ଦ୍ରୁତ ଗତିରେ ଆଗେଇ ଚାଲିଛି ଆଦର୍ଶ ବସ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ; ହାଇକୋର୍ଟକୁ ଯିବାକୁ ସଜବାଜ ବିରୋଧୀ
ବାଲିଆପାଳ : ବାଲେଶ୍ୱର ଜିଲା ବାଲିଆପାଳରେ ସରକାର ଏକ ଆଦର୍ଶ ବସ୍ ଷ୍ଟାଣ୍ଡ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହେବା ପରେ ବହୁ ବାଦ ବିବାଦ ଦେଖାଦେଇଥିଲା । ବାଲିଆପାଳ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ସୁବର୍ଣ୍ଣରେଖା ହାଇସ୍କୁଲ ଖେଳ ପଡ଼ିଆରେ ଆଦର୍ଶ ବସ୍ ଷ୍ଟାଣ୍ଡ ନିର୍ମାଣ ପାଇଁ ସ୍ଥାନ ସ୍ଥିର ହୋଇଥିଲା । ମାତ୍ର ଏଠାରେ ବସ୍ଷ୍ଟାଣ୍ଡ କରାଇ ନ ଦେବା ପାଇଁ ସ୍ଥାନୀୟବାସିନ୍ଦା ଜୋରଦାର ବିରୋଧ କରିଥିଲେ । କାରଣ ଖେଳ ପଡ଼ିଆକୁ ନଷ୍ଟ କରି ବସ୍ଷ୍ଟାଣ୍ଡ କରା ନ ଯାଉ । ମାତ୍ର ପ୍ରଶାସନ ଜନସାଧାରଣଙ୍କ କୌଣସି ବିରୋଧକୁ ଖାତିର୍ ନ କରି ଉକ୍ତ ଖେଳ ପଡ଼ିଆରେ ବସ୍ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ବାଧ୍ୟ ହୋଇ ସ୍ଥାନୀୟ ବାସୀନ୍ଦା ହାଇକୋର୍ଟର ଆଶ୍ରୟ ନେଇଥିଲେ । ଉକ୍ତ ଜାଗାରେ କୋର୍ଟର ନିର୍ଦ୍ଦେଶରେ ୧୪୪ ଧାରା ଜାରି ହୋଇ କାର୍ଯ୍ୟ ବନ୍ଦ ରହିଥିଲା । ବିରୋଧୀଙ୍କ ଆବେଦନରେ ହାଇକୋର୍ଟ ଜାରି କରିଥିବା ସ୍ଥିତାବସ୍ଥାର ସମୟସୀମା ପୁରିଯିବା ପରେ ଏବେ ପୁଣି ବସ୍ଷ୍ଟାଣ୍ଡ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ସମ୍ପୃକ୍ତ ଠିକାଦାର ବସ୍ ଷ୍ଟାଣ୍ଡ ପାଇଁ ଉଦ୍ଦିଷ୍ଟ ଜାଗା ଚାରିପଟେ ଆବଦ୍ଧ କରି କାର୍ଯ୍ୟ ଚଳାଇଛନ୍ତି । ବସ୍ ଷ୍ଟାଣ୍ଡ କାର୍ଯ୍ୟ ଆରମ୍ଭ ଦେଖି ପୁଣି ବିରୋଧୀ ହାଇକୋର୍ଟକୁ ଯିବା ପାଇଁ ସଜବାଜ ହେଉଥିବା ଜଣାଯାଇଛି ।
ସୂଚନା ଯେ, ବାଲିଆପାଳ ବ୍ଳକର ଏକ ମାତ୍ର ଏହି ଖେଳ ପଡ଼ିଆରେ ବସ୍ ଷ୍ଟାଣ୍ଡ କରାଗଲେ ସ୍କୁଲ ପିଲା ଅବା ସ୍ଥାନୀୟ ପିଲାଙ୍କ ଖେଳ ପଡ଼ିଆ ନଷ୍ଟ ହୋଇଯାଉଛି । ପିଲା ମାନେ ଖେଳିବେ କେଉଁଠି । ଖେଳ ପଡ଼ିଆ ଜାଗାକୁ ମାପ କରାଯାଇ ଜବରଦଖଲ ଉଛେଦ କରି ଏଠାରେ ବସ୍ ଷ୍ଟାଣ୍ଡ ନିର୍ମାଣ ହେଲେ ଖେଳ ପଡ଼ିଆ ପାଇଁ ମଧ୍ୟ ଜାଗା ହୋଇପାରିବ ବୋଲି ସ୍ଥାନୀୟ ଜନସାଧାରାଣ ଓ ସୂଚନା ଅଧିକାର ଅଭିଯାନ ବାଲିଆପାଳ ଶାଖା ପକ୍ଷରୁ ଦାବି କରାଯାଇଥିଲା । ମାତ୍ର ପ୍ରଶାସନ କୌଣସି ଜବର ଦଖଲକୁ ନ ହଟାଇ ଖେଳ ପଡ଼ିଆରେ ବସ୍ ଷ୍ଟାଣ୍ଡ କରିବା ପାଇଁ ଅଟଳ ରହିଛନ୍ତି । ସ୍ଥାନୀୟ ସୁବର୍ଣ୍ଣରେଖା ହାଇସ୍କୁଲର ପିଲାମାନେ ଉକ୍ତ ଖେଳ ପଡ଼ିଆରେ ଦୀର୍ଘ ବର୍ଷରୁ ଆଞ୍ଚଳିକ ସ୍ତରୀୟ, ବ୍ଲକ ସ୍ତରୀୟ, ଜିଲା ସ୍ତରୀୟ ଓ ଏପରିକି ଏଠାରେ ରାଜ୍ୟ ସ୍ତରୀୟ ଖେଳକୁଦ ପ୍ରତିଯୋଗୀତା ସହିତ ସମସ୍ତ ରାଜନୈତିକ ଦଳର ସଭା ସମିତି ମଧ୍ୟ ହୋଇଆସୁଛି । ବସ୍ ଷ୍ଟାଣ୍ଡ ଆରମ୍ଭ ପାଖରୁ ସବୁ ବନ୍ଦ ରହିଛି । ଖେଳ ପଡ଼ିଆ ନ ଥିବାରୁ ସ୍କୁଲ ପିଲାମାନେ ବର୍ତ୍ତମାନ ବାଧ୍ୟ ହୋଇ ସ୍ଥାନୀୟ ବାଲିଆପାଳ ଫିଜିକାଲ କଲେଜ ଖେଳ ପଡ଼ିଆରେ ଖେଳ କୁଦ ପ୍ରତିଯୋଗିତା କରୁଛନ୍ତି । ଏପରିକି ପ୍ରତି ବ୍ଲକ ସ୍ତରୀୟ ଖେଳ କୁଦ ପାଇଁ ସରକାରୀ ଖେଳ ପଡ଼ିଆ ନ ଥିବାରୁ ବାଲିଆପାଳ ଫିଜିକାଲ କଲେଜରେ ଖେଳ ପ୍ରତିଯୋଗୀତା କରୁଛନ୍ତି ।
