ସାଧାରଣ ଜନତାଙ୍କୁ ବଡ଼ ଉପହାର, ଏହି ରାଜ୍ୟରେ ବିଦ୍ୟୁତ ୟୁନିଟ୍ ପିଛା ୩ ଟଙ୍କା ହ୍ରାସ
ଚଣ୍ଡୀଗଡ଼ : ପଞ୍ଜାବ କ୍ୟାବିନେଟ ଘରୋଇ ଉପଭୋକ୍ତାଙ୍କ ପାଇଁ ୟୁନିଟ୍ ପିଛା ବିଦ୍ୟୁତ ଦର ୩ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ରାଜ୍ୟରେ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ନିଆଯାଇଥିବା ଏହି ନିଷ୍ପତ୍ତିରେ ବାର୍ଷିକ ୩,୩୧୬ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ନିଷ୍ପତ୍ତି ତୁରନ୍ତ ପ୍ରଭାବ ସହିତ କାର୍ଯ୍ୟକାରୀ ହେବ ଓ ପ୍ରାୟ ୬୯ ଲକ୍ଷ ଉପଭୋକ୍ତା ଉପକୃତ ହେବେ । ରାଜ୍ୟରେ ପ୍ରାୟ ୭୨ ଲକ୍ଷ ଘରୋଇ ଉପଭୋକ୍ତା ଅଛନ୍ତି । କ୍ୟାବିନେଟ ବୈଠକ ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ଏହି ଘୋଷଣା କରିଛନ୍ତି । ଚାନ୍ନି ଗଣମାଧ୍ୟମକୁ କହିଛନ୍ତି ଯେ ଆମେ ଘରୋଇ ଉପଭୋକ୍ତାଙ୍କ ପାଇଁ ୟୁନିଟ୍ ପିଛା ବିଦ୍ୟୁତ ଦର ୩ ଟଙ୍କା ହ୍ରାସ କରୁଛୁ ।
ମୁଖ୍ୟମନ୍ତ୍ରୀ ଚାନ୍ନି କହିଛନ୍ତି ଯେ ଏହି ନିଷ୍ପତ୍ତି ତୁରନ୍ତ ପ୍ରଭାବରୁ କାର୍ଯ୍ୟକାରୀ ହେବ । ପ୍ରତିବର୍ଷ ସରକାରୀ କୋଷ ଉପରେ ୩,୩୧୬ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ । ସେ କହିଛନ୍ତି ଯେ ତାଙ୍କ ସରକାର ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ ଲୋକମାନେ ଶସ୍ତା ବିଦ୍ୟୁତ ଚାହୁଁଛନ୍ତି । ସେ ଦାବି କରିଛନ୍ତି ଯେ ଏହି ନିଷ୍ପତ୍ତି ସହିତ ଘରୋଇ ବର୍ଗ ପାଇଁ ବିଦ୍ୟୁତ୍ ଦର ଦେଶ ମଧ୍ୟରେ ପଞ୍ଜାବରେ ସବୁଠାରୁ ଶସ୍ତା ହୋଇଯାଇଛି । ଏହି ସର୍ଭେ ସମ୍ପର୍କରେ ସେ କହିଛନ୍ତି ଯେ, ପଞ୍ଜାବର ଲୋକମାନେ ମାଗଣାରେ କିଛି ଚାହାଁନ୍ତି ନାହିଁ । ସୁଲଭ ମୂଲ୍ୟରେ ସେମାନେ ଗୁଣାତ୍ମକ ବିଦ୍ୟୁତ ଚାହୁଁଛନ୍ତି । ଚାନ୍ନି କହିଛନ୍ତି ଯେ ୧୦୦ ୟୁନିଟ୍ (୨ କିଲୋୱାଟ ପର୍ଯ୍ୟନ୍ତ) ବ୍ୟବହାର ପାଇଁ ବିଦ୍ୟୁତ୍ ଦର ୟୁନିଟ୍ ପିଛା ୪.୧୯ ଟଙ୍କାରୁ ହ୍ରାସ ଘଟି ୧.୧୯ ଟଙ୍କା ପ୍ରତି ୟୁନିଟ ହୋଇଯାଇଛି ଓ ୧୦୧-୩୦୦ ୟୁନିଟ୍ ବିଦ୍ୟୁତ୍ ଦର ୪.୦୧ ଟଙ୍କା ହେବ ଏବଂ ୩୦୦ରୁ ଅଧିକ ୟୁନିଟ୍ ପାଇଁ ଏହି ଦର ୟୁନିଟ୍ ପିଛା ୫.୭୬ ଟଙ୍କା ହେବ । ସେହିଭଳି ୨ କିଲୋୱାଟରୁ ଅଧିକ ଓ ସାତ କିଲୋୱାଟ ପର୍ଯ୍ୟନ୍ତ ବିଦ୍ୟୁତ୍ ଦରରେ ମଧ୍ୟ ହ୍ରାସ ପାଇବ ।
ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସରକାରକୁ ଟାର୍ଗେଟ କରି ଚାନ୍ନି କହିଛନ୍ତି ଯେ ଦିଲ୍ଲୀର ବିଦ୍ୟୁତ୍ ସବସିଡି ବାର୍ଷିକ ୨,୨୨୦ କୋଟି ଟଙ୍କା ଥିବାବେଳେ ପଞ୍ଜାବରେ ଏହା ୧୪,୦୦୦ କୋଟି ଟଙ୍କା । ସେ କହିଛନ୍ତି ଯେ ତାଙ୍କ ସରକାର ଶସ୍ତା ଦରରେ ବିଦ୍ୟୁତ୍ କିଣୁଛନ୍ତି ଏବଂ ଏହାର ଲାଭ ଉପଭୋକ୍ତାଙ୍କୁ ଦିଆଯିବ । ସେ କହିଛନ୍ତି ଯେ ତାଙ୍କ ସରକାର ଜିଭିକେ ଗୋଇନ୍ଦୱାଲ ସାହିବ ବିଦ୍ୟୁତ୍ ପ୍ରକଳ୍ପ ସହିତ ବିଦ୍ୟୁତ୍ କ୍ରୟ ଚୁକ୍ତିନାମାକୁ ଶେଷ କରିବାକୁ ନୋଟିସ୍ ଜାରି କରିଛନ୍ତି କାରଣ ଏହାର ୟୁନିଟ୍ ପିଛା ୬-୭ ଟଙ୍କା ରହିଛି । ସେ ରାଜ୍ୟର ଶିରୋମଣି ଅକାଲୀ ଦଳ ଓ ବିଜେପିର ପୂର୍ବତନ ସରକାରକୁ ଟାର୍ଗେଟ କରି ଅଭିଯୋଗ କରିଛନ୍ତି ଯେ ଏହି ପ୍ରକଳ୍ପ ପାଇଁ ଟେଣ୍ଡର ଜାରି କରାଯାଇ ନଥିଲା ।
