ଓଡ଼ିଶା ହାଇକୋର୍ଟରେ ଚଳିତବର୍ଷ ୧,୩୬,୫୯୯ଟି ମାମଲାର ଫଇସଲା
ଭୁବନେଶ୍ୱର : ଚଳିତ ବର୍ଷ ଜାନୁଆରୀ ପହିଲାରୁ ଡିସେମ୍ବର ୨୩ ତାରିଖ ଅବଧି ମଧ୍ୟରେ ମୋଟ ୧,୦୨,୨୪୭ଟି ମାମଲା ରୁଜୁ କରାଯାଇଥିବାବେଳେ ୧,୩୬,୫୯୯ଟି ମାମଲା ଫଇସଲା କରାଯାଇଛି, ଫଳରେ କେସ୍ କ୍ଲିୟରାନ୍ସ ହାର ୧୩୩.୬୦ ପ୍ରତିଶତ ହୋଇଛି । ବର୍ତମାନ ବିଚାର ନହୋଇ ପଡ଼ିରହିଥିବା ମାମଲା ଯଥେଷ୍ଟ ହ୍ରାସ ପାଇଛି । ଚଳିତ ବର୍ଷ ୧୦ ବର୍ଷରୁ ଅଧିକ ପୁରୁଣା ୮୭୬୯ଟି ମାମଲା ଫଇସଲା କରାଯାଇଛି ବୋଲି ଓଡ଼ିଶା ଉଚ୍ଚନ୍ୟାୟାଳୟ ସୂତ୍ରରୁ ପ୍ରକାଶ ।
୨୦୨୨ ମସିହାରେ ରୁଜୁ ହୋଇଥିବା ମାମଲା ସଂଖ୍ୟା ୨୦୨୧ ମସିହା ତୁଳନାରେ ଅଧିକ ବୋଲି ଓଡ଼ିଶା ଜିଲ୍ଲା ନ୍ୟାୟପାଳିକା ପରିସଂଖ୍ୟାନରୁ ଜଣାପଡ଼ିଛି । ୨୦୨୧ ମସିହା ତୁଳନାରେ ୨୦୨୨ ମସିହାରେ ୫୩.୨୮ ପ୍ରତିଶତ ଅଧିକ ମାମଲା ଫଇସଲା ହୋଇଥିବାବେଳେ ଉଭୟ ଦେୱାନୀ ଓ ଫୌଜଦାରୀ ମାମଲାରେ ନ୍ୟାୟପାଳିକାର ଫଇସଲା ପୂର୍ବ ବର୍ଷ ତୁଳନାରେ ଶତକଡ଼ା ୫୧ ପ୍ରତିଶତ ଅଧିକ ବୋଲି ଜଣାପଡ଼ିଛି । ଅଧିକ ସଂଖ୍ୟକ ବିଚାରବିଭାଗୀୟ ଅଧିକାରୀ ରହିଲେ ମାମଲା ଫଇସଲା ପରିମାଣ ଅଧିକ ହୋଇପାରନ୍ତା । ୨୦୨୧ରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୯୬୨ ଥିବାବେଳେ ୭୬୭ ଜଣ କାର୍ଯ୍ୟ କରୁଥିଲେ । ସେହିପରି ୨୦୨୨ରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୯୭୭ ଥିବାବେଳେ ୭୭୬ ଜଣ କାର୍ଯ୍ୟ କରୁଛନ୍ତି । ୨୦୨୧ରେ ବିଚାରପତି ମୁଣ୍ଡ ପିଛା ଫଇସଲା ସଂଖ୍ୟା ମୁଣ୍ଡପିଛା ୩୧୧ ଥିଲାବେଳେ ୨୦୨୨ରେ ତାହା ୫୭୭ରେ ପହଂଚିଛି ।
୨୦୨୨ ଜାନୁଆରୀ ୧ରୁ ୨୬ ଡିସେମ୍ବର ମଧ୍ୟରେ ୧୦୪୨ ବଳତ୍କାର ମାମଲା ରୁଜୁ କରାଯାଇଥିବାବେଳେ ୧୨୫ଟି ମାମଲାର ସମାଧାନ କରାଯାଇଛି । ସେହିପରି ସେହି ସମୟ ମଧ୍ୟରେ ୩୩୦୯ଟି ମାମଲା ଜିଲ୍ଲା ଅଦାଲତଗୁଡ଼ିକରେ ଫଇସଲା ହୋଇଥିବାବେଳେ ସେଥିରୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ୬୬୦ଟି ମାମଲା ଫଇସଲା ହୋଇପାରିଛି । ମୋଟାମୋଟି ଏହି ସମୟ ମଧ୍ୟରେ ପୋକ୍ସୋ ଏବଂ ବଳତ୍କାର ସମ୍ବନ୍ଧୀୟ ୪୩୫୧ଟି ମାମଲାର ଫଇସଲା ହୋଇଛି, ସେଥିରୁ ୭୮୫ ମାମଲା ରୁଜ୍ଜୁ ହେବାର ବର୍ଷକ ମଧ୍ୟରେ ଫଇସଲା କରାଯାଇପାରିଛି । ପୋକ୍ସୋ ଆଇନ ଅଧିନରେ ବିଚାର ବ୍ୟବସ୍ଥା ପାଇଁ ୮ଟି ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା କରାଯାଇଛି । ସେହିପରି ଭୁବନେଶ୍ୱରରେ ମଧ୍ୟ ଗୋଟିଏ ପରିବାର ଅଦାଲତ ପ୍ରତିଷ୍ଠିତ ହୋଇଛି । ବରିଷ୍ଠ ନାଗରିକଙ୍କୁ ନେଇ ୩ଟି ଲିଭ୍ ରିଜର୍ଭ କୋର୍ଟ ଏବଂ ୨ଟି ମହିଳା କୋର୍ଟ ପ୍ରତିଷ୍ଠା କରାଯାଇଛି । ସିଭିଲ୍ ଜଜ୍ କ୍ୟାଡରରେ ୬ଟି କୋର୍ଟ ପ୍ରତିଷ୍ଠା କରାଯିବା ସହ୨୫ଟି ନୂତନ କୋର୍ଟ କାର୍ଯ୍ୟକ୍ଷମ ହୋଇଛି ।
୨୦୨୨ କ୍ୟାଲେଣ୍ଡର ବର୍ଷରେ ଆଉଟ୍ଲେଇଙ୍ଗ୍ ଷ୍ଟେସନ୍ ଗୁଡ଼ିକ ମଧ୍ୟରେ ଭଦ୍ରକ ସିଭିଲ୍ ଜଜ୍-କମ୍-ଜେଏମ୍ଏଫ୍, (ଚାନ୍ଦବାଲି), ଭଦ୍ରକ ସିଭିଲ୍ ଜଜ୍-କମ୍-ଜେଏମ୍ଏଫ୍, (ଧାମନଗର), କେଉଁଝର ଗ୍ରାମ୍ୟ ନ୍ୟାୟାଳୟ, (ଘସିପୁରା), ବାଲେଶ୍ୱର ଗ୍ରାମ୍ୟ ନ୍ୟାୟାଳୟ,(ଭୋଗରାଇ), ନୟାଗଡ଼ ସିଭିଲ୍ କୋର୍ଟ, (ଭାପୁର)ରେ ୧୦ଟି ନୂଆ ଅଦାଲତ ଗୃହର ଉଦ୍ଘାଟନ କରାଯାଇଛି ।
୨୦୨୨ ମଇ ୧୪ରେ ୧୭ଟି ଜିଲ୍ଲା ଏବଂ ପରେ ୩୦ଟି ଯାକ ଜିଲ୍ଲାରେ ଇ-ଫାଇଲ୍ ଷ୍ଟେସନ୍ ପ୍ରତିଷ୍ଠା କରାଯାଇଛି ।୨ ଅପ୍ରେଲ ୨୦୨୨ରେ ଓଡ଼ିଶା ଜୁଡ଼ିସିଆଲ୍ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ୍ (ଓଜେଡବ୍ଲୁଏଏସ୍) ପ୍ରବର୍ତିତ ହୋଇଛି । ୨୬ ଡିସେମ୍ବର ୨୦୨୨ ସୁଦ୍ଧା ପ୍ରାୟ ୬ ଲକ୍ଷ ୯୭ ହଜାର ୮୩୮ଟି ନ୍ୟାୟିକ ରେକର୍ଡର ଡିଜିଟାଇଜେସନ୍ ହୋଇଛି । ୨୩ ଡିସେମ୍ବର ୨୦୨୨ ସୁଦ୍ଧା ପ୍ରାୟ ୭୪୯୦୪ଟି ପଡ଼ିରହିଥିବା ରେକର୍ଡର ଡିଜିଟାଇଜେସନ୍ କରାଯାଇଛି ।
