ବାରିପଦା:ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ମୟୂରଭଞ୍ଜ ତରଫରୁ ଜିଲ୍ଲାସ୍ତରୀୟ ବିଜ୍ଞାନମେଳା ଅତିଥିମାନଙ୍କ ଦ୍ୱାରା ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଉଦ୍ଘାଟିତ ହୋଇଯାଇଅଛି । ଉକ୍ତ ଉଦ୍ଘାଟନୀ ଉତ୍ସବରେ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀଯୁକ୍ତ ବିନୀତ ଭରଦ୍ୱାଜ ମୁଖ୍ୟ ଅତିଥି, ସ୍ୱତନ୍ତ୍ର ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲ, ସମ୍ମାନୀତ ଅତିଥିଭାବେ କୃଷି ବିଜ୍ଞାନ କେନ୍ଦ୍ର, ବାରିପଦାର ବରିଷ୍ଠ ବୈଜ୍ଞାନିକ ଡ. ସଂଘମିତ୍ରା ପଟ୍ଟନାୟକ ଉପସ୍ଥିତ ଥିଲେ । ଉଦ୍ଘାଟନୀ ବକ୍ତବ୍ୟରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତ କୁନି ବୈଜ୍ଞାନିକମାନଙ୍କର ଚିନ୍ତାଧାରାର ବିକାଶ ତଥା ସୁପ୍ତ ଅର୍ନ୍ତନିହିତ ପ୍ରତିଭାର ପରିପ୍ରକାଶ ନିମନ୍ତେ ଉତ୍ସାହିତ କରିବା ସହିତ ଜିଲ୍ଲାସ୍ତରରୁ ଶ୍ରେଷ୍ଠ ବିବେଚିତ ସାତଟି ପ୍ରକଳ୍ପ ରାଜ୍ୟ ସ୍ତରରେ ଯେପରି ସଫଳତାକୁ ଦହରାଇ ଜିଲ୍ଲାର ଗୌରବ ବୃଦ୍ଧି କରିବେ ସେଥିପାଇଁ ପିଲାମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଅନୁରୂପ ଭାବେ ଅତିରିକ୍ତ ଜିଲ୍ଲାପାଳ ବିଜ୍ଞାନମେଳାର ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ପ୍ରକଳ୍ପର ନିର୍ମାଣ କୌଶଳ ଏବଂ ବୈଜ୍ଞାନିକ ଦକ୍ଷତା ବୃଦ୍ଧିରେ ସହାୟକ ହୁଏ ବୋଲି କହିଥିଲେ । କୃଷି ବୈଜ୍ଞାନିକ କେନ୍ଦ୍ର, ବାରିପଦାର ବରିଷ୍ଠ ବୈଜ୍ଞାନିକ ଡ. ସଂଘମିତ୍ରା ପଟ୍ଟନାୟକ ଯୋଗଦେଇ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ଲକ୍ଷ୍ୟ ସାଧନ, ଆତ୍ମବିଶ୍ୱାସ, ସୃଜନଶୀଳତା ଓ ଏକ ସୁନ୍ଦର ସ୍ୱପ୍ନ ସେମାନଙ୍କୁ ଭବିଷ୍ୟତରେ ଶ୍ରେୟ ଆଣିଦେବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଶାନ୍ତ କୁମାର ମହାନ୍ତି ଓ ଏମ୍.କେ.ସି. ହାଇସ୍କୁଲର ପ୍ରଧାନଶିକ୍ଷକ ଗୌତମ ପାତ୍ର ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଅତିରିକ୍ତ ଜିଲ୍ଲାଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ବାରିକଙ୍କ ପୌରହିତରେ ବିଜ୍ଞାନମେଳା ଅନୁଷ୍ଠିତ ହୋଇଥିଲା । ଓଡିଶା ଆଦର୍ଶ ବିଦ୍ୟାଳୟ, ଟିଟିଆ, ଗୋପବନ୍ଧୁନଗର ର ଅଧ୍ୟକ୍ଷ ଲିପ୍ସା ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଅତିଥିମାନେ ବିଜ୍ଞାନ ପତାକା ଉତ୍ତୋଳନ କରିବା ସହିତ ଜିଲ୍ଲାପାଳ ବିଜ୍ଞାନ ପ୍ରଦର୍ଶନୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରେ ଅତିଥିମାନେ ବିଭିନ୍ନ ପ୍ରଦର୍ଶିତ ପ୍ରକଳ୍ପଗୁଡିକୁ ବୁଲି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲାସ୍ତରୀୟ ବିଜ୍ଞାନମେଳାର ପାଞ୍ଚଗୋଟି ବିଷୟବସ୍ତୁକୁ ନେଇ ଆୟୋଜନ କରାଯାଇଅଛି । ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟାର ଅଗ୍ରସରତା, ପରିବେଶ ସଚେତନତା, ସ୍ୱାସ୍ଥ୍ୟ ଓ ପରିଷ୍କାର ପରିଚ୍ଛନ୍ନତା, ଗମନାଗମନ ଓ ନୂତନ ଉଦ୍ଭାବନ, ଆମ୍ଭମାନଙ୍କ ପାଇଁ ଗଣିତ ପ୍ରଭୃତି ଉପବିଷୟବସ୍ତୁ ଉପରେ ପ୍ରକଳ୍ପଗୁଡିକ ପ୍ରଦର୍ଶିତ ହୋଇଥିଲା । ଏଥିରେ ପ୍ରତ୍ୟେକ ବ୍ଲକ ସ୍ତରରୁ ଶ୍ରେଷ୍ଠ ବିବେଚିତ ପାଞ୍ଚଟି ପ୍ରକଳ୍ପ ସ୍ଥାନ ପାଇବା ସହ ଇନସ୍ପାୟାର ଏୱାର୍ଡ, ୨୦୨୧-୨୨ରେ ମନୋନୀତ ହୋଇଥିବା ୮୩ଟି ପ୍ରକଳ୍ପ ସମେତ ସର୍ବମୋଟ ୨୦୦ଟି ପ୍ରକଳ୍ପ ସ୍ଥାନିତ ହୋଇଛି । ଏହି କାର୍ଯ୍ୟକ୍ରମ ୨ଦିନ ଧରି ଅନୁଷ୍ଠିତ ହେବ । ଆଜିର କାର୍ଯ୍ୟକ୍ରମରେ ଅପରାହ୍ଣ ଓ ସାନ୍ଧ୍ୟ ଅଧିବେଶନରେ ବିଜ୍ଞାନ କୁଇଜ୍, ବିଜ୍ଞାନ ଖେଳ ଓ ବିଜ୍ଞାନ ନାଟକ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ହୋଇଥିଲା । ମେଳାକୁ ଅଧିକ ଆକର୍ଷିତ କରିବା ପାଇଁ ଶିକ୍ଷକ ଅଜୟ କୁମାର ଘୋଷଙ୍କ ଦ୍ୱାରା ବାଲୁକା ପ୍ରଦର୍ଶନୀ ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ରକଳା ପ୍ରଦର୍ଶିତ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମରେ ବାରିପଦା ବ୍ଲକ ଶିକ୍ଷା ଅଧିକାରୀ ପ୍ରଭାତି ପଟ୍ଟନାୟକ, ଜିଲ୍ଲା ଶାରୀରିକ ଶିକ୍ଷା ନୀରିକ୍ଷକ ଭାଗିରଥି ମଲ୍ଲିକ, ଏମ୍.କେ.ସି. ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ କୁଞ୍ଜବାଳା ମହାନ୍ତ, ପୂର୍ବତନ ବିଜ୍ଞାନ ପରିଦର୍ଶକ ଅମିତାଭ ମିଶ୍ର, ନଳୀନ କୁମାର ଚୌଧୁରୀ, ଜଗନ୍ନାଥ ସାହୁ, ରାଇରଙ୍ଗପୁର ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରଞ୍ଜନ କୁମାର ନନ୍ଦ, ସମଗ୍ର ଶିକ୍ଷାର ଜିଲ୍ଲା ଭିନ୍ନକ୍ଷମ ସଂଯୋଜକ ନିରଞ୍ଜନ ନାୟକ, ବାଳିକା ଶିକ୍ଷା ସଂଯୋଜକ ସପନ କୁମାର ପୃଷ୍ଟି, ବିଜ୍ଞାନମେଳା ଟିମ୍ର ସମସ୍ତ ସଦସ୍ୟ, ଏମ୍.କେ.ସି. ହାଇସ୍କୁଲର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।
Post Views: 32,910