ନେତାଜୀ ବସ୍ ଟର୍ମିନାଲର ଅଗ୍ରଗତି କାର୍ଯ୍ୟ ତଦାରଖ କଲେ ସିଡିଏ ଅଧ୍ୟକ୍ଷ କୋଲକତାର ସଂସ୍ଥା ପ୍ରସ୍ତୁତ କରିବ ବିଲ୍ଡିଂର ସମ୍ମୁଖ ଭାଗ ନକ୍ସା
କଟକ : କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଅଧ୍ୟକ୍ଷ ଅନୀଲ କୁମାର ସାମଲ ଆଜି ମଧ୍ୟାହ୍ନରେ ଖାନନଗରସ୍ଥିତ କଟକ ନେତାଜୀ ବସ୍ ଟର୍ମିନାଲ(ସିଏନ୍ବିଟି) ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ତଦାରଖ କରିଛନ୍ତି । ଏହି ତଦାରଖ ବେଳେ ଓଡିଶା ବ୍ରିଜ୍ ଆଣ୍ଡ କନ୍ଷ୍ଟ୍ରକ୍ସନ୍ କର୍ପୋରେସନ(ଓବିସିସି)ର ମୁଖ୍ୟ ଯନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ଶ୍ରୀ ସାମଲଙ୍କୁ ଅବଗତ କରାଇଥିଲେ । ପ୍ରାୟ ୯୦ ଭାଗ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା ବେଳେ ବାକି କାର୍ଯ୍ୟ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରିବାକୁ ଶ୍ରୀ ସାମଲ ସେମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିମଧ୍ୟରେ କାର୍ଯ୍ୟସ୍ଥଳରେ ଥିବା ଇଲେକ୍ଟ୍ରିକ ହାଇ ଭୋଲ୍ଟେଜ୍ ଲାଇନ୍ ସ୍ଥାନାନ୍ତର ହୋଇଥିଲା ବେଳେ ତୁରନ୍ତ ଲ୍ୟାଣ୍ଡ୍ ସ୍କେପ୍ ଓ ସୈାର୍ନ୍ଦ୍ୟକରଣ କାର୍ଯ୍ୟ ଆରମ୍ଭ କରିବାକୁ ସେ ଅଧିକାରୀମାନଙ୍କୁ ଆଦେଶ ଦେଇଥିଲେ । ସେହିପରି ବସ୍ ରହଣୀ ସ୍ଥଳର ୫ଟି ‘ବେ’ ନିର୍ମାଣ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ । ଏବେ ପାର୍କିଂ ସ୍ଥଳ କାର୍ଯ୍ୟ ଆପାତତଃ ଶେଷ ହୋଇଥିଲା ବେଳେ ଫେବର ଟାଇଲ ବିଛା କାର୍ଯର୍୍ୟ ପାଇଁ ବାଲି ଫିଲିଙ୍ଗ୍ ଆରମ୍ଭ ହୋଇଯାଇଛି । ବିଶେଷକରି ବସ୍ଷ୍ଟାଣ୍ଡର ସମ୍ମୁଖ ଭାଗର ନକ୍ସା ପ୍ରସ୍ତୁତ କାମ କୋଲକତାର ଏକ ସଂସ୍ଥାକୁ ଦିଆଯାଇଥିଲା ବେଳେ ଆଗାମୀ ଦିନରେ ଏହି କାର୍ଯ୍ୟକୁ ସମାପନ କରାଯିବ ଏବଂ ୨୦୨୩ ଜାନୁଆରୀ ୨୩ ନେତାଜୀ ଜୟନ୍ତୀରେ ବସଷ୍ଟାଣ୍ଡକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବାର ପ୍ରଚେଷ୍ଟା ଜାରି ରହିଛି ବୋଲି ଅଧ୍ୟକ୍ଷ ଶ୍ରୀ ସାମଲ କହିଛନ୍ତି । ଏହି ତଦାରଖ ସମୟରେ ଓବିସିସିର ବରିଷ୍ଠ ମୁଖ୍ୟ ପରିଚାଳକ ଦୁଃଖବନ୍ଧୁ ବେହେରା, ପରିଚାଳକ ଇଂ ପ୍ରକାଶ ବେହେରା, ପ୍ରକଳ୍ପ ପରିଚାଳକ ଇଂ ତାପସ କୁମାର ଦାସ, ପ୍ରକଳ୍ପ ଯନ୍ତ୍ରୀ ଆଶିଷ କୁମାର ଦାସ, ଇଂ ସତ୍ୟଜିତ ଦାସ ଓ ୟୁଆରସିର ପ୍ରକଳ୍ପ ପରିଚାଳକ ଇଂ ଇ. ନିଳକନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ ।
