ପାଚିକା ଚୟନରେ ଅନିୟମିତତା ନେଇ ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା, ପାଠପଢ଼ା ଓ ରୋଷଇ ବନ୍ଦ
ରୂପସା : ବାଲେଶ୍ୱର ଜିଲା ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଲଛମନଖୁଣ୍ଟା-୧ ଅଙ୍ଗନୱାଡ଼ି କେନ୍ଦ୍ରରେ ଶୁକ୍ରବାର ଉତ୍ତେଜନା ଦେଖାଦେଇଛି । ପାଚିକା ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଅବିଭାବକ ଓ ଗ୍ରାମବାସୀ ହୂରମାତୁନ ବିବି, ହମିରା ବିବି, ରେଶମା ବିବି, ରାସମଣୀ ସିଂ, ଶାନ୍ତି ସିଂ, ମିତା ସିଂ, ସୁଭଦ୍ରା ସିଂ ପ୍ରମୁଖ କେନ୍ଦ୍ରରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଫଳରେ ପିଲାଙ୍କ ପାଠ ପଢ଼ା ସହ ଖାଦ୍ୟ ରୋଷଇ ବନ୍ଦ ରହିଥିବା ଜଣାପଡ଼ିଛି ।
ଏହି କେନ୍ଦ୍ରରେ ୩୫ ଜଣ ପିଲା ପଢ଼ନ୍ତି । ଅଧିକାଂଶ ପିଲା ଆଦିବାସୀ ବର୍ଗର । ଗତ ୪ ବର୍ଷ ଧରି ପାଚିକା ପଦବୀ ଖାଲି ପଡ଼ିଥିଲା । ୨୦୨୦ ଡିସେମ୍ବରରେ ପାଚିକା ନିଯୁକ୍ତି ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ପାଚିକା ପାଇଁ ଗୀତା ସିଂ, ରେଖା ସିଂ ଓ ବୀଣାପାଣି ପ୍ରଧାନ ଆବେଦନ କରିଥିଲେ । ଗତ ନଭେମ୍ବର ୧୯ ତାରିଖରେ ଏହି କେନ୍ଦ୍ରରେ ପାଚିକା ଚୟନ ନିମନ୍ତେ ବିଭାଗ ପକ୍ଷରୁ ବୈଠକ ହୋଇଥିଲା । ବିଭାଗୀୟ ଅଧିକାରୀ ଉପସ୍ଥିତ ନ ଥିବା ଦର୍ଶାଇ ପରବର୍ତ୍ତୀ ପର୍ଯ୍ୟାୟରେ ଚୟନ ହେବ ବୋଲି ନିଷ୍ପତ୍ତି ହୋଇଥିଲା । ମାତ୍ର ଗତ ୧୫ ତାରିଖରେ ବସ୍ତା ବ୍ଲକ କାର୍ଯ୍ୟାଳୟରେ ଆବେଦନକାରୀଙ୍କୁ ଡକାଯାଇ ବିଭାଗ ପକ୍ଷରୁ ଅକସ୍ମାତ ପରୀକ୍ଷା କରାଯାଇ ବୀଣାପାଣି ପ୍ରଧାନଙ୍କୁ ପାଚିକା ଭାବେ ଚୟନ କରାଯିବାକୁ ବିରୋଧ ହୋଇଛି । ଆଦିବାସୀ ବର୍ଗର ମହିଳା ପାଚିକା ହୋଇପାରିବେ ନାହିଁ ବୋଲି ସେଠାରେ ଉପସ୍ଥିତ ଅଧିକାରୀ ଆବେଦନକାରୀଙ୍କୁ କହିଥିଲେ ବୋଲି ଅଭିଯୋଗ ହୋଇଛି । ଯୋଉ ପ୍ରାର୍ଥୀନୀଙ୍କୁ ଚୟନ କରାଯାଇଛି ତାଙ୍କ ଠାରୁ ବିପୁଳ ଅର୍ଥ କାରବାର ହୋଇଥିବା ଅବିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଇଡ଼ ଲାଇନ ମୁତାବକ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଏହି କେନ୍ଦ୍ରରେ ପାଚିକା ଚୟନ କରାନଗଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ତାଲାବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଅବିଭାବକ ମହଲରୁ ଚେତାବନୀ ଦିଆଯାଇଛି । ଅଙ୍ଗନୱାଡ଼ି କର୍ମୀ ପୁଷ୍ପମଞ୍ଜରୀ ଦାସ କେନ୍ଦ୍ରରେ ତାଲା ପଡ଼ିବା ଯୋଗୁଁ ପିଲାଙ୍କୁ ଖାଦ୍ୟଦେବା ଓ ପାଠ ପଢ଼ା ବନ୍ଦ ରହିଥିବା କହିଛନ୍ତି । ସିଡିପିଓ ଦୀପ୍ତିରାଣୀ ସିଂହ ପାଚିକା ପଦବୀ ପାଇଁ ହୋଇଥିବା ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ପ୍ରାର୍ଥୀନୀଙ୍କୁ ଚୟନ କରାଯାଇଛି ବୋଲି କହିଛନ୍ତି । ବିଭାଗୀୟ ଅଧିକାରୀଙ୍କ ପ୍ରତି ହୋଇଥିବା ଅଭିଯୋଗ ମିଥ୍ୟା ବୋଲି ସେ ପ୍ରକାଶ କରିଛନ୍ତି ।
