‘ୱାଓ’ ୧୩ତମ ସଂସ୍କରଣର ଦ୍ୱିତୀୟ ସନ୍ଧ୍ୟା
ବାଲେଶ୍ୱର : ବାଲେଶ୍ୱର ଷ୍ଟେସନ୍ କ୍ଲବ ପରିସରରେ ଆୟୋଜିତ ୱାଓର ୧୩ତମ ସଂସ୍କରଣ ଦ୍ୱିତୀୟ ସନ୍ଧ୍ୟା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୁବ ଶିଳ୍ପୋଦ୍ୟୋଗି ତଥା ବାଲେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ଯୋଗଦେଇ ଯୁବପିଢୀ ସ୍ୱପ୍ନ ଦେଖନ୍ତୁ ଓ ସଫଳତାପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ । ଯଦି କୌଣସି କାରଣରୁ ଯୁବଗୋଷ୍ଠୀ ବିଫଳ ହୁଅନ୍ତି ତେବେ ମାନସିକ ସ୍ତରରେ ସେମାନେ ଭାଙ୍ଗି ପଡନ୍ତୁ ନାହିଁ ବୋଲି କହିଛନ୍ତି । ଦେଶର ୬୦ପ୍ରତିଶତରୁ ଅଧିକ ନାଗରିକ ଯୁବ ସଂପ୍ରଦାୟର ହୋଇଥିବା ବେଳେ ସେମାନେ ହିଁ ରାଷ୍ଟ୍ର ଗଠନ ଓ ରାଷ୍ଟ୍ରର ସୁରକ୍ଷା ଦିଗରେ କାମ କରୁଛନ୍ତି । ସେନାବାହିନୀ ଠାରୁ ଆରମ୍ଭ କରି ବିଜ୍ଞାନ କ୍ଷେତ୍ରରେ ନୂତନ ଉଦ୍ଭାବନ ଯୁବ ଗୋଷ୍ଠୀ ଦ୍ୱାରା ହେଉଛି । ପରିବାରରେ ସନ୍ତୁଳନ ରକ୍ଷା ସାଙ୍ଗକୁ ସମାଜ ଗଠନ ଓ ରାଷ୍ଟ୍ର ଗଠନରେ ସେମାନଙ୍କ ଭୂମିକା ଅତ୍ୟନ୍ତ ଅନବଦ୍ୟ ଓ ଚିରସ୍ମରଣୀୟ ବୋଲି ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିବା ସହ ସଂଗଠନର ଯୁବ ସଦସ୍ୟମାନଙ୍କ ଦ୍ୱାରା ନୂତନ ଏବଂ ଅଭିନବ ଉପାୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ କର୍ମକର୍ତା ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।
ଏହି ଅବସରରେ ଯୁବ ଶିଳ୍ପପତି ସଂଗ୍ରାମ ଦାସ ନିଜ ଅଭିଭାଷଣରେ ତାଙ୍କର ସ୍ୱର୍ଗୀୟ ପିତା ହିମାଂଶୁ ଦାସଙ୍କ ସ୍ମୃତିରେ ୱାଓ ସଂଗଠନ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ । ସମ୍ମାନୀତ ବକ୍ତାଭାବେ ନୂତନବାର୍ତାର ସଂପାଦକ ବିଭୁପଦ ଦାସ ଯୋଗଦେଇ ୱାଓ ସଂଗଠନ ପକ୍ଷରୁ ଦୀର୍ଘ ୩୦ବର୍ଷ ହେଲା ଆରମ୍ଭ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବାସହ କର୍ମକର୍ତା ମାନଙ୍କୁ ସାଧୁବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ୱାଓର ସମ୍ପାଦକ ଶ୍ରୀମାନ୍ ଶ୍ରୀଚନ୍ଦନ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ଅରିଜିତ୍ ଘୋଷାଲ୍ ସଙ୍ଗଠନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଶେଷରେ ଅସିତ୍ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସଂଗଠନ ପକ୍ଷରୁ ହେଲ୍ପିଂ ସୋସାଇଟିର ସଭାପତି ହ୍ରିତିକ୍ ନାୟକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଶେଷରେ ବିଭିନ୍ନ ସାସ୍କୃତିକ ଅନୁଷ୍ଠାନ ପକ୍ଷରୁ ସଂଗୀତ ପରିବେଷଣ କରାଯାଇଥିଲା ।
