ବାଲେଶ୍ୱର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ; ରାଜ୍ୟର ପ୍ରଥମ ସୌରଶକ୍ତି ଚାଳିତ ଷ୍ଟ୍ରିଟଲାଇଟ୍ ଓଭରବ୍ରିଜ୍କୁ କରିବେ ଲୋକାର୍ପଣ
ବାଲେଶ୍ୱର : ଆଜି ବାଲେଶ୍ୱର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁରୁବାର ପୂର୍ବାହ୍ନ ୧୧ଟା ୧୫ରେ ହେଲିକପ୍ଟର ମାଧ୍ୟମରେ ପୋଲିସ ରିଜର୍ଭ ପଡ଼ିଆରେ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ। ଏହି ପରିପ୍ରେକ୍ଷୀରେ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବାଲେଶ୍ୱରର ଶୋଭାରାମପୁର ଠାରେ ଏକ ରେଲୱେ ଓଭରବ୍ରିଜ୍ (ଏଲ୍ସି-୭୯)କୁ ଲୋକାର୍ପଣ କରିବା ସହ ଜଳେଶ୍ବରରେ ଦୁଇଟି ଓଭରବ୍ରିଜ୍ର ଶିଳାନ୍ୟାସ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲା ଓ ପୋଲିସ ପ୍ରଶାସନ ସମସ୍ତ ପ୍ରସ୍ତୁତି ସାରିଛି ।
ସୂଚନା ଯେ, ଶୋଭାରାମପୁର ସ୍ଥିତ ରେଲୱେ ଓଭରବ୍ରିଜ୍ ହେଉଛି ରାଜ୍ୟର ପ୍ରଥମ ରେଳ ଓଭରବ୍ରିଜ୍ ଯେଉଁଠି କେବଳ ସୋଲାର ଷ୍ଟ୍ରିଟ୍ ଲାଇଟ୍ ଲାଗିଛି। ଅକ୍ଷୟ ଶକ୍ତିକୁ ବ୍ୟବହାର କରି ଏହି ସବୁ ଷ୍ଟ୍ରିଟ୍ ଲାଇଟ୍ ଲାଗିଥିବାବେଳେ ଏହାର ବିଶେଷତ୍ବ ହେଉଛି, ବ୍ରିଜ୍ରେ ଲୋକ ଥିଲେ ଲାଇଟ୍ ଜୋର୍ରେ ଜଳିବ, ଲୋକ ନଥିଲେ ଡିମ୍ ହୋଇଯିବ। କମ୍ ବିଦ୍ୟୁତ ଖର୍ଚ୍ଚରେ ଯେପରି ଅଧିକ ସମୟ ଷ୍ଟ୍ରିଟ୍ ଲାଇଟ୍ ଜଳିବ ତାହାକୁ ନଜରରେ ରଖି ପାନାସୋନିକ୍ କମ୍ପାନି ପକ୍ଷରୁ ଏହି ଅଧିକ କ୍ଷମତାସମ୍ପନ୍ନ ଷ୍ଟ୍ରିଟଲାଇଟ୍ ପ୍ରସ୍ତୁତ କରାଯାଇଛି। ୪୭କୋଟିରେ ନିର୍ମାଣ ହୋଇଥିବା ଏହି ଓଭରବ୍ରିଜ୍ରେ ୭୬ଟି ୬୦ୱାଟ୍ର ସୋଲାର ଷ୍ଟ୍ରିଟ୍ ଲାଇଟ୍ ଲାଗିଛି।
