ପୁଣି ଏକ ଛୁଆ ହାତୀର ମୃତଦେହ ଠାବ, କୁଲଡ଼ିହାରେ ହାତୀ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରିର ଗର୍ବ ଗୌରବ ୨୭୨. ୭୫ ବର୍ଗ କିମି ପରିବ୍ୟାପ୍ତ ବଣ ପାହାଡ଼ ଘେରା କୁଲଡ଼ିହା ଅଭୟାରଣ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ହାତୀ ରହୁଥିବା ବେଳେ ଦିନେ ହାତୀ ପାଇଁ ଏହା ସ୍ୱତନ୍ତ୍ର ପରିଚୟ ପାଉଥିଲା । କିନ୍ତୁ ଏଠାରେ ଗତ ୧୪ମାସ ମଧ୍ୟରେ କ୍ରମାଗତ ଭାବେ ୮ଟି ହାତୀର ମୃତ୍ୟୁ ହୋଇଥିବା ବେଳେ ଅଭୟାରଣ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । କେତେବେଳେ ଅସୁସ୍ଥତା କାରଣରୁ ତ କେତେବେଳେ ଶିକାରୀଙ୍କ ଦ୍ୱାରା ଯାଉଛି ହାତୀଙ୍କ ଜୀବନ । ହାତୀ ବଂଶ ଲୋପ ପାଉଥିବାରୁ ଚାରିଆଡୁ ଅସନ୍ତୋଷ ବୃଦ୍ଧି ପାଉଛି । ଏଠାରେ ବୁଧବାର ପୁଣି ଏକ ୩ ବର୍ଷରୁ ୭ବର୍ଷ ମଧ୍ୟରେ ଅଣ୍ଡିରା ହାତୀ ଛୁଆର ମୃତ୍ୟୁ ହୋଇଥିବାର ବନ କର୍ମଚାରୀ ମାନେ ପେଟ୍ରୋଲିଂ ବେଳେ କୁଲଡ଼ିହା ଅଭୟାରଣ୍ୟର ଝରଣାଘାଟି ସେକ୍ସନ ପୁରୁଣାପାଣି ବିଟ ଡାଙ୍ଗରପୋଖରୀ ନିକଟ ଜଙ୍ଗଲ ଭିତରେ ଠାବ କରି ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ । ହାତୀ ମୃତ୍ୟୁର ଖବର ପାଇ ବାଲେଶ୍ୱର ଡିଏଫଓ ଖୁସବନ୍ତ ସିଂହ, କୁଲଡ଼ିହା ରେଞ୍ଜର ଅନନ୍ତ କୁମାର ଜେନା, ସ୍ଥାନୀୟ ଫରେଷ୍ଟର ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତ୍ୟୁର ପ୍ରାଥମିକ ଅନୁସନ୍ଧାନ କରିଥିଲେ । ଏହି ଅଣ୍ଡିରା ହାତୀ ଛୁଆଟି ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଅନୁମାନ କରୁଥିବା ବେଳେ ଗୁରୁବାର ଟାସ୍କଫୋର୍ସ ଓ ପ୍ରାଣୀ ଚିକିତ୍ସକ ଆସିବା ପରେ ଶବ ବ୍ୟବଚ୍ଚେଦ କରାଯିବ ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନ ବିଭାଗ ସୂଚନା ଦେଇଛି।
ସୂଚନା ଯେ, ରାଜ୍ୟ ସରକାର ହାତୀ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗତ ୧୪ ମାସ ଭିତରେ କୁଲଡ଼ିହା ଅଭୟାଣ୍ୟରେ ୮ଟି ହାତୀ ମରିଥିବା ବେଳେ ରେଞ୍ଜରଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠିଛି ।
