ଘଟଗାଁ ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ଗ୍ରାମବାସୀ
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଗ୍ରାମର ଗିରିସାହି ଓ ଦାସସାହି ମଧ୍ୟ ଭାଗରେ ଏକ ନଳକୂପ ସରକାରୀ ଅନୁଦାନରେ ନିର୍ମାଣ ହୋଇଥିଲା । ଉକ୍ତ ନଳକୂପର ପାନୀୟ ଜଳକୁ ଉଭୟ ସାହିର ଲୋକେ ବ୍ୟବହାର କରୁଥିଲେ । କିନ୍ତୁ କିଛିଦିନ ପୂର୍ବରୁ ଗ୍ରାମର ଜୟନ୍ତ କୁମାର ଗିରି ନଳକୂପର ଚତୁପାର୍ଶ୍ୱରେ ତାରଜାଲି ଘେରାଉ କରି ସାହିବାସୀଙ୍କୁ ଉକ୍ତ ନଳକୂପରୁ ପାନୀୟଜଳ ବ୍ୟବହାର କରିବାକୁ ଦେଉନାହାନ୍ତି । ଫଳରେ ସାହି ବାସୀ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ସାହିବାସୀ ସ୍ଥାନୀୟ ସରପଂଚ ଓ ପୁଲିସ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନଥିଲା । ପରେ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଆପୋଷ ସମାଧାନ କରାଯାଇଥିଲା ଏବଂ ଚୁକ୍ତିନାମା ମଧ୍ୟ ହୋଇଥିଲା । କିନ୍ତୁ ପୁନଃ ଜୟନ୍ତୀ ଗିରି ପୂର୍ବପରି ସାହି ବାସୀଙ୍କୁ ପାନୀୟଜଳ ନେବା ପାଇଁ ବାରଣ କରିବାସହ ଉକ୍ତ ସ୍ଥାନଟି ତାର ପଟ୍ଟା ଭୁକ୍ତ ଜମି ବୋଲି ଦାବି କରି ସାହିବାସୀଙ୍କୁ ଗାଳିଗୁଲଜ କରୁଥିବା ଗ୍ରାମବାସୀ ଘଟଗାଁ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ । ଆଜି ସାହିବାସୀ ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯଦି ଏହି ସମସ୍ୟାର ସମାଧାନ କରାନଯାଏ ତେବେ ସାହି ବାସୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।
