ଦେଶରେ କୋଭିଡ଼ ସ୍ଥିତି ନେଇ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଟେଷ୍ଟିଂ-ଟ୍ରାକିଂ-ଟ୍ରିଟମେଣ୍ଟ ଏବଂ ଭ୍ୟାକ୍ସିନେସନ ଉପରେ ଗୁରୁତ୍ୱାରୋପ
ନୂଆଦିଲ୍ଲୀ : ଚୀନରେ କରୋନା ସଂକ୍ରମଣ ବୃଦ୍ଧି ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି । ଦେଶରେ କୋଭିଡ଼ ସ୍ଥିତି ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ଏଲ. ମାଣ୍ଡଭିୟ ଭିଡ଼ିଓ କନଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିଛନ୍ତି । ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମାନଙ୍କ ସହିତ ସମ୍ଭାବ୍ୟ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ଼୍ ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ସେ ସମୀକ୍ଷା କରିଛନ୍ତି । ଏହାପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ ପାଇଁ ଆଡଭାଇଜରୀ ଜାରୀ କରିଛନ୍ତି । ଗତ ଥର ଭଳି ଏଥର ମଧ୍ୟ ରାଜ୍ୟମାନେ କରୋନା ମୁକାବିଲା କ୍ଷେତ୍ରରେ ସହଯୋଗ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଏଥିସହ ସେ ଟେଷ୍ଟିଂ-ଟ୍ରାକିଂ-ଟ୍ରିଟମେଂଟ ଏବଂ ଭ୍ୟାକ୍ସିନେସନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହା ବ୍ୟତୀତ ସମସ୍ତେ ମୁହଁରେ ମାସ୍କ ପରିଧାନ କରିବା, ହାତ ସଫା ରଖିବା ଏବଂ ସାମାଜିକ ଦୂରତ୍ୱ ବଜାୟ ରଖିବା ଆଦି କୋଭିଡ଼୍ ପ୍ରୋଟୋକଲକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସମସ୍ତ ରାଜ୍ୟ ଆଲର୍ଟରେ ରହିବା ଏବଂ କୋଭିଡ଼୍ -୧୯ ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ପ୍ରକାଶ ଥାଉ କି, ଗତକାଲି ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରିୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ପାଳନ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ନିବେଦନ କରିଥିଲେ । ସଂକ୍ରମଣ ରୋକିବାକୁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଜିନୋମ ସିକ୍ୱେନ୍ସିଂ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଚୀନରେ ଭୟାବହ ସଂକ୍ରମଣର ଲହର ଆଣିଥିବା ଓମିକ୍ରନ ପ୍ରଜାତି ବିଏଫ-୭ ଭାରତରେ ମଧ୍ୟ ଠାବ ହୋଇଥିବାରୁ ଏହି ଭୂତାଣୁଜନିତ ସଂକ୍ରମଣ ସ୍ଥିତି ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ଏଲ. ମାଣ୍ଡଭିୟ, ନୀତି ଆୟୋଗ ସିଇଓ ପରମେଶ୍ୱରନ ଆୟାର ଓ ଅନ୍ୟ ଉଚ୍ଚ ପଦାଧିକାରୀ ମାନେ ସାମିଲ୍ ହୋଇଥିଲେ ।
