ବାଲାଗୋଡ଼ା ପଞ୍ଚାୟତ ପିଡ଼ିଏସ ଖାତାରେ ବ୍ୟାପକ ଦୁର୍ନୀତି ତଦନ୍ତ ହେଉଛି ହେଲେ ହେଉନାହିଁ କାର୍ଯ୍ୟାନୁଷ୍ଠାନ ଗ୍ରାମ୍ୟ ରୋଜଗାର ସେବକ ନାମରେ ରହିଛି ଦୁର୍ନୀତି ଅଭିଯୋଗ
ବଲାଣୀ : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବାଲାଗୋଡ଼ା ପଞ୍ଚାୟତରେ ଦିବାଲୋକରେ ଦୁର୍ନୀତି ହେଉଛି, ହେଲେ କାର୍ଯ୍ୟାନୁଷ୍ଠାନ ଘର ଶୂନ । ଦୁର୍ନୀତି ହାଟରେ ପଡି ବାଟରେ ଗଡୁଛି ହେଲେ ପ୍ରଶାସନ ଦୁର୍ନୀତିକୁ ରୋକିବା ବଦଳରେ ଛପାଇବାକୁ ଚେଷ୍ଟା କରୁଛି । ଖବର ପ୍ରକାଶନ ପରେ ବ୍ଲକ ପ୍ରଶାସନ ଓ ଜିଲା ପ୍ରଶାସନ ପ୍ରତକ୍ରିୟାଶୀଳ ହେଉଛି ସତ ଓ ଏ ନେଇ ତଦନ୍ତ ଆରମ୍ଭ କରୁଥିଲେ ସୁଦ୍ଧା କାହା ଚାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପଛଘୁଞ୍ଚା ଦେଉଛି ସେ ନେଇ ଚର୍ଚ୍ଚା ଜୋର ଧରିଛି । ବାଲାଗୋଡ଼ା ପଞ୍ଚାୟତ ବର୍ଷ ବର୍ଷ ଧରି ଗୋଟିଏ ପରିବାର ଦ୍ୱାରା ପରିଚାଳିତ ହୋଇ ଆସୁଥିବା ବେଳେ ସେହି ପରିବାର ବ୍ଲକ ଯୋଗାଣ ଅଧିକାରୀ ଓ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ହାତବାରିସି କରି ପିଡ଼ିଏସ ସାମଗ୍ରୀ ଓ ଭତା ବଣ୍ଟନ ର ଅଧିକାର ନିଜ ପାଖରେ ରଖିଥିବା ଅଭିଯୋଗ ହେଉଛି । ଏହାଦ୍ୱାରା ସରକାରଙ୍କ ଉଭୟ ଜନହିତକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବାର ଅଭିଯୋଗ ହେଉଛି । ଏ ନେଇ ଖବର ପକାଶନ ପରେ ବ୍ଲକ ପ୍ରଶାସନ ଓ ଜିଲାପ୍ରଶାସନ ନାମକୁ ମାତ୍ର ତଦନ୍ତ କରି ଫେରିଯାଉଥିବା ବେଳେ କାର୍ଯ୍ୟାନୁଷ୍ଠାନ ହେଉନଥିବା ପରିଲିକ୍ଷିତ ହେଉଛି । ଅଭିଯୋଗ ଅନୁସାରେ ପଂଚାୟତ ରେ ବାପା ଗଙ୍ଗା ବାରିକ ପିଅନ ଦାଇତ୍ୱ ରେ ରହିଥିବା ବେଳେ ସେ ପିଡ଼ିଏସ ସାମଗ୍ରୀ ବଂଟନରେ ବିଶେଷ ଦାଇତ୍ୱରେ ରହିଛନ୍ତି । ସେହିପରି ବଡ଼ ପୁଅ ପ୍ରିୟବ୍ରତ ବାରିକ ଗ୍ରାମ୍ୟ ରୋଜଗାର ସେବକ ଭାବରେ ନିଯୁକ୍ତି ପାଇଥିବା ବେଳେ ସାନପୁଅ କିଶୋର ବାରିକ ପିଡ଼ିଏସ ସାମଗ୍ରୀ ବଂଟନର ଡାଟା ଏଂଟ୍ରି ଅପରେଟର ଭାବରେ ନିଯୁକ୍ତି ପାଇଥିଲେ । ତେବେ ନିୟମାନୁସାରେ ଭତା ବଣ୍ଟନ ଓ ସାଧାରଣ ବଂଟନ ବ୍ୟବସ୍ଥାର ଦାଇତ୍ୱ ପଞ୍ଚାୟତ ନିର୍ବାହୀ ଅଧିକାରୀ କରିବା ସ୍ଥଳେ ଉକ୍ତ ପରିବାର ନିଜ ହାତରେ ରଖି ଅର୍ଥ ବାଟମାରଣା କରୁଥିବାର ଅଭିଯୋଗ ହେଉଛି । ବାପା ପିଅନ, ବଡ଼ ପୁଅ ଗ୍ରାମ୍ୟ ରୋଜଗାର ସେବକ ଓ ସାନପୁଅ ଠିକାରେ କାର୍ଯ୍ୟ କରୁଥିବା ବେଳେ ଉକ୍ତ ପରିବାର ଅଚଳାଚଳ ସମ୍ପତି ର ମାଲିକ ହେବା ସହିତ ବଡ଼ବିଲ ପଂଚାୟତର ଡର୍ବୀ ଛକ ନିକଟରେ ବିରାଟକାୟ ବାସ ଭବନ ସହ ଆୟବହିର୍ଭୁତ ସମ୍ପତି ଠୁଳ କରିବାର ଅଭିଯୋଗ ରହିଛି । ବଡ଼ ପୁଅ ପ୍ରିୟବ୍ରତ ବାରିକ ଗ୍ରାମ୍ୟ ରୋଜଗାର ସେବକ ଓ ବାପା ଗଙ୍ଗା ବାରିକ ପିଅନ ଭାବରେ ପଞ୍ଚାୟତରେ କାର୍ଯ୍ୟରତ ରହି ଗତ ୧୫ ବର୍ଷ ହେଲା ସାଧାରଣ ବଂଟନ ଓ ବିଭିନ୍ନ ଭତା ବଂଟନର ଅଧିକାର ବିଭିନ୍ନ ସମୟରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ବ୍ଲକ ଖାଦ୍ୟ ଯୋଗାଣ ଅଧିକାରୀ ସହ ସଲସୁତୁରା କରି ନିଜ ପାଖରେ ରଖିଛନ୍ତି । ଏହି ସମୟ ଭିତରେ ସାଧାରଣ ଖାଦ୍ୟ ସାମଗ୍ରୀ ବଂଟନ ବ୍ୟବସ୍ଥାରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ ହେବା ସହିତ ବ୍ୟାଙ୍କ ଖାତାକୁ ସିଧାସଳଖ ଭତା ରାଶି ଯାଉ ନଥିବା ସମୟରେ ମୃତ ବ୍ୟକ୍ତିଙ୍କ ନାମରେ ଭତା ବାଟମାରଣା ହୋଇଥିବା ଭଳି ସଙ୍ଗୀନ ଅଭିଯୋଗ ରହିଛି । ଗରିବ ସୀମାରେଖା ତଳେ ଥିବା ହିତାଧିକାରୀ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଥିବା ବେଳେ ବ୍ୟାପକ ଅନିୟମିତତା କରି ଥିଲାବାଲାଙ୍କୁ ଯୋଜନା ରେ ସାମିଲ କରାଯାଉଛି । ଏପରିକି ରାଷ୍ଟ୍ରାୟତ ଉଦ୍ୟୋଗ ଭାରତୀୟ ଇସ୍ପାତ ପ୍ରାଧିକରଣ(ସେଲ୍) କର୍ମଚାରୀଙ୍କ ନାମରେ ଅନିୟମିତତା କରି ରାସନ କାର୍ଡ ଜାରି କରାଯାଇଛି । ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ରେ ମଣିଷ ବଦଳରେ ମେସିନ ଲଗାଇ କାର୍ଯ୍ୟ କରାଯାଉଥିବା ସହିତ ଏହି ଯୋଜନାରେ ହିତାଧିକାରୀଙ୍କ ଟଙ୍କା ହଡପ କରାଯାଉଥିବା ନେଇ ଅଭିଯୋଗ ରହିଛି । ସରକାରୀ ନିୟମକୁ ଉଲଂଘନ କରି ସାଧାରଣ ବଣ୍ଟନ ଓ ବିଭିନ୍ନ ଭତା ବଂଟନର ଦାଇତ୍ୱ ପଂଚାୟତ ଅଧିକାରୀ କରିବା ସ୍ଥାନରେ ବିଗତ ୧୫ ବର୍ଷ ହେଲା ଏହି ଦାଇତ୍ୱ କୁ ଗ୍ରାମ୍ୟ ରୋଜଗାର ସେବକ ପ୍ରିୟବ୍ରତ ବାରିକ ତୁଲାଉଛନ୍ତି । ଏହା ସହିତ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହେଉଥିବା କାର?୍ୟ୍ୟରେ ନିଜର ସମ୍ପର୍କୀୟ ଠିକାଦାରଙ୍କ ଦ୍ୱାରା ମେସିନ ସାହାଯ୍ୟରେ କାର୍ଯ୍ୟ ସମ୍ପାଦନ କରି ମିଛ ଜବ କାର୍ଡ ସାହାଯ୍ୟରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରାଯାଉଥିବାର ଅଭିଯୋଗ ହେଉଛି । ତେବେ ବଲାଣି ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଥିବା ପଂଚାୟତର ସାଧାରଣ ବଣ୍ଟନ ବ୍ୟବସ୍ଥା ଜମା ଖାତା ଅନୁସାରେ ୨୦୧୪ ମସିହା ଅଗଷ୍ଟ ୮ ତାରିଖରେ ତତ୍କାଳୀନ ପଂଚାୟତ ଅଧିକାରୀ ପୀତବାସ ବେହେରାଙ୍କ ସମୟରେ ସାଧାରଣ ବଣ୍ଟନ ଖାତାରେ ୪ ଲକ୍ଷ ଟଙ୍କା ଜମା ରହିଥିଲା । ତେବେ ୨୦୧୮ ଫେବୃୟାରୀ ୧୬ ତାରିଖ ସୁଦ୍ଧା ବ୍ୟାଙ୍କ ସୁଧ ସହ ଏହି ରାଶି ଟ୪୧୯୪୨୬.୫୮ ପଇସା ରହିଥିବା ବେଳେ ତତ୍କାଳୀନ ପଂଚାୟତ ଅଧିକାରୀ ରାମ ମହାନ୍ତ ଉକ୍ତ ଖାତାରୁ ୪ ଲକ୍ଷ ଟଙ୍କା ଉଠାଇ ନେଇଥିଲେ । ତେବେ ଉକ୍ତ ରାଶି କେଉଁ କାରଣରୁ ବ୍ୟାଙ୍କ ଖାତାରୁ ଉଠାଯାଇଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ପରେ ଉକ୍ତ ଜମାଖାତାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହେବାପରେ ଏ ସନ୍ଦର୍ଭରେ ଖବର ପ୍ରକାଶ ପାଇଥିଲା । ଏ ନେଇ ବ୍ଲକ ପ୍ରଶାସନ ତତ୍ପରତା ଦେଖାଇ ଅକ୍ଟୋବର ୨୬ ତାରିଖରେ ବ୍ଲକ ଉନ୍ନୟନ ଅଧିକାରୀ ଜଗନ୍ନାଥ ହନୁମାନଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଜୀବ ଏକ୍କାଙ୍କ ନେତୃତ୍ୱରେ ଏକ ତଦନ୍ତକାରୀ ଦଳ ଘଟଣାର ତଦନ୍ତ କରି ଫେରିଥିବା ବେଳେ ୪ ଦିନ ପରେ ଜିଲ୍ଲା ପଂଚାୟତ ଅଧିକାରୀ କ୍ରୀଷ୍ଣ ଚନ୍ଦ୍ର ଅଧା ଏବଂ ବିଭାଗୀୟ ଅଧିକାରୀ ତଦନ୍ତ କରି ଫେରିବା ସମୟରେ ଗ୍ରାମ୍ୟ ରୋଜଗାର