ଲିଭିଗଲା ଜନସଙ୍ଘର ଦୀପ! ବରିଷ୍ଠ ରାଜନେତା ଜଗନ୍ନାଥ ଜୀଙ୍କ ପରଲୋକ
ବାଲେଶ୍ୱର : ଲିଭିଗଲା ଓଡ଼ିଶାର ସର୍ବପୁରାତନ ରାଜନୈତିକ ଦଳ ଜନସଂଘର ଶେଷଦୀପ । ବାଲେଶ୍ୱର ଜିଲାର ବରିଷ୍ଠ ରାଜନେତା, ସମାଜସେବୀ ତଥା ଆଦର୍ଶ ଶିକ୍ଷକ ଜଗନ୍ନାଥ ଜୀଙ୍କ ଦେହାନ୍ତ । ରସାଳପୁର ସ୍ଥିତ ବାସଭବନରେ ସେ ଦୀର୍ଘଦିନ ହେଲା ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ଗୁରୁବାର ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ବୟସ ହୋଇଥିଲା ।
୧୯୩୬ ମସିହା ଅକ୍ଟୋବର ମାସ ୮ତାରିଖରେ କରୁଣାକର ଜୀ ଏବଂ ମୂଷା ଜୀଙ୍କ ଔରସରୁ ସେ ଜନ୍ମଗ୍ରହଣ କରିଥିଲେ । ଶିକ୍ଷା ସମାପ୍ତି ପରେ ଶିକ୍ଷକ ଭାବେ କାର୍ଯ୍ୟ କରିବାସହ ପରବର୍ତୀ ସମୟରେ ସେ ସକ୍ରିୟ ରାଜନୀତିରେ ଅଂଶ ଗ୍ରହଣ କରିଥିଲେ । ୧୯୬୨ରୁ ୧୯୬୭ ମସିହା ପର୍ଯ୍ୟନ୍ତ ରସାଳପୁର ଗ୍ରାମପଂଚାୟତର ସରପଂଚ ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ । ପରବର୍ତୀ ସମୟରେ ଜନସଂଘ ଦଳରେ ଯୋଗଦେଇ ବିଧାୟକ ଭାବେ ନିର୍ବାଚନ ଲଢ଼ିଥିଲେ । ୧୯୮୦ରୁ ୧୯୮୫ ମସିହା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ । ପରବର୍ତୀ ସମୟରେ ଜଗନ୍ନାଥ ଜୀ ସ୍ୱର୍ଗତ ବିଜୁପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନତା ଦଳରେ ଯୋଗଦେଇ ଦଳର ଜିଲା ଉପ-ସଭାପତି ଭାବେ କାର୍ଯ୍ୟ ସଂପାଦନ କରିଥିଲେ । ଏହା ବ୍ୟତୀତ ରସାଳପୁର ଓ ଆଖ ପାଖ ଅଂଚଳରେ ଜଣେ ଆଦର୍ଶ ଶିକ୍ଷକ, ଜନନେତା ଓ ସମାଜସେବୀ ଭାବେ ପରିଚିତ ଥିଲେ । ତାଙ୍କର ଅକାଳ ବିୟୋଗ ଘଟଣା ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ଏହି ଦୁଃଖଦ ଖବର ପ୍ରଚାରିତ ହେବାପରେ ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା, ଛାତ୍ରଛାତ୍ରୀ ସ୍ୱର୍ଗତ ଜୀଙ୍କର ବାସ ଭବନରେ ପହଞ୍ôଚ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଆସନ୍ତା କାଲି ସ୍ୱର୍ଗତ ଜୀଙ୍କ ଶେଷ କୃତ ସମ୍ପନ କରାଯିବ ବୋଲି ଜଣାପଡିଛି । ମୃତ୍ୟୁ ସଜ୍ୟା ନିକଟରେ ତାଙ୍କ ପୁଅ ଅଶୋକ ଓ ଜିତୁଙ୍କ ସମେତ ପରିବାର ସଦସ୍ୟମାନେ ଉପସ୍ଥିତ ରହିଥିଲେ ।