ବାରବାଟୀ ଦୁର୍ଗ ପରିସରରେ ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତିଙ୍କ ପୂର୍ବତନ ସରକାରୀ ବାସଭବନରେ ଥିବା ସଂଗ୍ରହାଳୟର ନୀବକରଣ କରାଯାଇଛି । ଏହି ବର୍ଷ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ୨୫ ବର୍ଷ ସେବା ସମାପ୍ତି ପାଇଁ ୧୯୮ ଜଣ କର୍ମଚାରୀଙ୍କୁ ଏବଂ ଅବସର ଗ୍ରହଣ କରିବା ପରେ ୩୦ ଜଣଙ୍କୁ ଓଡ଼ିଶା ଜୁଡ଼ିସିଆଲ୍ ଏକାଡେମୀଠାରେ ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିଙ୍କ ଦ୍ୱାରା ସମ୍ମାନିତ କରାଯାଇଛି । ଜନସାଧାରଣଙ୍କ ନିକଟରେ ପହଂଚିବା ନିମନ୍ତେ ହାଇକୋର୍ଟ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।
୨୦୨୨ ଆରମ୍ଭରେ ହାଇକୋର୍ଟରେ ୧୮ ଜଣ ବିଚାରପତି ଥିବାବେଳେ ୨ ଜଣ ବିଚାରପତି ଅବସର ଗ୍ରହଣ କରିଥିଲେ । ଜଣେ ବିଚାରପତି ଓଡ଼ିଶାର ହାଇକୋର୍ଟରୁ ଅନ୍ୟ ହାଇକୋର୍ଟକୁ ସ୍ଥାନାନ୍ତରିତ ହୋଇଥିଲେ ଏବଂ ଜଣେ ବିଚାରପତି ଅନ୍ୟ ହାଇକୋର୍ଟରୁ ଓଡ଼ିଶାକୁ ସ୍ଥାନାନ୍ତରିତ ହୋଇଥିଲେ । ଚଳିତ ବର୍ଷ ୬ ଜଣ ନୂତନ ବିଚାରପତି ଶପଥ ଗ୍ରହଣ କରିଥିଲେ । ବର୍ତମାନ ହାଇକୋର୍ଟରେ ୨୨ ଜଣ ବିଚାରପତି ଅଛନ୍ତି । ୨୦୨୨ ଜୁଲାଇ ୨୬ ତାରିଖରେ ହାଇକୋର୍ଟ ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଶାର ୨୨ ଜଣ ଯୁବ ଟ୍ରାଏଲ୍ କୋର୍ଟ ଓକିଲଙ୍କୁ ‘ଆଇନଜୀବୀ,୨୦୨୧’ ପୁରସ୍କାର ପ୍ରଦାନ କରାଯାଇଥିଲା ।
ହାଇକୋର୍ଟର ୭୫ତମ ବର୍ଷ ପାଳନ କରିବା ପାଇଁ ଏକ ସ୍ୱତନ୍ତ୍ର ଡାକ ଲଫାପା ଏବଂ ରବ୍ଦ ମୋହର ସହିତ ୬ଟି ଓଡ଼ିଶା ହାଇକୋର୍ଟର ଚିତ୍ରଥିବା ପୋଷ୍ଟକାର୍ଡକୁ ଭାରତର ପ୍ରଧାନ ବିଚାରପତିଙ୍କ ଦ୍ୱାରା ୨୦୨୨ ସେପ୍ଟେମ୍ବର ୧୭ ତାରିଖରେ ଉନ୍ମୋଚିତ କରାଯାଇଛି ।
