ଆଦିବାସୀ ସଙ୍ଗଠନ ସମୁହର ମୟୁରଭଞ୍ଜ ବନ୍ଦ ଡାକରାଆଦିବାସୀ ଭାଷା ଶିକ୍ଷକଙ୍କୁ ନିୟମିତ କରିବା ଦାବୀ ବାରିପଦାରେ ବନ୍ଦ ଆଂଶିକ ସଫଳ
ବାରିପଦା : ଆଦିବାସୀ ଭାଷା ସାହିତ୍ୟର ବିକାଶ ସହ ଆଦିବାସୀ ଭାଷା ଶିକ୍ଷକ ମାନଙ୍କୁ ନିୟମିତ କରାଯିବା ଦାବୀରେ ମିଳିତ ଆଦିବାସୀ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ୧୨ଘଂଟିଆ ମୟୁରଭଞ୍ଜ ବନ୍ଦ ଡାକରାର ପ୍ରଭାବ ଆଜି ଅନେକ ସ୍ଥାନରେ ଦେଖାଯାଇଛି । ସୂଚନା ମୁତାବକ ଜିଲ୍ଲାରେ ୨୦୦୭ରେ ରାଜ୍ୟ ସରକାର ୧୦୦ଜଣ ଅଲିଚିକି କମ୍ୟୁନିଟି ମୋବିଲାଇଜର ଓ ୨୦୦୯ରେ ୨୦ଜଣ ମୁଣ୍ଡାରୀ ଶିକ୍ଷକଙ୍କୁ ଆଦିବାସୀ ପିଲାଙ୍କୁ ନିଜ ମାତୃଭାଷାରେ ଶିକ୍ଷା ଦାନ କରିବା ପାଇଁ ସ୍ୱଳ୍ପ ଦରମାରେ ନିଯୁକ୍ତି ଦେଇଥିଲେ । ଏମାନେ ଦୀର୍ଘ ୧୫ ବର୍ଷ ଧରି ଅନ୍ୟ ସାଧାରଣ ଶିକ୍ଷକଙ୍କ ଭଳି ଶିକ୍ଷାଦାନ କରିବା ସଙ୍ଗେ ସଙ୍ଗେ ସରକାରଙ୍କ ନିର୍ଦ୍ଦେଶିତ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ମଧ୍ୟ ସମ୍ପାଦନ କରି ଆସୁଥିଲେ ମଧ୍ୟ ମାସିକ ମାତ୍ର ୩୨ଶହ ଟଙ୍କା ଦରମା ପାଉଛନ୍ତି । ଦୀର୍ଘ ୧୫ବର୍ଷ ନିରବଚ୍ଛିନ୍ନ କାର୍ଯ୍ୟ କରିଥିବାରୁ ସରକାର ତାଙ୍କୁ ନିୟମିତ କରନ୍ତୁ ବୋଲି ସେମାନେ ଦାବି କରି ଦୀର୍ଘ ଦିନ ଧରି ବାରିପଦା ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ପଦଯାତ୍ରାରେ ଭୁବନେଶ୍ୱର ନବୀନ ନିବାସ ଯାତ୍ରା କରିଛନ୍ତି । ତେବେ ତାଙ୍କର ଦାବୀ ପୁରଣ ହୋଇ ନଥିବାରୁ ରାଜ୍ୟ ସରକାରଙ୍କ ଏଭଳି ଉଦାସୀନତାକୁ ବିରୋଧ କରି ଆଦିବାସୀ ସଙ୍ଗଠନ ତରଫରୁ ମିଳିତ ଭାବେ ଆଜି ମୟୂରଭଂଜ ଜିଲ୍ଲା ବନ୍ଦ ଡାକରା ଦେଇଥିଲେ । ଜିଲ୍ଲା ପେସା ଗ୍ରାମସଭା ସମନ୍ୱୟ କମିଟି, ମାସା ଆର୍ମି ପ୍ରମୁଖ ସଂଗଠନର ମିଳିତ ଆହ୍ୱାନରେ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଜିଲ୍ଲାରେ ୧୨ ଘଣ୍ଟିଆ ହରତାଳ ହୋଇଥିବା ବେଳେ, ଜିଲ୍ଲା ସଦର ମହକୁମାରେ ଏହାର ଆଂଶିକ ପ୍ରଭାବ ପଡ଼ିଛି । ଘରୋଇ ବସ ସେବା ସକାଳ ଓଳି ସଂପୂର୍ଣ୍ଣ ବନ୍ଦ ଥିବା ସମୟରେ ସରକାରୀ କାର୍ଯ୍ୟାଳୟ, ବିଭିନ୍ନ ଶିକ୍ଷାନୁଷ୍ଠାନ, ପରିବା ବଜାର, ମାର୍କେଟ ଆଦି ଖୋଲାଥିବାର ଦେଖିବାକୁ ମିଳିଛି । ତେବେ ଗାଡିମଟର ବନ୍ଦ ଥିବାରୁ ଯାତ୍ରୀ ମାନେ ବେଶ ହଇରାଣ ହୋଇଥିବାର ଦେଖା ଯାଇଥିଲା । ଆଦିବାସୀ ସଂଗଠନ ସମୁହର କର୍ମୀ ମାନେ ସହର ରେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ବନ୍ଦ କରାଉଥିବାର ଦେଖିବାକୁ ମିଳିଥିଲା । ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ବ୍ୟାପକ ପୋଲିସ ମୁତୟନ ହୋଇଥିବା ବେଳେ, ମାସା ଆର୍ମୀ ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡି, ଜିଲ୍ଲା ସଭାପତି ମୁକେଶ ମାରାଣ୍ଡି, ପେସା ଗ୍ରାମସଭା ସମ୍ପାଦକ ନନାରାମ ମୁର୍ମୁ, ଲକ୍ଷ୍ମୀକାନ୍ତ ବାସ୍କେ, ରଣଜିତ ମୁର୍ମୁ, ମିହିର ସିଂ, ଗୋପାଲ ସିଂ, ବାଦଲ ମାରାଣ୍ଡି, ମଦନ ହାଁସଦା, ଚୈତନ ସରେନ, ତୋଫାନ ହେମ୍ବ୍ରମ, କିରଣ ମାରାଣ୍ଡି, ଦୁଲାରାମ୍, କୃଷ୍ଣ ଟୁଡ଼ୁ, ଦାଖିନ ମୁର୍ମୁ, ବିଶ୍ରାମ ମୁର୍ମୁ ବାଦଲ ହେମ୍ବ୍ରମ, ଚାନ୍ଦ୍ରାୟ ହାଁସଦା ପ୍ରମୁଖ ବନ୍ଦ ପାଳନ ରେ ସାମିଲ ଥିଲେ I
