ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି ମଞ୍ଚ, ଜମୁଛି ପଲ୍ଲିଶ୍ରୀ ମେଳା
କେନ୍ଦୁଝର (ବ୍ରଜକିଶୋର ରାୟ) : ସ୍ଥାନୀୟ କାଳୀପଡିଆ ଠାରେ ରବିବାର ସନ୍ଧ୍ୟାରୁ ଚାଲିଥିବା ‘ଗୋନାସିକା-କେନ୍ଦୁଝର ମହୋତ୍ସବ’ ଓ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା-୨୦୨୨ର ସୋମବାର ଦ୍ୱିତୀୟ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମହୋତ୍ସବ ମଞ୍ଚକୁ ଦୁଲୁକାଇ ଦେଇଛି। ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଆନ୍ଧ୍ର ପ୍ରଦେଶର ଲମ୍ବାଡି, ଆସାମର ବିହୁ, ମହାରାଷ୍ଟ୍ରର ଲୋକନୃତ୍ୟ, ପଶ୍ଚିମବଙ୍ଗର ଆଇସିସିଆର ସାଂସ୍କୃତିକ ଦଳ, ପୁରୀର ମାଲଖମ୍ବ, ଖୋଦ୍ଧାର ପାଇକ ଆଖଡା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଉପଭୋଗ୍ୟ ହୋଇଥିବା ବେଳେ ଅସୀମା ପଣ୍ଡା ଓ ସାଥୀଙ୍କ ଦ୍ୱାରା ନୃତ୍ୟରେ ଦର୍ଶକ ବିଭୋର ହୋଇପଡିଥିବା ଦେଖିବାକୁ ମିଳିଛି।
ଏହି ଅବସରରେ ସନ୍ଧ୍ୟାରେ ଆୟୋଜିତ ସଭାରେ କେନ୍ଦୁଝରଗଡ ନଗରପାଳ ନିକୁ ସାହୁ, ଯୋଡା ନଗରପାଳ ଡାକ୍ତର ଜଗଦୀଶ ପ୍ରସାଦ ସାହୁ, ବଡବିଲ ନଗରପାଳ ଲକ୍ଷ୍ମଣ ମହାନ୍ତ, ଆନନ୍ଦପୁର ନଗରପାଳ ରଜନୀରାଣୀ ଖଟୁଆ, ଚମ୍ପୁଆ ବିଜ୍ଞପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ, ଆନନ୍ଦପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଅଞ୍ଜନା ବାରିକ, ବାଂଶପାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନସ କୁମାର ଦେହୁରୀ, ଚମ୍ପୁଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ନାଏକ, ଘଟଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୀତାଞ୍ଜଳି ନାୟକ, ଯୋଡା ପଞ୍ଚାୟତ ସମିତି ଅଧ୍ୟକ୍ଷା କବୀନ୍ଦ୍ର ନାଏକ, କେନ୍ଦୁଝର ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋର୍ତିମୟୀ ନାଏକ, ପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁକାନ୍ତୀ ନାଏକ, ସାହାରପଡା ପଞ୍ଚାତ ସମିତି ଅଧ୍ୟକ୍ଷା ରୀନା ନାଏକ, ତେଲକୋଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିକ୍ରମ କୁମାର ନାୟକ, ହରିଚନ୍ଦନପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନେଲୀ ନାଏକ, ହାଟଡିହି ପଞ୍ଚାୟତ ସମିତି ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଝୁମ୍ପୁରା ପଞ୍ଚାୟତ ସମିତି ଅଧ୍ୟକ୍ଷା ମାଳତୀ ନାଏକ ଓ ଘସିପୁରା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଜାତା ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ମହୋତ୍ସବ ଜିଲା ଓ ରାଜ୍ୟ ବାହାରର କଳାକାରଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ସହ ଏକତାସୂତ୍ରରେ ବାନ୍ଧି ରଖିବା ପ୍ରୟାସକୁ ପ୍ରଶାସନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି ବୋଲି କହିଥିଲେ। ମହୋତ୍ସବ ସାଙ୍ଗକୁ ଜାତୀୟସ୍ତରର ପଲ୍ଲିଶ୍ରୀ ମେଳାରେ ଜିଲା ଓ ରାଜ୍ୟ ବାହାରର କଳା, ହସ୍ତକଳା, ହସ୍ତଶିଳ୍ପ ସାଙ୍ଗକୁ ବିଭିନ୍ନ ମନଲୋଭା ସାମଗ୍ରୀ ଏକ ସଙ୍ଗେ ଗୋଟିଏ ସ୍ଥାନରେ ସୁଲଭ ମୂଲ୍ୟରେ ଉପଲବ୍ଧ ହେବା ଏବଂ ଖାଦ୍ୟ ଓ ପୁସ୍ତକ ମେଳାର ଆୟୋଜନ ଜିଲାବାସୀଙ୍କୁ ଶିତୁଆ ରାତିରେ ବେଶ୍ ଖୋରାକ ଯୋଗାଇଛି ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦେଶକ ସଞ୍ଜୀବ କୁମାର ବାରିକଙ୍କ ସଂଯୋଜନାରେ ପ୍ରତିଟି କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିଲା।
