ପୋଖରୀରେ ଭାସିଲା ୧୬୨ ଫୁଟର ବୋଇତ
ସୋର : ବାଲେଶ୍ୱର ଜିଲା ସୋର ବ୍ଲକ ମାଣତ୍ରୀ ପଞ୍ଚାୟତ ମାଣତ୍ରୀ ଗ୍ରାମରେ ବୋଇତ ବନ୍ଦାଣ ଉତ୍ସବ ବହୁ ଆନନ୍ଦର ସହକାରେ ଅନୁଷ୍ଠିତ ହୋଇଯାଇଛି । ବିଶେଷ ଆକର୍ଷଣରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଏକ ବିରାଟ ଡଙ୍ଗା ଏହି ଗ୍ରାମର ପଣ୍ଡିଆଣି ପୋଖରୀରେ ଭସାଯାଇଥିଲା । ଡଙ୍ଗାଟିର ଲମ୍ବ ୧୬୨ ଫୁଟ୍ ଥିବା ବେଳେ ଏହାକୁ ସ୍ଥାନୀୟ ବାସିନ୍ଦା ଉମେଶ ଚନ୍ଦ୍ର ସ୍ୱାଇଁ ମଦନମୋହନ ଜୀଉ ଯୁବକ ସଂଘ ସହାୟତାରେ ନିର୍ମାଣ କରିଥିଲେ ।
ଡଙ୍ଗା ଟିକୁ ନିର୍ମାଣ କରିବା ପାଇଁ ତାଙ୍କୁ ୧୦/୧୨ ଦିନ ସମୟ ଲାଗିଥିଲା । ଏଥର ପ୍ରଭୁ ରାମଚନ୍ଦ୍ର ଲଙ୍କା ଗମନ ପାଇଁ ବାନ୍ଧିଥିବା ରାମ ସେତୁକୁ ଆଧାର କରି ବିଶେଷ ଆକର୍ଷଣୀୟ ଭାବେ ରାମସେତୁ ନାମରେ ଏହି ଡଙ୍ଗା ତିଆରି କରାଯାଇଥିଲା । ଯାହାକି ଦର୍ଶକ ମାନଙ୍କ ମନ ମୋହିଥିଲା । ଏହାକୁ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ଭଜନ କୀର୍ତ୍ତନ ଓ ନଗର ପରିକ୍ରମଣରେ ସ୍ଥାନୀୟ ଅଞ୍ଚଳରେ ଧାର୍ମିକ ପରିବେଶ ସୃଷ୍ଟି ହୋଇଥିଲା ।
