ଆଜି ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ, ୧୮୦୬ କୋଟି ଟଙ୍କାର ୧୯୧ଟି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତପ୍ରସ୍ତର ସ୍ଥାପନ
ବାଲେଶ୍ୱର : ଆଜି ବାଲେଶ୍ୱର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପରିପ୍ରେକ୍ଷୀରେ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୧୮୦୬ କୋଟି ଟଙ୍କାର ୧୯୧ଟି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ।
ଏହି ଅବସରରେ ଶୋଭାରାମପୁର ଠାରେ ଏକ ରେଲୱେ ଓଭରବ୍ରିଜ୍ (ଏଲ୍ସି-୭୯)ର ଉଦ୍ଘାଟନ ହେବା ସହିତ ୬୯ଟି ଅନ୍ୟ ପ୍ରକଳ୍ପ ମଧ୍ୟ ଉଦ୍ଘାଟନ ହେବ, ଯାହାର ମୂଲ୍ୟ ୩୭୫ କୋଟି ଟଙ୍କା । ମାନ୍ୟବର ମୁଖ୍ୟମନ୍ତ୍ରୀ ୧୫୦୦କୋଟି ଟଙ୍କା ମୂଲ୍ୟର ୧୨୨ଟି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ପୁନଶ୍ଚ, ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରାୟ ୬୦୦୦୦ ସଦସ୍ୟା ବିଶିଷ୍ଟ ୫୬୦୦ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ୨୨୦କୋଟି ଟଙ୍କାର ମିଶନ ଶକ୍ତି ଋଣ ସହାୟତା ରାଶି ପ୍ରଦାନ କରିବେ । ଏହି ରାଶି ଜିଲା ପ୍ରଶାସନ ବାଲେଶ୍ୱରର ଏକ ଅଭିନବ ପଦକ୍ଷେପ ‘ଏକ ଗ୍ରାମପଂଚାୟତ – ଏକ ଉତ୍ପାଦ’ କାର୍ଯ୍ୟକ୍ରମକୁ ନୂତନ ପାହାଚରେ ପହଂଚାଇବା ପାଇଁ ସହଯୋଗ କରିବେ । ଏହାଦ୍ୱାରା ମିଶନ ଶକ୍ତି ମହିଳାମାନଙ୍କର ଜୀବିକାର ଉନ୍ନତି ତଥା ଉତ୍ପାଦନ କ୍ଷମତା ବୃଦ୍ଧି ହେବା ସହ ନୂତନ ଜ୍ଞାନକୌଶଳର ବିକାଶକୁ ପ୍ରୋତ୍ସାହନ ଦେବ ।
ମୁଖ୍ୟମନ୍ତ୍ରୀ ଜିଲ୍ଲାର ୧୨ଟି ବ୍ଲକ ସମେତ ବାଲେଶ୍ବର, ସୋର, ଜଳେଶ୍ବର ମ୍ୟୁନିସିପାଲିଟି ଓ ରେମୁଣା, ନୀଳଗିରି ଏନ୍ଏସିର ମୋଟ ୩୬୪ କୋଟି ୬୧ ଲକ୍ଷ ଟଙ୍କାର ୫୭ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ୧ହଜାର ୪୨ କୋଟି ୬୯ ଲକ୍ଷ ଟଙ୍କାର ୧୦୪ଟି ପ୍ରକଳ୍ପର ଭିତ୍ତି ପ୍ରସ୍ଥର ସ୍ଥାପନ କରିବେ । ବିଭିନ୍ନ ପ୍ରକଳ୍ପ ମଧ୍ୟରେ ରହିଛି ସୋମନାଥପୁର ରେଳ ବ୍ରିଜ୍, ହଳଦୀପଦା ଠାରୁ ଦୀଘା ପର୍ଯ୍ୟନ୍ତ ଆନ୍ତଃରାଜ୍ୟ ସଡ଼କ, ହରଗଙ୍ଗା ପୋଖରୀ ନବୀକରଣ, ସୁବର୍ଣ୍ଣରେଖା ନଦୀ ଉପରେ ପୋଲ, ଚାନ୍ଦିପୁର ପାଇଁ ସ୍ବତନ୍ତ୍ର ବିଦ୍ୟୁତ୍ ଗ୍ରୀଡ ଷ୍ଟେସନ୍ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପୋଲିସ ଲାଇନ୍ ପଡ଼ିଆରେ ହେଲିପ୍ୟାଡ଼ ନିର୍ମାଣ ସହିତ ୧୫ ହଜାରରୁ ଅଧିକ ଲୋକଙ୍କ ବସିବା ପାଇଁ ସ୍ବତନ୍ତ୍ର ଟେଣ୍ଟ ପ୍ରସ୍ତୁତ କରାଯାଇଛି । ଟେକ୍ନିକାଲ ଫିଲଡ, ଫକୀର ମୋହନ କଲେଜ ପଡ଼ିଆ, ଆଇଟିଆଇ ପଡ଼ିଆ ଭଳି ୫ଟି ପଡ଼ିଆରେ ଗାଡ଼ି ପାର୍କିଂ ପାଇଁ ସୁବିଧା ହୋଇଛି । ଏସ୍ପିଙ୍କ ନେତୃତ୍ବରେ ୨ ଜଣ ଅତିରିକ୍ତ ଏସ୍ପି, ୬ଜଣ ଡ଼ିଏସ୍ପି, ୧୧ ଜଣ ଇନ୍ସପେକ୍ଟରଙ୍କ ସହିତ ଫୋର୍ସ ମୁତୟନ ହେବେ ।
