ବଲାଙ୍ଗିର ବିଜେପି ପକ୍ଷରୁ ବିଧାୟକ ମୁକେଶ ମହାଲିଙ୍ଗ ଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଏସ୍ ପି ଅଫିସ ଘେରାଉ
ବଲାଙ୍ଗୀର : ବିଧାୟକ ମୁକେଶ ମହାଲିଙ୍ଗ ଗାଡ଼ି ରେ ଆଣ୍ଡାମାଡ ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ପକ୍ଷରୁ ବଲାଙ୍ଗିର ଏସ୍ ପି ଅଫିସ ଆଜି ଘେରାଉ କରାଯାଇଥିଲା । ପୁଇଁତଳା ପ୍ୟାକ୍ସ ପରିଦର୍ଶନ ରେ ଯିବାବେଳେ ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଉପରକୁ କାଲି ମଙ୍ଗଳବାର ଅଣ୍ଡାମାଡ଼ ହୋଇଥିଲା । କିଛି ବିଜେଡି କର୍ମୀ ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିବା ସହ ଭାଜପା କର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଥିଲେ । ଏହି ଘଟଣାରେ ପୁଇଁତଳା ଥାନାରେ ୪ ଜଣ ବିଜେଡି କର୍ମୀଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଘଟଣା ପ୍ରତିବାଦରେ ବୁଧବାର ଭାଜପା ପକ୍ଷରୁ ଏସ୍ପି ଅଫିସ ଘେରାଉ କରାଯାଇଛି । ଭାଜପା ଜିଲା ସଭାପତି ଶିବାଜୀ ମହାନ୍ତିଙ୍କ ନେତୃତ୍ୱରେ ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗ, ଅନନ୍ତ ଦାଶ, ମହେନ୍ଦ୍ର ଠାକୁର, ମୁକେଶ ଜୈନ, ପଙ୍କଜିନୀ ପଣ୍ଡା, ଅନୀଲ ପାଣିଗ୍ରାହୀଙ୍କ ସମେତ ଶତାଧିକ ଭାଜପା ନେତା ଓ କର୍ମୀ ଶୋଭାଯାତ୍ରାରେ ଏସ୍ପି ଅଫିସ ସମ୍ମୁଖକୁ ଆସିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅଣ୍ଡା ମାଡ଼ କରିଥିବା ବିଜେଡି କର୍ମୀଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ଏସ୍ପି ନୀତିନ କୁଶଲକରଙ୍କୁ ଭେଟି ଆଲୋଚନା କରିଥିଲେ । ଏସ୍ପି କୁଶଲକର ଦୁଇ ଅଭିଯୁକ୍ତ ସୁରେଶ ନାଏକ, ବିଷ୍ଣୁ ପଟେଲଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ଓ ଅନ୍ୟ ଦୁଇ ଫେରାର ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ।
