍ରଗ୍ରହଣ
ଭୁବନେଶ୍ୱର : ମହାକାଶରେ ମହାଜାଗତିକ ଦୃଶ୍ୟ । ଗୋଟିଏ ସରଳ ରେଖାରେ ଅଛନ୍ତି ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର । ଚଳିତ ବର୍ଷ ଏହା ଶେଷ ତଥା ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ । ଅପରାହ୍ଣ ୨ଟା୩୮ମିନିଟରୁ ଲାଗିଛି ଗ୍ରହଣ । ୬ଟା୧୮ ମିନିଟରେ ଗ୍ରହଣ ସର୍ବମୋକ୍ଷ ହୋଇଥିଲା । ୧ଘଂଟା ୧୨ ମିନିଟ ୪୮ ସେକେଣ୍ଡ ଧରି ଦୃଶ୍ୟମାନ ହୋଇଥିଲା ଗ୍ରହଣ । ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସହ ଆଂଶିକ ଚନ୍ଦ୍ରଗ୍ରହଣ ଦେଖିବାର ସୁଯୋଗ ପାଇଥିଲେ । ଅପରପକ୍ଷରେ ଭୁବନେଶ୍ୱରରେ ଦେଖାଗଲାନି ଚନ୍ଦ୍ରଗ୍ରହଣ । ଦିଗବଳୟ ଓ ବାଦଲ ଯୋଗୁ ହେଲାନାହିଁ ଦୃଶ୍ୟମାନ । ସନ୍ଧ୍ୟା ୫.୫ ମିନିଟରେ ଉଦୟ ହେଲା ଚନ୍ଦ୍ର । ସନ୍ଧ୍ୟା ୫ଟା୫ରୁ ୫ଟା୧୧ ଯାଏଁ ଥିଲା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । ୬ ମିନିଟ ପାଇଁ ଦୃଶ୍ୟମାନ ହୋଇଥାନ୍ତା ପୂର୍ଣ୍ଣଚନ୍ଦ୍ର ଗ୍ରହଣ । ଭୁବନେଶ୍ୱର ଆକାଶରେ ପୂର୍ଣ୍ଣଚନ୍ଦ୍ର ଗ୍ରହଣ ଦେଖାଯାଇ ନାହିଁ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦେଶକ ସୂଚନା ପ୍ରଦାନ କରିଛନ୍ତି ।
ଅପରପକ୍ଷରେ ଆଂଶିକ ଚନ୍ଦ୍ରଗ୍ରହଣ ସନ୍ଧ୍ୟା ୫ଟା ୧୧ରୁ ୬ଟା ୧୯ ଯାଏଁ ଦେଖାଯାଇଥିଲା । ଚନ୍ଦ୍ରଗ୍ରହଣ ଦେଖିବା ପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଚନ୍ଦ୍ରଗ୍ରହଣ ଦୃଶ୍ୟକୁ ସନ୍ଧ୍ୟା ୫ଟା ୫ ମିନିଟରୁ ୬ଟା ୧୯ ଯାଏ ଦୂରବିକ୍ଷଣ ଯନ୍ତ୍ର ଦ୍ୱାରା ଦେଖାଇବାର ବ୍ୟବସ୍ଥା ହୋଇଥିଲା । ଆକାଶ ମେଘାଚ୍ଛନ୍ନ ଥିବାରୁ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଆକାଶରେ ଦେଖାଯାଇନଥିଲା । ତେବେ ଆଂଶିକ ଚନ୍ଦ୍ରଗ୍ରହଣ ସନ୍ଧ୍ୟା ୬ଟା୨୯ ପର୍ଯ୍ୟନ୍ତ ଦେଖାଯାଇଥିଲା । ମହାକାଶର ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖିବା ପାଇଁ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ଆଂଶିକ ଚନ୍ଦ୍ରଗ୍ରହଣ ଦୃଶ୍ୟକୁ ଦେଖିବା ପାଇଁ ଛୋଟପିଲାଟାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକେ ଏଠାରେ ଏକାଠି ହୋଇଥିଲେ । ଦୂରବିକ୍ଷଣ ଯନ୍ତ୍ର ସହିତ ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ର ସହାୟତାରେ ଧାଡ଼ିରେ ଆସି ସମସ୍ତେ ଆଂଶିକ ଚନ୍ଦ୍ରଗ୍ରହଣ ଦେଖିବାର ସୁଯୋଗ ପାଇଥିଲେ । ସେହିପରି ଡିସ୍ପ୍ଲେ ସାହାଯ୍ୟରେ ମଧ୍ୟ ଦର୍ଶକ ଆଂଶିକ ଚନ୍ଦ୍ରଗ୍ରହଣ ସିଧାପ୍ରସାରଣ କରାଯାଇଥିଲା । ଏଭଳି ବିରଳ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆସନ୍ତା ୨୦୨୫ ମସିହା ସେପ୍ଟେମ୍ବର ମାସରେ ଦେଖାଯିବ । ସେହିପରି ଭାରତରେ ପରବର୍ତୀ ସୂର୍ଯ୍ୟପରାଗ ଆସନ୍ତା ୨୦୨୭ ମସିହା ଅଗଷ୍ଟ ମାସରେ ଦେଖାଯିବ ବୋଲି ପଠାଣି ସମାନ୍ତ ପ୍ଲାନେଟାରିୟମର ଉପନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି ।
