ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅଧିନସ୍ଥ କୁମ୍ଭାରମୁଣ୍ଡା ଫରେଷ୍ଟ ସେକ୍ସନ ରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଖବର ରୁ ପ୍ରକାଶ ଯେ ତରଭା ବ୍ଲକ ଚାରଭଟା ଗ୍ରାମପଞ୍ଚାୟତ ଅଧିନସ୍ଥ ସୁଖିଲାସର ଗ୍ରାମର ହର ରଣା (୬୫) ଧାନ ଖଳାରେ ତାଙ୍କର ପୁତ୍ର ନିଲୁ ରଣା ଙ୍କ ସହିତ ଧାନ ଜଗି ଖଳାରେ ଶୋଇ ଥିବା ସମୟ ରେ ଭୋର ୩ ଟା ବେଳେ ହାତୀପଲ ର ଆକ୍ରମଣ ର ଶିକାର ହୋଇଥିଲେ କ୍ଷ ହାତୀ ମାନଙ୍କୁ ଦେଖି ନିଲୁ ରଣା ଜୀବନ ବିକଳରେ ଦୌଡ଼ି ପଳାଇ ଯାଇଥିବା ବେଳେ ହର ରଣା ହାତୀ ହାବୁଡରେ ପଡି ଯାଇଥିଲେ । ହାତୀପଲ ତାଙ୍କୁ ଗୋଡ଼ରେ ଦଳି ଦେଇଥିଲେ । ଫଳରେ ହର ରଣାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ପରିବାର ଲୋକେ ସକାଳୁ ଧାନ ଖଳାକୁ ଯାଇ ହର ରଣା କୁ ହାତୀ ଦଳି ମାରିଦେଇଥିବା ଦେଖି ବନ ବିଭାଗ କୁ ଖବର ଦେଇଥିଲେ । ଖବର ପାଇ ବନବିଭାଗ ର ଏ ସି ଏଫ ପ୍ରଫୁଲ୍ଲ କୁମାର ଧରୁଆ, ସୋନପୁର ରେଞ୍ଜର ମନୋରଞ୍ଜନ ବାଗ ଓ କୁମ୍ଭାରମୁଣ୍ଡା ଫରେଷ୍ଟର ଦିନେଶ ମାଝୀ ପ୍ରମୁଖ ବିଭାଗିୟ କର୍ମଚାରୀ ମାନଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ପୁଲିସ କୁ ଖବର ଦେବା ସହିତ ଶବକୁ ଜବତ କରି ତରଭା ଡାକ୍ତରଖାନା କୁ ପଠାଇ ଥିଲେ । ଖବରପାଇ କମସରା ଫାଣ୍ଡି ଅଧିକାରୀ ଗଜାନନ ବେହେରା ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତି ଯାଞ୍ଚ କରିବା ସହିତ ତରଭାଥାନା କୁ ଖବର ଦେଇଥିଲେ । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଓ ଏହାର ତଦନ୍ତ ଦାୟିତ୍ୱ କମସରା ଫାଣ୍ଡି ଅଧିକାରୀ ଗଜାନନ ବେହେରା ନେଇଥିବା ଆଇଆଇସି ସୁବ୍ରତ କୁମାର ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ହାତୀ ଆକ୍ରମଣରେ ମୃତ୍ୟୁବରଣ କରୁଥିବା ଏହି ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ସରକାରୀ ସହାୟତା ପ୍ରଦାନ ପାଇଁ ତୁରନ୍ତ ପଦକ୍ଷେପ ନେଉଥିବା ବିଷୟ ଏସିଏଫ ଶ୍ରୀ ଧରୁଆ ପ୍ରକାଶ କରିଛନ୍ତି କ୍ଷ ଏବଂ ମୃତ ବ୍ୟକ୍ତି ର ଅନ୍ତ୍ୟେଷ୍ଟି କ୍ରିୟା ସମୟରେ ସଙ୍ଗେ ସଙ୍ଗେ ଉକ୍ତ ରାଶି ର ଦଶ ପ୍ରତିଶତ ୪୦ ହଜାର ଟଙ୍କା ପ୍ରଦାନ କରାଯିବ ଓ ଅବଶିଷ୍ଟ ୩ ଲକ୍ଷ ୬୦ ହଜାର ଟଙ୍କା ସରକାରୀ ନିୟମ ଅନୁସାରେ ପରେ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ । ଏହି ଅଞ୍ଚଳ ହାତୀ ଉପଦ୍ରବ ଅଞ୍ଚଳ ହୋଇଥିବାରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ହାତୀ ମାନଙ୍କ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯାଉଥିବା ଫରେଷ୍ଟର ଶ୍ରୀ ମାଝୀ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଉପଦ୍ରବ କରୁଥିବା ଏହି ୧୦ ଟିକିଆ ହାତୀ ପଲ ମଧ୍ୟରେ ଗୋଟିଏ ଅଣ୍ଡିରା ହାତୀ ଥିବା ବେଳେ ୬ ଗୋଟି ମାଇଁ ହାତୀ ଓ ୩ ଗୋଟି ଛୋଟ ଛୋଟ ହାତୀ ରହିଥିବା ଫରେଷ୍ଟର ଶ୍ରୀ ମାଝୀ ପ୍ରକାଶ କରିଛନ୍ତି । ଏବଂ ହାତୀ ମାନଙ୍କ ର ଗତିବିଧି ଉପରେ ବିଭାଗ ପକ୍ଷରୁ ତୀକ୍ଷ୍ଣ ନଜର ରଖା ଯାଇଥିବା ସୂଚନା ମିଳିଛି ।
