୨୫ବର୍ଷର ପୁରୁଣା ଘର ଉପରେ ଛାତ ପକାଇ ଲକ୍ଷାଧିକ ଟଙ୍କା ଲୁଟ
କୋଣାର୍କ : ୦୧.୦୪- କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ୩ନମ୍ବର ୱାର୍ଡର ମୁଳିସାହିରେ ଥିବା ଏକ ପୁରୁଣା କ୍ଲବ ଘର ଉପରେ ନୂଆ ଛାତ ପକାଇ ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ବିଧାୟକ ପାଣ୍ଠିରୁ ଆର୍ôଥକ ବର୍ଷ ୨୦୨୧/୨୦୨୨ରେ ୱାର୍ଡର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଦୁଇ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ପୁରୀ ଡିଆରଡିଏ ଓ ଗୋପ ପଞ୍ଚାୟତ ସମିତି ପକ୍ଷରୁ ଉକ୍ତ ମଞ୍ଜୁର ରାଶିକୁ ଅସାଧୁ ଠିକାଦାର, ସ୍ଥାନୀୟ ଜନ ପ୍ରତିନିଧି ଓ କନିଷ୍ଠ ଯନ୍ତ୍ରୀ ଚଞ୍ଚକତା କରି ପ୍ରାୟ ୨୫ବର୍ଷ ତଳର ପୁରୁଣା ଭଙ୍ଗା ଘର ଉପରେ ନୂଆ ଛାତ ପକାଇ ମିଳିମିଶି ଅର୍ଥ ହରିଲୁଟ କରିଥିବା ଗ୍ରାମବାସୀଙ୍କ ତରଫରୁ ଅଭିଯୋଗ କରିଛନ୍ତି । ପୁରୁଣା ପରିତ୍ୟକ୍ତ ଘରର ଚାରିପଟେ ପିଲାର ଉଠାଇ ଛାତ ପକାଇ କାର୍ଯ୍ୟ ସାରି ଦେଇଛନ୍ତି । କେବଳ ଯୋଜନା ଫଳକ ଲେଖିବା ପାଇଁ ସମ୍ମୁଖ ଭାଗରେ ପ୍ଲାଷ୍ଟାର କରି ଛାଡ଼ି ଦେଇ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଜଣାପଡିଛି । ଘର ବାହାର କିମ୍ବା ଭିତର ପ୍ଲାଷ୍ଟାର ହୋଇନାହିଁ । ଏଥି ସହିତ ନୂଆ ମେଜିଆ ମଧ୍ଯ ପଡିନାହିଁ । ଫଳରେ ଉକ୍ତ ଘରର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାରଙ୍କ ଆର୍ôଥକ ଅନୁଦାନକୁ କିଭଳି ଅପବ୍ୟବହାର ହେଉଛି ଏହା ତାର ଅନ୍ୟତମ ନମୁନା ବୋଲି ଧରାଯାଇପରିବ । ଚଞ୍ଚକତା କରି ସରକାରୀ ଅର୍ଥ ଲୁଟ୍ କରିଥିବା ଠିକାଦାର, ଯନ୍ତ୍ରୀ ଓ ସମ୍ପୃକ୍ତ କର୍ମଚାରୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତୁରନ୍ତ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ବିଧାୟକ ଏହା ଉପରେ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ତରଫରୁ ସାମ୍ବାଦିକା ରିତାରାଣୀ ସେଠ୍ ଦାବି କରିଛନ୍ତି ।
