ଗିରଫ ହେଲେ କୋଟିପତି ଇଡକଲ୍ ଡେପୁଟି ମ୍ୟାନେଜର ଗୟା ସାନ୍ତରା
ଭୁବନେଶ୍ୱର : ଭିଜିଲାନ୍ସ ଦ୍ବାରା ଗିରଫ ହେଲେ କୋଟିପତି ଇଡକଲ୍ ଡେପୁଟି ମ୍ୟାନେଜର ଗୟା ସାନ୍ତରା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କରାଯାଇଛି । ଚଢ଼ାଉ ବେଳେ ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ତାଙ୍କ ନିକଟରୁ ପୁଳା ପୁଳା ସୁନା ସହ ୧୦ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା । ୨୪ ଘଣ୍ଟା ଧରି ଭିଜିଲାନ୍ସ ସେଲରେ ଅଟକ ରହିବା ପରେ ତାଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ ଜେଠୱା ସୂଚନା ଦେଇଛନ୍ତି।
ଗୟା ସାନ୍ତରାଙ୍କ ନାଁରେ ୧୩ଟି ପ୍ଲଟ ଓ ଆଲିସାନ ଫ୍ଲାଟ ଅଛି। ଏହାଛଡ଼ା ତାଙ୍କ ଘରୁ ନଗଦ କୋଟିଏ ୬ ଲକ୍ଷ ଟଙ୍କା ମିଳିଥିଲା। ସେହିପରି ତାଙ୍କ ଆକାଉଣ୍ଟରେ ରହିଛି ୪ କୋଟି ୧୯ ଲକ୍ଷ ଟଙ୍କା ଚଢ଼ାଉ ବେଳେ କେଜିଏ ସୁନା ଓ ୬ କେଜି ରୁପା ଜବତ ହୋଇଥିଲା। ତାଙ୍କ ସମ୍ପତ୍ତିର ପରିମାଣ ଆହୁରି ବୃଦ୍ଧି ହେବା ନେଇ ଆଶଙ୍କା ରହିଛି।

ସୂଚନା ଯେ, ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦେଶ କ୍ରମେ ରାଜ୍ୟ ଭିଜିଲାନ୍ସର ୭ଟି ଟିମ୍ ମଙ୍ଗଳବାର ରାଜଧାନୀ ଠାରୁ ଆରମ୍ଭ କରି ଯାଜପୁର, ନୟାଗଡ଼, କୋରାପୁଟ ସ୍ଥିତ ସାନ୍ତରାଙ୍କ ଭଡ଼ାଘର ଓ ସରକାରୀ କାର୍ଯ୍ୟାଳୟ, ନୟାଗଡ଼ ଓଡ଼ଗାଁସ୍ଥିତ ପୈତୃକ ବାସଭବନ, ରାୟଗଡ଼ା ସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘର ସମେତ ୭ଟି ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱରରେ ଥିବା ୩ମହଲା ବିଶିଷ୍ଟ କୋଠା, ଏକ କେବୁଲ୍ ଫ୍ୟାକ୍ଟ୍ରି, ଜୟଦେବ ବିହାର ଅଞ୍ଚଳରେ ଥିବା ୪ମହଲା ବିଶିଷ୍ଠ ନିର୍ମାଣାଧୀନ ବିଲ୍ଡିଂ, ସୁଙ୍କିରେ ଥିବା ଘର ଥିବା ଜଣାପଡ଼ିଥିଲା। ଏହାଛଡ଼ା ରାଜଧାନୀରେ ୭ଟି ପ୍ଲଟ, ଯାଜପୁରରେ ୫ଟି ଏବଂ ନୟାଗଡ଼ରେ ଗୋଟିଏ ପ୍ଲଟକୁ ଠାବ କରିଥିଲା। ସେହିପରି ବିଭିନ୍ନ ବ୍ୟାଙ୍କରେ ଥିବା ୧୬ଟି ଆକାଉଣ୍ଟ ଥିବା ବେଳେ ୩ଟି ଆକାଉଣ୍ଟରେ ସାଢ଼େ ୪କୋଟିରୁ ଊର୍ଧ୍ବ ଟଙ୍କା ଜମା ଥିବା ଜଣାପଡ଼ିଥିଲା। ବାକି ୧୨ଟି ଆକାଉଣ୍ଟର ଯାଞ୍ଚ କରାଯାଇଥିଲା। ଏହି ଚଢ଼ାଉରେ ୭ ଡିଏସପି, ୪ ଜଣ ଇନ୍ସପେକ୍ଟର, ଜଣେ ସବ୍-ଇନ୍ସପେକ୍ଟର ଏବଂ ୭ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀମାନେ ନିୟୋଜିତ ଥିଲେ।
