ଭିଜିଲାନ୍ସ ହାତରେ ଲାଞ୍ଚୁଆ ଯନ୍ତ୍ରୀ
ବାରିପଦା : ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ କନିଷ୍ଠ ଯନ୍ତ୍ରୀ ଆଶିଷ ଘଡ଼େଇ ୫ଟି ସ୍କୁଲ କାମର ବିଲ୍ କରାଇଦେବାକୁ କଣ୍ଟ୍ରାକ୍ଟରଙ୍କ ଠାରୁ ୬୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ସେ ଅରିକୂଳ ରାସ୍ତାରେ ଟଙ୍କା ନେଲା ବେଳେ ଧରାପଡ଼ିଛନ୍ତି। ବାରିପଦା ଭିଜିଲାନ୍ସ ଏ ନେଇ ଏକ ମାମଲା ରୁଜୁ କରିଛି। ସେପଟେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଆଶିଷଙ୍କ ଘର, ସରକାରୀ କ୍ୱାର୍ଟର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ବିଲ୍ ପାସ୍ କରାଇ ଦେବାକୁ ଆଶିଷ ଲାଞ୍ଚ ମାଗିବା ପରେ ଠିକାଦାର ଜଣକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ପରେ ଭିଜିଲାନ୍ସ ଯନ୍ତ୍ରୀଙ୍କୁ ଧରିବାକୁ ଯୋଜନା କରିଥିଲା।
ସୂଚନା ଯେ, ଶ୍ରୀ ଘଢେଇ ପୂର୍ବରୁ ଗୋପବନ୍ଧୁନଗର ବ୍ଲକ୍ରେ କାର୍ଯ୍ୟ କରୁଥିବା ବେଳେ ୩ ମାସ ହେବ ବଡ଼ସାହି ବ୍ଲକ୍କୁ ବଦଳି ହୋଇଛନ୍ତି। ସେ ଗୋପବନ୍ଧୁନଗର ବ୍ଲକ୍ରେ ଥିବା ବେଳେ ସେହି ବ୍ଲକ୍ର ଆରପଟା ଗାଁ ଟିକାୟତପୁର ସରକାରୀ ବାଳିକା ଆଶ୍ରମ ସ୍କୁଲ ରୁପାନ୍ତରୀଣ କାର୍ଯ୍ୟ ୫-ଟି ଯୋଜନାରେ ଚାଲିଥିଲା। ଠିକାଦାର ରଂଜନ କୁମାର ପରିଡ଼ା ୩୩ ଲକ୍ଷ ଟଙ୍କା ବ୍ୟୟରେ ଏହି କାମ କରୁଥିଲେ। ଏବେ କାମ ସାରିବା ପରେ ଶେଷ ବିଲ୍ ପାସ୍ କରିବାକୁ ସେ ଯନ୍ତ୍ରୀ ଶ୍ରୀ ଘଢେଇଙ୍କୁ ଅନେକ ଥର ନିବେଦନ କରିଥିଲେ ବି ସେ ଏଥିପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଶେଷରେ ୬୫ ହଜାର ଟଙ୍କା ଦେବାକୁ କଥା ଛିଡ଼ିଥିଲା। ତେବେ ଟଙ୍କା ଦେବା ଆଗରୁ ଏ ସମ୍ପର୍କରେ ଭିଜିଲାନ୍ସକୁ ଜଣାଇଥିଲେ ଶ୍ରୀ ପରିଡ଼ା। ଯୋଜନା ମୁତାବକ ଯନ୍ତ୍ରୀ ଶ୍ରୀ ଘଡ଼େଇ ଆଜି ବଡ଼ସାହିରୁ କାମ ସାରି ସନ୍ଧ୍ୟାରେ କାର୍ ଯୋଗେ ବାରିପଦା ଆସିବା ବାଟରେ ଖୁଣ୍ଟା ଥାନା ଅନ୍ତର୍ଗତ ଜଡ଼ବଣି ପୋଲ ନିକଟରେ ଶ୍ରୀ ପରିଡାଙ୍କ ପାଖରୁ ୬୫ ହଜାର ଟଙ୍କା ନେଇଥିଲେ। ଠିକ୍ ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ବାରିପଦା ଭିଜିଲାନ୍ସ ଡିଏସ୍ପି ଜୟନ୍ତୀ ଦଳେଇଙ୍କ ନେତୃତ୍ବାଧୀନ ଟିମ୍ ଚଢ଼ଉ କରିଥିଲା। ତେବେ ଭିଜିଲାନ୍ସକୁ ଦେଖି ଶ୍ରୀ ଘଡ଼େଇ କାର୍ରେ ପଳାଇ ଯିବାକୁ ଉଦ୍ୟମ କରିଥିଲେ ବି କର୍ମଚାରୀମାନେ ତାଙ୍କୁ ମାଡ଼ି ବସିଥିଲେ। ପରେ ତାଙ୍କୁ ବାରିପଦା ଭିଜିଲାନ୍ସ ଅଫିସକୁ ଆଣି ପଚରାଉଚୁରା କରାଯାଉଛି। ଆଉ ଏଥି ସହ ଦୁଇଟି ଟିମ୍ ବଡ଼ସାହି ସ୍ଥିତ ବାସଭବନ ଓ ବାରିପଦା ଚିପାଅସ୍ତିଆ ସ୍ଥିତ ଘରେ ଚଢ଼ଉ ଜାରି ରଖିଛି।
