ବର୍ଦ୍ଧନପୁର ୫-ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ଅନୁଧ୍ୟାନ କଲେ ଜିଲାପାଳ
ବାଲେଶ୍ୱର : ସଦର ବ୍ଲକର ବିଭିନ୍ନ ୫-ଟି ବିଦ୍ୟାଳୟର ରୂପାନ୍ତରୀଣ କାର୍ଯ୍ୟ ଅନୁଧ୍ୟାନ କରିଛି ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ । ସଦର ବିଡିଓ ନରେନ୍ଦ୍ର ଖମାରୀ ଓ ବିଭାଗୀୟ ଯନ୍ତ୍ରୀଙ୍କୁ ନେଇ ସେ ବର୍ଦ୍ଧନପୁର ମଣିନାଗେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ତଦାରଖ କରିଛନ୍ତି । ବିଶେଷ କରି କାର୍ଯ୍ୟର ଗୁଣବତ୍ତା ରକ୍ଷା ସାଙ୍ଗକୁ ଧାର୍ଯ୍ୟ ସମୟ ଅବଧିରେ ରୂପାନ୍ତରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଜିଲାପାଳ ଶ୍ରୀ ଶିନ୍ଦେ ବିଡିଓ ତଥା ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏମିତିକି କାର୍ଯ୍ୟକୁ ନିୟମିତ ତଦାରଖ ପାଇଁ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ କର୍ମକର୍ତ୍ତାଙ୍କୁ ସେ ପରାମର୍ଶ ଦେଇଥିଲେ ।
ବିଦ୍ୟାଳୟ ପରିଦର୍ଶନ ବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟବ୍ରତ ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ ସୁଜାତା ବେହେରା, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ନାୟକ, ଏସଏମସି ସଭାପତି ଅନିରୁଦ୍ଧ ବଳ, ଆଲୁମିନି ସଭାପତି କଲ୍ଲୋଳ କୁମାର ବଳ ଓ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟ ପରିଦର୍ଶନ ପରେ ସେ ବର୍ଦ୍ଧନପୁରରୁ ସମୁଦ୍ର କୂଳକୁ ସଂଯୋଗ କରୁଥିବା ଆଇଟିଆର ରାସ୍ତାର ଶୋଚନୀୟ ସ୍ଥିତି ପରଖିଥିଲେ । ଏହି ରାସ୍ତାର ନବୀକରଣ ପାଇଁ ସ୍ଥାନୀୟ ସରପଞ୍ଚ ଆରତୀ ଶତପଥୀ ବାରମ୍ବାର ତାଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜିଲାପାଳ ସୂଚନା ଦେଇଥିଲେ ।ଏନେଇ ଗ୍ରାମ୍ୟ ନିର୍ମାଣ (ଆରଡି) ଅଧୀକ୍ଷଣ ଯନ୍ତ୍ରୀଙ୍କ ସହ ଆଲୋଚନା କରି ଖୁବଶୀଘ୍ର ନବୀକରଣ କାର୍ଯ୍ୟ ଆରମ୍ଭ ପାଇଁ ଉଚିତ ପଦକ୍ଷେପ ନେବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।
