ଶୀତଦିନିଆ ରୋଗ ଆଲୋଚନା ଚକ୍ର
କଟକ : ଦୋଳମୁଣ୍ଡାଇଛକସ୍ଥିତ ବାବା ସାଗର ଦାସ ସରକାରୀ ବିଦ୍ୟାଳୟ ପରିସରରେ ଶୀତଦିନିଆ ରୋଗ ସର୍ଦ୍ଦି, କାଶ ଓ ଶ୍ୱାସ ଉପରେ ଏକ ରାଜ୍ୟସ୍ତରୀୟ ସ୍ୱାସ୍ଥ୍ୟ ସଭା ପ୍ରଧାନଶିକ୍ଷକ ନିଗମ ପ୍ରସାଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ଆୟୁର୍ବେଦ ସେବା ସଂସ୍ଥାର ଅଧ୍ୟକ୍ଷ ତଥା ଡି.ଲିଟ୍ପ୍ରାପ୍ତ ବିଶିଷ୍ଟ ଆୟୁର୍ବେଦ ଗବେଷକ ଡାକ୍ତର ଦୀନବନ୍ଧୁ ମହାରଣା ଯୋଗଦେଇ ଶୀତ ଦିନରେ ଥଣ୍ଡା, କାଶ ଓ ଶ୍ୱାସ ଭଳି ମାରାତ୍ମକ ରୋଗ ଦେଖାଦେଉଥିବାରୁ ଏଥିପ୍ରତି ପ୍ରତ୍ୟେକ ବ୍ୟକ୍ତି ସଚେତନ ରହି ସିଝାପାଣି ପ୍ରତିଦିନ ପିଇବା, ରସୁଣକୁ ଛେଚି ଖାଦ୍ୟ ସଙ୍ଗେ ମିଶାଇ ଅଧିକ ଖାଇବା ସହିତ ପ୍ରତିଦିନ ବ୍ୟାୟାମ କରିବା ଉପରେ ଗୁରୁତ୍ୱାରୋପ କରି ଆୟୁର୍ବେଦୀୟ ଶାସ୍ତ୍ରୀୟ ଔଷଧ ସେବନ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଗବେଷକ ସୁଲତା ପଣ୍ଡା, ଡାକ୍ତର ମିନତି ମହାରଣା, ଅଭିପ୍ସାର ସଂପାଦକ ସଂଗ୍ରାମ କେଶରୀ ନାୟକ, ସ୍ୱାସ୍ଥ୍ୟ ସଚେତକ ଶ୍ରଦ୍ଧାଞ୍ଜଳି ରାଉତ, ଦିପ୍ତିମୟୀ ସ୍ୱାଇଁ, ସନ୍ଧ୍ୟାରାଣୀ ଦାଶ, ସସ୍ମିତା ବିଶ୍ୱାଳ ଏବଂ ସଂଗୀତା ମୁଳିଆ ପ୍ରମୁଖ ଗବେଷକମାନେ ଯୋଗଦେଇ ସୁସ୍ଥ ଓ ନିରାମୟ ଜୀବନ ପାଇଁ ପାଶ୍ୱର୍ ପ୍ରତିକ୍ରିୟା ବିହୀନ ଆୟୁର୍ବେଦ ଚିକିତ୍ସା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ସୁଲତା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବାର୍ଷିକ ପୁରସ୍କାର ପ୍ରଦାନ କରାଯାଇଥିଲା ।
