ବ୍ୟାଙ୍କ ଅଫ ଇଣ୍ଡିଆର ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ
ବାଲେଶ୍ୱର : ବ୍ୟାଙ୍କ ଅଫ ଇଣ୍ଡିଆର ଅବସରପ୍ରାପ୍ତ କର୍ମଚାରୀ ସଂଘର ବାଲେଶ୍ୱର କ୍ଲଷ୍ଟରର ଏକ ବୈଠକ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଜିଲା ସଭାପତି ବୈକୁଣ୍ଠ ନାଥ ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ । ସଂଘର ରାଜ୍ୟ ଉପ-ସଭାପତି ମଧୁସୁଦନ ରାଉତ ଓ କୋଷାଧ୍ୟକ୍ଷ ପ୍ରକାଶ ରଥ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସମାଧାନରେ ସରକାରୀ ଅବହେଳା ସମ୍ପର୍କରେ ଆଲୋଚନା କରିଥିଲେ ।
ଜିଲା ସମ୍ପାଦକ ଲକ୍ଷ୍ମଣ କୁମାର ସେଠୀ ଉପସ୍ଥିତ ରହି ବ୍ୟାଙ୍କ ଅଫ ଇଣ୍ଡିଆର ଅବସରପ୍ରାପ୍ତ କର୍ମଚାରୀଙ୍କ ସାମାଜିକ ସୁରକ୍ଷା ଓ ପେନସନ ବ୍ୟବସ୍ଥାର ସୁଧାର ଆଣିବା ଏକାନ୍ତ ଆବଶ୍ୟକ । ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ରେକର୍ଡ ନିୟମିତ ଅପଡେଟ ହେଉନଥିବାରୁ ସେ ନେଇ ଉଦବେଗ ପ୍ରକାଶ ସହ ଏହାର ନିରାକରଣ ଦିଗରେ ବ୍ୟାଙ୍କ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ଦାବି ଉପସ୍ଥାପନ କରିଥିଲେ । ସେହିପରି ଅବସରପ୍ରାପ୍ତ କର୍ମଚାରୀଙ୍କୁ ମିଳୁଥିବା ମେଡିକାଲ ଇନସ୍ୟୁରାନ୍ସର ପ୍ରମିୟମ ଦେୟ ହ୍ରାସ ସହ ସେଥିରେ ଜିଏସ୍ଟିକୁ ଛାଡ଼ ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟପକ୍ଷରେ ଅବସରପ୍ରାପ୍ତ କର୍ମଚାରୀମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟାର ନିରାକରଣ ସମ୍ପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପାଇଁ ସଂଘକୁ କ୍ଷମତା ପ୍ରଦାନ ନିମନ୍ତେ ଦାବି ଜଣାଇଥିଲେ । ନିୟମିତ କର୍ମଚାରୀଙ୍କ ଭଳି ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସମସ୍ତ ସୁବିଧା ସୁଯୋଗ ସହ ଶତ ପ୍ରତିଶତ ମହଙ୍ଗା ଭତ୍ତା (ଡିଏ) ପ୍ରଦାନ ପାଇଁ ସଂଘ ପକ୍ଷରୁ ଦାବି କରାଯାଇଥିଲା । ସଂଘର ବରିଷ୍ଠ ସଦସ୍ୟ ମାନସ ପାଣିଗ୍ରାହୀ ଓ ପ୍ରତାପ ନାୟକ ଯୋଗଦେଇ ଅବସରପ୍ରାପ୍ତ କର୍ମଚାରୀଙ୍କ ସାମାଜିକ ସୁରକ୍ଷା ଦିଗରେ ଆଲୋଚନା କରିଥିଲେ । ଏଥିସହ ସଂଘର ଦାବି ହାସଲ ପାଇଁ ଅବସରପ୍ରାପ୍ତ କର୍ମଚାରୀମାନେ ପ୍ରତ୍ୟେକ ସମୟରେ ସଂଗଠିତ ହେବାକୁ ସେମାନେ ଆହ୍ୱାନ ଦେଇଥିଲେ । ବ୍ୟାଙ୍କ ଅଫ ଇଣ୍ଡିଆର ବିଭିନ୍ନ ଶାଖାରୁ ଅବସର ନେଇଥିବା ଜିଲାର ୪୦ଜଣ ପୂର୍ବତନ କର୍ମଚାରୀ ଯୋଗଦେଇଥିଲେ । ଅନୀଲ କୁମାର ପଟ୍ଟନାୟକ, ମୃତ୍ୟୁଞ୍ଜୟ ପ୍ରଧାନ, ଗୋପାଳ ଚନ୍ଦ୍ର ଦାସ, ପ୍ରଭାକର ଦାସ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।
