୯ମ ମୟୂରଭଞ୍ଜ ପୁସ୍ତକମେଳା ଉଦଘାଟିତ
ବାରିପଦା : ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ୯ମ ମୟୂରଭଞ୍ଜ ପୁସ୍ତକମେଳା ଉଦଘାଟିତ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ବିନିତ ଭରଦ୍ଵାଜ ଆଜି ସନ୍ଧ୍ୟାରେ ବାରିପଦା ଛଉ ପଡିଆ ଠାରେ ଆୟୋଜିତ ଭବ୍ୟ ମଣ୍ଡପରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ବହିଠାରୁ ବଡ ବନ୍ଧୁ କେହି ନାହିଁ ବୋଲି ମତ ରଖିଥିଲେ । ପୁସ୍ତକମେଳା କମିଟିର ସଭାପତି ପଦ୍ମନାଭ ସାହୁଙ୍କ ସଭାପତିତ୍ଵରେ ଆୟୋଜିତ ଉଦଘାଟନୀ ସଭାରେ ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ ସମିତିର ସଦସ୍ୟା ତଥା ସମ୍ଵାଦ ସାହିତ୍ୟଘରର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ମୁଖ୍ୟବକ୍ତା ଭାବରେ ଯୋଗଦେଇ ଆଧୁନିକ ସମୟ ସହ ତାଳ ଦେଇ ବହି ଲେଖାଯିବା ଉଚିତ ବୋଲି ମତପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସଂପାଦକ ଡ. ଶ୍ୟାମସୁନ୍ଦର ଦାସ ଯୋଗଦେଇ ଥିଲେ । ପ୍ରାରମ୍ଭରେ ଅଧ୍ୟାପକ ସମରେନ୍ଦ୍ର ବଶା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ମନୋଜ ଦଳବେହେରା ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ । କବୟିତ୍ରୀ ସୁଶ୍ରୀ କାବେରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଜିତ କୁମାର କବାଟ, ଜୟନ୍ତ କୁମାର ଦ୍ଵାରୀ, କୈବଲ୍ୟ ପ୍ରସାଦ ମହାପାତ୍ର, ଡ. ସଞ୍ଜୀବ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅପରାହ୍ଣରେ ପୁସ୍ତକ ସଚେତନତା ଶୋଭାଯାତ୍ରା ଶ୍ରୀରାମଚନ୍ଦ୍ର ପାଠାଗାରରୁ ଆରମ୍ଭ ହୋଇ ମେଳା ପଡିଆରେ ଶେଷ ହେବା ପରେ ପୁସ୍ତକମେଳା କ୍ଷେତ୍ରାଧିପତି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର, ମାତା ସୁଭଦ୍ରାଙ୍କୁ ମଂଚରେ ସ୍ଥାପନା କରାଯାଇଥିଲା ।