ସେବକ ପ୍ରିୟବ୍ରତ ବାରିକଙ୍କୁ ତାଗିଦ କରିବା ସହିତ ମୌଖିକ ଭାବରେ ଭତା ଓ ସାଧାରଣ ବଂଟନ ପ୍ରକ୍ରିୟାରୁ ଦୁରେଇ ରହିବାକୁ ନିର୍ଦେଶ ଦେଇଥିଲେ । ଏହା ସହିତ ଦାୟିତ୍ୱରେ ଥିବା ପଂଚାୟତ ନିର୍ବାହୀ ଅଧିକାରୀ ଯାଜ୍ଞସେନୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରି ଚିଠି ସଂଖ୍ୟା ୪୧୨୧ ମାଧ୍ୟମରେ ଗଣେଶ୍ୱର ପ୍ରଧାନଙ୍କୁ ଦାଇତ୍ୱ ଅର୍ପଣ କରାଯାଇଥିଲା । ତେବେ ତଦନ୍ତରେ କେବଳ ଠିକାରେ ନିଯୁକ୍ତ ଥିବା ଗ୍ରାମ ରୋଜଗାର ସେବକ ପ୍ରିୟବ୍ରତ ବାରିକଙ୍କ ସାନ ଭାଇ କିଶୋର ବାରିକଙ୍କୁ କାର?୍ୟ୍ୟରୁ ବସାଇ ଦେଇଥିବା ବେଳେ ଦୁର୍ନୀତି ଅଭିଯୋଗ ହୋଇଥିବା ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ ହେଉଛି । ଏବେ ପୁଣି ପଂଚାୟତ ନିର୍ବାହୀ ଅଧିକାରୀ ଗଣେଶ୍ୱର ପ୍ରଧାନ ସାଧାରଣ ବଂଟନ ଦାଇତ୍ୱ ଗ୍ରହଣ କରିବା ପରେ ଦୁର୍ନୀତି ଘଟଣାରେ ଲିପ୍ତ ଥିବା ଗ୍ରାମ୍ୟ ରୋଜଗାର ସେବକ ପ୍ରିୟବ୍ରତ ବାରିକଙ୍କୁ ଭତା ଓ ସାଧାରଣ ବଂଟନ ଦାଇତ୍ୱ ଦେଇଥିବାର ପରିଲିକ୍ଷିତ ହୋଇଛି । ତେବେ ପଂଚାୟତ ଅଧିକାରୀ ଗଣେଶ୍ୱର ପ୍ରଧାନ ଦୁର୍ନୀତିରେ ରେ ଲିପ୍ତ ପ୍ରିୟବ୍ରତ ବାରିକଙ୍କୁ ଦାଇତ୍ୱ ଅର୍ପଣ କରିବା ପରେ ଦୁର୍ନୀତିର ରାସ୍ତା ପ୍ରଶସ୍ତ କରାଯାଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ନେଇ ପଂଚାୟତ ଅଧିକାରୀ ଗଣେଶ୍ୱର ପ୍ରଧାନଙ୍କ ପ୍ରିୟବ୍ରତ ବାରିକଙ୍କୁ ପୁନଃ ଭତା ବଂଟନ ଓ ସାଧାରଣ ବଂଟନ ଦାଇତ୍ୱ ଅର୍ପଣ କରିବା ସମ୍ବନ୍ଧେ ପ୍ରତିକ୍ରିୟା ନେବାରୁ ସେ ଭତା ବଂଟନ ଓ ସାଧାରଣ ବଂଟନ ପ୍ରକ୍ରିୟା ସେ ନିଜେ ତୁଲାଉଥିବା କଥା କହିଥିବା ବେଳେ ପ୍ରିୟବ୍ରତ ବାରିକଙ୍କ ସାହାଯ୍ୟ ନେଉଥିବା କଥା କହିଛନ୍ତି । ତେବେ ସମ୍ପୁର୍ଣ୍ଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଖାଦ୍ୟ ଯୋଗାଣ ଅଧିକାରୀ, ପଂଚାୟତ ନିର୍ବାହୀ ଅଧିକାରୀ ସମେତ ବ୍ଲକରେ ହେଉଥିବା ବିଭିନ୍ନ ଦୁର୍ନୀତି ପଦାରେ ପଡିବ ବୋଲି ସାଧାରଣରେ ଦାବି ହେଉଛି ।
