ସୁନହଟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ
ବାଲେଶ୍ୱର : ବାଲେଶ୍ୱର ସହର ସୁନହଟ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବହିଘର ପ୍ରକାଶନୀ ସଂସ୍ଥାର ପ୍ରତିଷ୍ଠାତା ତଥା ବିଦ୍ୟାଭାରତୀର ଅଧ୍ୟକ୍ଷ କବି ଅଭୟ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ ସହିତ ଛାତ୍ରୀଛାତ୍ରଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ପୂର୍ଣ୍ଣ ବ୍ୟକ୍ତିତ୍ୱ ବିକାଶରେ ଶିକ୍ଷାର ଭୂମିକା ସମ୍ପର୍କରେ ଆଲୋକପାତ ସହ କଠୋର ଅଧ୍ୟବସାୟ ସହ ଶିକ୍ଷାଗ୍ରହଣ ପୂର୍ବକ ସଫଳତା ହାସଲ ପାଇଁ ଛାତ୍ରୀଛାତ୍ରଙ୍କୁ ସେ ପରାମର୍ଶ ଦେଇଥିଲେ । ଓଡ଼ିଶା ଶିକ୍ଷା ବିକାଶ ସମିତିର ପୂର୍ବତୋର ସମ୍ଭାଗ ବିଦ୍ୱତ ପରିଷଦ ସଦସ୍ୟ ଅଭୟ ସୁତାର ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିଶୁମାନଙ୍କୁ ଯୋଗ୍ୟ ନାଗରିକ ଭାବେ ଗଢ଼ିବାରେ ଶିକ୍ଷୟିତ୍ରୀଶିକ୍ଷକଙ୍କ ସମେତ ଅଭିଭାବକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀଛାତ୍ରଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।
ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବ୍ୟୋମନାଥ ରଥ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ସମ୍ପାଦକ ଗୌରମୋହନ ବେହେରା ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର ବାରିକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଗୁରୁଜୀ ସନ୍ଦୀପ ମହାପାତ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାପରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛାତ୍ରୀଛାତ୍ରଙ୍କ ବହୁ ଅଭିଭାବକ ଏହି ଉତ୍ସବରେ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକୁ ବିଦ୍ୟାଳୟ ଶିକ୍ଷୟିତ୍ରୀଶିକ୍ଷକ ଓ କର୍ମଚାରୀମାନେ ପରିଚାଳନା କରିଥିଲେ ।
