ରାଶିବାଡ଼ି ଘାଟିରେ ତଳକୁ ଖସିଲା ବସ୍, ୧୦ ଯାତ୍ରୀ ଆହତ
ପାରଳାଖେମୁଣ୍ଡି : ଗଜପତି ଜିଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ଜିରାଙ୍ଗ ନିକଟ ରାଶିବାଡ଼ି ଘାଟିରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଡ୍ରାଇଭରଙ୍କ ସମେତ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରେ ବସ୍ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ପାରଳାଖେମୁଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ ଆହତମାନଙ୍କୁ ଜିରାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଇସ୍ପାତ ନାମର ଏକ ଘରୋଇ ବସ୍ ଗତକାଲି ରାତିରେ ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିଲା । ଆଜି ଭୋରରେ ବସଟି ଗଜପତି ଜିଲ୍ଲା ରାଶିବାଡି ଘାଟି ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲା । ବସରେ ୩୦ ଜଣ ଯାତ୍ରୀ ଥିଲେ । ସ୍ଥାନୀୟ ଲୋକ ଓ ଅଗ୍ନିଶନ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଯାତ୍ରୀମାନଙ୍କୁ ଉଦ୍ଧାର କରି ହସପିଟାଲ ପଠାଇଥିଲେ । ବ୍ରେକ୍ ଫେଲ୍ ହେବାକୁ ଦୁର୍ଘଟଣା ଘଟିଥିବା କୁହାଯାଇଛି ।

