ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର କାମ କେବେ ବ୍ଲ୍ୟୁ ପ୍ରିଣ୍ଟରେ ଅଟକିଛି ପ୍ରକଳ୍ପ
କଟକ : ବାଦାମବାଡି ବସ୍ଷ୍ଟାଣ୍ଡକୁ ଖାନନଗରକୁ ସ୍ଥାନାନ୍ତର କରି ଅତ୍ୟାଧୁନିକ ଶୈଳୀରେ ନେତାଜୀ ସୁଭାଷ ବସ୍ ଟର୍ମିନାଲ କୋଠା ନିର୍ମାଣ ଚାଲିଥିବା ବେଳେ ଏଥିପାଇଁ ବଳି ପଡିଥିବା କଟକର ଅନ୍ୟତମ ବୃହତ୍ ପାଠାଗାର ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାରର ନୂତନ କୋଠା ନିର୍ମାଣ ପାଇଁ ଏଯାଏ ଇଟା ଖଣ୍ଡିଏ ବି ପଡିନି । ବସଷ୍ଟାଣ୍ଡ ପାଇଁ ନିର୍ମାଣ କୋଠା ୫ ମହଲା ଛୁଇଁଥିଲା ବେଳେ ପ୍ରସ୍ତାବିତ ବିଶ୍ୱନାଥ କେନ୍ଦ୍ରୀୟ ପାଠାଗାର ନୂତନ କୋଠା ପାଇଁ ସରକାର ଜମି ଚିହ୍ନଟ କରିଥିବା ଜାଗାରେ ଶିଳାନ୍ୟାସ ବି କରିନାହାନ୍ତି । ୧୮ ମାସ ଭିତରେ ପାଠାଗାର ନିର୍ମାଣ କାମ ବ୍ଲ୍ୟୁ ପ୍ରିଣ୍ଟରେ ହିଁ ଅଟକି ଯାଇଛି । ପାଠାଗାରକୁ ଅତ୍ୟାଧୁନିକ କରାଯିବ କହି ସରକାର କଟକ ସହରର ପାଠକ, ଛାତ୍ରଛାତ୍ରୀଙ୍କୁ ଭଣ୍ଡାଇ ଦେଇଥିବା ନେଇ ଅଭିଯୋଗ ଉଠିଛି । ପଠାଗାର ପାଇଁ ନୂଆ ଘର ନିର୍ମାଣ ନ ହେଲେ ପାଠାଗାରରେ ଥିବା ମୂଲ୍ୟବାନ ୬୦ ହଜାର ବହି ବେକାର ହୋଇଯିବ ବୋଲି ଆଶଙ୍କା କରାଯାଉଛି । ଏକଦା କଟକ ତଥା ଆଖପାଖ ଅଂଚଳର ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଖାନନଗରରେ ଥିବା ଏହି ପାଠାଗାର ଉପରେ ନିର୍ଭର କରୁଥିଲେ । ଏହି ପାଠାଗାରରୁ ପାଠ ପଢି ଅନେକ ଏବେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅଧିଷ୍ଠିତ ହୋଇପାରିଛନ୍ତି । ମାତ୍ର ସରକାର ବିକାଶ ଆଳରେ ଏହି ପୁରାତନ ପଠାଗାରକୁ ଭାଙ୍ଗି ଦେଇଥିଲେ ବି ନୂଆ ପାଠାଗାର ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ କରୁନଥିବାରୁ ଅସନ୍ତୋଷ ଦେଖାଦେଇଛି । ବାଦାମବାଡିରୁ ଖାନନଗରକୁ ବସଷ୍ଟାଣ୍ଡ ସ୍ଥାନାନ୍ତର ପାଇଁ ବିଶ୍ୱନାଥ କେନ୍ଦ୍ରୀୟ ପାଠାଗାରକୁ ଭଙ୍ଗା ଯାଇଥିଲା । ତତ୍କାଳୀନ ସିଏମସି କମିଶନର ଅନନ୍ୟା ଦାସ ସେତେବେଳେ ସହରବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ଥିବା ୩.୭୫ ଏକର ଜମିରେ ୨୦ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ପାଠାଗାର ନିର୍ମାଣ କରାଯିବ । ଏପରିକି କାମ ୬ ମାସ ଭିତରେ ସାରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ପ୍ରତିଶ୍ରୁତିର ୧୫ ମାସ ପରେ ବି ଚିହ୍ନଟ ଜମିରେ କାମ ଆରମ୍ଭ ହୋଇପାରିଲା ନାହିଁ । ବିଶ୍ୱନାଥ ପଣ୍ଡିତ ପାଠାଗାର ଅତ୍ୟାଧୁନିକ ହେବ, ପାଠାଗାରରେ ଇ-ଲାଇବ୍ରେରୀ ସୁବିଧା ରହିବ, ଏକାବେଳେ ୫୦୦ ଜଣ ବସି ପାଠ ପଢିଲା ଭଳି ହଲ୍ ନିର୍ମାଣ କରାଯିବ, ବସିବା ଓ ପଢିବା ପାଇଁ ଅଲଗା ପ୍ରକୋଷ୍ଠ, ବରିଷ୍ଠ ନାଗରିକ ଓ ମହିଳା ପାଠକଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା, ପୁସ୍ତକଗୁଡିକର ଉପଯୁକ୍ତ ରକ୍ଷଣା ବେକ୍ଷଣ, ନୂଆ ପୁସ୍ତକ କିଣା ଯିବାର ବ୍ୟବସ୍ଥା, ପାଠାଗାରର କମ୍ପ୍ୟୁଟୀକରଣ କରିବା ଆଦି ପ୍ରସ୍ତାବ ରାଜ୍ୟ ସରକାରଙ୍କ ପାଖକୁ ପଠାଯାଇଥିଲା । ମାତ୍ର ସରକାରଙ୍କ ପାଖରେ ଏ ଯୋଜନା ସେମିତି ପଡିରହିଛି । ସୂଚନାଯୋଗ୍ୟ ଯେ, ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର ୧୯୮୧ରେ ପ୍ରଥମେ ସହିଦ ଭବନରେ ଆରମ୍ଭ ହୋଇଥିଲା । ପରେ ୧୯୯୮ରେ ଏହାକୁ ଖାନନଗରକୁ ସ୍ଥାନାନ୍ତର କରାଯାଇଥିଲା ।
