ପାଟଣା ଧାନ ମଣ୍ଡିରେ ବିଜେପି କୃଷକ ନେତା
କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଧାନର ଅଭାବୀ ବିକ୍ରି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଆଜି ଏହି ଅବସରରେ ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଓଡିଶାର ବିଶିଷ୍ଟ ଚାଷୀ ନେତା ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପାଟଣା ଧାନମଣ୍ଡୀ ପରିଦର୍ଶନ କରିଥିଲେ । ଧାନମଣ୍ଡୀ ପରିଦର୍ଶନ ସମୟରେ ଧାନ କୁଇଣ୍ଟାଲ ପ୍ରତି ୫ କିଲୋ ଧାନ ଚାଷୀଙ୍କ ଠାରୁ କଟା ଯାଉଥିବାରୁ ଚାଷୀ ମାନେ ବିଜେପି ପ୍ରତିନିଧି ଦଳ ନିକଟରେ ଅଭିଯୋଗ କରିଥିଲେ । ଚାଷୀ ମାନଙ୍କର ଧାନକୁ ଧାନର ମାନ ମେସିନରେ ପରୀକ୍ଷା ନକରି ୫ କିଲୋ କାଟୁଥିବାର ପ୍ରତିନିଧି ଦଳ ଘଟଣା ସ୍ଳରେ ଦେଖିଥିଲେ । ଚାଷୀ ନିଜର ବସ୍ଥାରେ ଧାନ ଭର୍ତି କରି ଆଣୁଥିଲେ ମଧ୍ୟ ଚାଷୀକୁ ବସ୍ତା ପଇସା ଦିଆଯାଉନଥିବା ଚାଷୀମାନେ ଅଭିଯୋଗ କରିଥିଲେ । ଧାନ କିଣାରେ ଧାନମଣ୍ଡୀରେ ବେସରକାରୀ ଯୁବକଙ୍କୁ ରଖାଯାଇ ଚାଷୀ ମାନଙ୍କୁ ଭୟଭୀତ କରାଯାଉଥିବା ଅଭିଯୋଗ ମଧ୍ୟ ହେଇଥିଲା । ଜିଲ୍ଲା ପ୍ରଶାସନ ଧାନ କିଣାରେ କଟନି ଛଟନି ବନ୍ଦ କରିବା ସହିତ ଚାଷୀ ମାନଙ୍କୁ ବସ୍ଥା ପଇସା ଦେବା ପାଇଁ ପ୍ରତିନିଧି ଦଳ ଦାବୀ କରିଛି । ତତସହିତ ଧାନମଣ୍ଡୀ ରେ ଚାଷୀ ମାନଙ୍କ ପାଇଁ ବିଶ୍ରାମ ଗୃହ ଓ ପିଇବା ପାଇଁ ପାଣିର ବ୍ୟବସ୍ଥା କରିବା ପାଇଁ ବିଜେପି ପ୍ରତିନିଧି ଦଳ ଦାବୀ କରିଛି ।
