ଟିପିଏନଓଡିଏଲ ପକ୍ଷରୁ ଏସ୍ଏଚ୍ଜି ମହିଳାଙ୍କୁ ସମ୍ବର୍ଦ୍ଧନା
ବାଲେଶ୍ୱର : ଉତ୍ତର ଓଡ଼ିଶାର ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେଇଥିବା ଟାଟା ପାୱାର ନର୍ଦ୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନ୍ଓଡ଼ିଏଲ) ପକ୍ଷରୁ ବିଦ୍ୟୁତ ବିଲ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍ଏଚ୍ଜି)ର ସଦସ୍ୟାମାନଙ୍କୁ ସେମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି ।
ବାଲେଶ୍ୱର ସହର ଉପକଣ୍ଠ ନୋସି ବିଜନେସ ପାର୍କ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଦ୍ୟୁତ ଦେୟ ଆଦାୟ କାର୍ଯ୍ୟରେ ଏସ୍ଏଚ୍ଜି ସଦସ୍ୟାଙ୍କୁ ସାମିଲ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଏକ ବଳିଷ୍ଠ ପଦକ୍ଷେପ । ମହିଳାମାନଙ୍କୁ ସ୍ୱାବଲମ୍ବୀ ତଥା ରୋଜଗାରକ୍ଷମ କରାଇବାରେ ଏହିଭଳି ନିଷ୍ପତ୍ତି ବେଶ ସହାୟକ ତଥା ସଫଳ ହୋଇପାରିଛି ବୋଲି ଟିପିଏନ୍ଓଡ଼ିଏଲ କାର୍ଯ୍ୟକ୍ରମରୁ ସ୍ପଷ୍ଟ ପ୍ରମାଣିତ । ତେବେ କମ୍ପାନୀ ମଧ୍ୟ ନିଜର ସାମାଜିକ ଦାୟିତ୍ୱ ଅଭିଯାନରେ ମହିଳାମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଉଦ୍ୟମ କରିବାକୁ ଟିପିଏନ୍ଓଡ଼ିଏଲ୍ କତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଏଥିସହିତ ବିଦ୍ୟୁତ୍ ବିତରଣରେ ଦେଖାଦେଉଥିବା ଗ୍ରାହକଙ୍କ ସମସ୍ୟା ଓ ଅସନ୍ତୋଷ ଦୂରୀକରଣ ପାଇଁ ସ୍ଥାନୀୟ ଲୋକପ୍ରତିନିଧିଙ୍କ ନିୟମିତ ଆଲୋଚନା ନିମନ୍ତେ ପ୍ରସ୍ତାବ ଦେଇଥିଲେ ।
ଟିପିଏନ୍ଓଡ଼ିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାସ୍କର ସରକାର ଅଧ୍ୟକ୍ଷତା କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଅନ୍ୟ କର୍ମଚାରୀଙ୍କ ଠାରୁ ଅପେକ୍ଷାକୃତ ଅଧିକ ସଫଳ ହୋଇପାରିଥିବା ବେଳେ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହିଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ବୋଲି କହିଥିଲେ ।
ଟିପିଏନ୍ଓଡ଼ିଏଲର ସାମାଜିକ ଦାୟିତ୍ୱ ବିଭାଗ (ସିଏସ୍ଆର୍) ମୁଖ୍ୟ ଦିଲ୍ଲୀପ କୁମାର ସାହୁ ଯୋଗଦେଇ କମ୍ପାନୀର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ଭୋଗରାଇ ବିଧାୟକ ଅନନ୍ତ ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଓ ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନଙ୍କ ସମେତ ଟିପିଏନ୍ଓଡ଼ିଏଲର ବହୁ ବରିଷ୍ଠ ଅଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଅବସରରେ ଅତିଥିମାନେ ଉତ୍କୃଷ୍ଟତା ପ୍ରଦର୍ଶନ କରିଥିବା ବିଭିନ୍ନ ଡିଭିଜନର ମହିଳା ଏସ୍ଏଚ୍ଜି ସଦସ୍ୟାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଟିପିଏନ୍ଓଡ଼ିଏଲ୍ର ଚିଫ୍ ଅଫ୍ କମର୍ସ ଦୁଷ୍ୟନ୍ତ କୁମାର ତ୍ୟାଗୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
